ଗଳାବାଟ ପାଲଟିଛି ମୁଖ୍ୟ ଚିକିତ୍ସାଳୟ ରାସ୍ତା‌: ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘନେଇଛି ବିପଦ

ଖୋର୍ଦ୍ଧା: ଡାକ୍ତରଖାନା ରାସ୍ତା ଚଉଡ଼ା ହେଲା। ତା’ ଉପରେ ପିଚୁ ପଡ଼ିଲା। କିନ୍ତୁ, ଏ ରାସ୍ତା ଡାକ୍ତରଖାନା ରୋଗୀଙ୍କୁ ଯେତିକି ଫାଇଦା ଦେଇନାହିଁ, ସେତିକି ବିପଦ ତିଆରି କଲାଣି। ଏହି ଡାକ୍ତରଖାନା ରାସ୍ତାଟି ଏମିତି ମୁକୁଳା ହୋଇଛି ଯେ, ଜାତୀୟ ରାଜପଥ ଦେଇ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହା ଗଳାବାଟ ସାଜିଛି। ଏହି ରାସ୍ତାରେ ଗାଡ଼ିମୋଟରର ଗତି ଏତେ ତୀବ୍ର ହେଉଛି ଯେ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ବି ଦୁର୍ଘଟଣା ଆଶଙ୍କା ଘନେଇଛି।

ସୂଚନା ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଦେଇ ଯାଇଛି ଖୋର୍ଦ୍ଧାରୁ ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ଡାକ୍ତରଖାନାର ଦ୍ବିତୀୟ ରାସ୍ତାଟି ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଯେହେତୁ, ଖୋର୍ଦ୍ଧା ସହର ଦୁଇ ଦୁଇ ଗୋଟି ଜାତୀୟ ରାଜପଥର ସଂଗମ ସ୍ଥଳ। ତେଣୁ, ସ୍ବାଭାବିକ ଭାବେ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ହୁଏ। ଦୈବାତ୍‌ କୌଣସି ଘଟଣା ଦୁର୍ଘଟଣା ଘଟିଲେ ବି ରାସ୍ତା ଜାମ୍‌। ଏମିତି ପରିସ୍ଥିତିରେ ଲୋକେ ଜାତୀୟ ରାଜପଥରୁ ହଟି ଡାକ୍ତରଖାନା ରାସ୍ତା ଧରୁଛନ୍ତି। ୫୭ ନମ୍ବର ଜାତୀୟ ରାଜପଥରୁ ୧୬ ନମ୍ବର ଜାତୀୟ ରାଜପଥକୁ ଯିବା ପାଇଁ ଚକାଚକ୍‌ ଡାକ୍ତରଖାନା ରାସ୍ତା ଏବେ ଗଳାବାଟ ସାଜିଛି। ଲୋକେ ଡାକ୍ତରଖାନା ରାସ୍ତା ଦେଇ ଯାତାୟାତ କରୁଛନ୍ତି। ବିନା କାରଣରେ ଡାକ୍ତରଖାନା ଭିତରେ ଅନୁପ୍ରବେଶ ଚାଲିଛି। କେବଳ ବାଇକ୍‌ ନୁହେଁ, ଦରକାର ପଡ଼ିଲେ ଗାଡ଼ି ଲୋଡ଼୍‌ ହୋଇ ବି ଯାତାୟତ ହେଉଛି। ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକରେ ଯଦିଓ ଫାଟକ ଖଞ୍ଜା ହୋଇଗଲାଣି, କିନ୍ତୁ ମନା କରିବାକୁ କେହି ନାହିଁ। ଡାକ୍ତରଖାନାର ଦ୍ବିତୀୟ ଫାଟକଟି ମୁକୁଳା ପଡ଼ିଛି। ତେଣୁ, ରାସ୍ତାର ଏପାଖରୁ ସେପାଖକୁ ରୋଗୀ ଯାତାୟତ କଲା ବେଳକୁ ଭୟ କଲେଣି। ଡାକ୍ତରଖାନା ରାସ୍ତାରେ କିଛି ଅଘଟଣ ଘଟିବା ପୂର୍ବରୁ ଜାତୀୟ ରାଜପଥ ଆରୋହୀଙ୍କୁ ବିନା କାରଣରେ ଭିତରକୁ ଆସିବା ଉପରେ ଅଙ୍କୁଶ ଲଗାଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର