ଗୋପାଳର ଛୁଟିକୁ ନେଇ ଭିନ୍ନ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଛୁଟିକୁ ନେଇ ରାଜ୍ୟ ସରକାର ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି। ଦୁଇ ବିଧାୟକଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ତାଳମେଳ ନାହିଁ। କେଉଁଠି ଗୋପାଳ ଅନଧିକୃତ ଛୁଟିରେ ରହିଥିବା ଦର୍ଶାଇଛନ୍ତି ତ ଆଉ କେଉଁଠି ସିଏଲ୍‌ ପାଇଁ ଆବେଦନ କରିଥିବା କହିଛନ୍ତି।

ବର୍ଷକରେ ଦୁଇଟି ପର୍ଯ୍ୟାୟରେ ୧୭୯ ଦିନ ଅନଧିକୃତ ଛୁଟି
ଏମ୍‌କେସିଜିରେ ମାନସିକ ରୋଗର ଚିକିତ୍ସା କରୁଥିଲେ ଗୋପାଳ

ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ‌ବେହେରା କହିଛନ୍ତି ଯେ ଗୋପାଳ ଦୁଇଟି ପର୍ଯ୍ୟାୟରେ ନିଜର ମାନସିକ ରୋଗ(ବାଇପୋଲାର ଆଫେକ୍ଟିଭ ଡିଜର୍ଡର) ଚିକିତ୍ସା ପାଇଁ ୧୭୯ଦିନ ଅନଧିକୃତ ଛୁଟି ନେଇଛନ୍ତି। ୨୦୧୪ ମସିହା ଫେବ୍ରୁଆରି ୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୬୦ଦିନ ଓ ୨୦୧୫ ମସିହା ଫେବ୍ରୁଆରି ୨୦ରୁ ୮ଦିନ ପାଇଁ ଅଧିକୃତ ଛୁଟି ନେଇଥିଲେ। ହେଲେ ମାର୍ଚ ୧ ତାରିଖରେ କାର୍ଯ୍ୟରେ ଯୋଗ ଦେବା ପରିବର୍ତେ ଜୁନ୍ ୨୮ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ୧୧୯ଦିନର ଅନୁପସ୍ଥିତିକୁ ଶାରୀରିକ ଅସୁସ୍ଥତା ପାଇଁ ଛୁଟି ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ। ଡାକ୍ତରୀ ଚିକିତ୍ସା କାଗଜପତ୍ର ଓ ସୁସ୍ଥତା ପ୍ରମାଣପତ୍ର ଆଧାରରେ ତାଙ୍କର ଛୁଟି(ଇଏଲ୍‌) ନିୟମିତ ହେବା ସହ ତାଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗଦେବା ପାଇଁ ଅନୁମତି ଦିଆଯାଇଥିଲା। ଗୋପାଳ ଏମ୍‌କେସିଜି ମେଡିକାଲ କଲେଜର ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହେଉଥିବାର ଡାକ୍ତରୀ କାଗଜପତ୍ର ନିଜ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ଝାରସୁଗୁଡ଼ା ପୁଲିସ ଏସ୍‌ପି ସୂଚନା ଦେଇଛନ୍ତି।

ମାତ୍ର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଶ୍ରୀ ବେହେରା ଦେଇଥିବା ଲିଖିତ ଉତ୍ତରରେ ଗୋପାଳର ଛୁଟିକୁ ନେଇ ଭିନ୍ନ ତଥ୍ୟ ରହିଛି। ୨୦୧୫ ମସିହା ମେ’ ୧୦ତାରିଖରୁ ଗୋପାଳ ୫ଦିନ କାଜୁଆଲ ଲିଭ୍(ସିଏଲ୍‌) ଓ ଗୋଟିଏ ଦିନ ପେଡ୍‌ ଲିଭ୍‌(ପିଏଲ୍‌) ପାଇଁ ଆବେଦନ କରିଥିଲେ। ଏଥିପାଇଁ କୌଣସି କାରଣ ଦର୍ଶାଇ ନ ଥିଲେ। ଯଦି ଗୋପାଳ ପୂର୍ବରୁ ୨୦୧୫ ମାର୍ଚ୍ଚ ୧ତାରିଖରୁ ଜୁନ୍ ୨୭ତାରିଖ ପର୍ଯ୍ୟନ୍ତ ଅନଧିକୃତ ଛୁଟି ନେଇଥିଲେ ତାହାଲେ ମେ’ ୧୦ତାରିଖରୁ ପୁଣିଥରେ ସିଏଲ୍‌ ପାଇଁ କିଭଳି ଆବେଦନ କରିଥିଲେ? ସେହିପରି ଏଏସ୍‌ଆଇରେ ନିଜ ସେବା ସମୟରେ ସେ ଦୁଇଟି ଜୁଆଖେଳ ମାମଲା ଚିହ୍ନଟ କରିବା ସହିତ ୬ଜଣଙ୍କୁ ଗିରଫ ଓ ୧୧,୧୨୦ ଟଙ୍କା ଜବତ କରିଛନ୍ତି। ଗତ ୧୦ବର୍ଷ ଭିତରେ ଗୋପାଳ ୨୯୯ଟି ମାମଲାର ତଦନ୍ତ କରିଛନ୍ତି। ୨୦୧୩ ମସିହାରୁ ୨୦୨୦ ମସିହା ଭିତରେ ସେ ଏକାଧିକ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର