ସମ୍ବଲପୁର : ବଢୁଛି ଟୋକନ୍‌ କଷ୍ଟ, ଚାଷୀ ନୟାନ୍ତ

ସମ୍ବଲପୁର : ଅନ୍‌ଲାଇନ୍‌ ଟୋକନ୍‌ ନଥିଲେ ମଧ୍ୟ ହୀରାକୁଦ ସେଚାଞ୍ଚଳ ଚାଷୀଙ୍କୁ ଧାନ ବିକ୍ରିରେ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ ଓ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବାସ୍ତବରେ ତାହା କାର୍ଯ୍ୟରେ ପରିଣତ ହୋଇପାରୁନାହିଁ। ମଣ୍ଡିରେ ଏବେ ବି ଚାଷୀ ହନ୍ତସନ୍ତ ହେଉଥିବା ପରିଲକ୍ଷିତ ହେଉଛି। ଅଧିକାଂଶ ମଣ୍ଡିରେ ନେଟ୍‌ୱାର୍କ ନଥିବା କାରଣରୁ ଅନ୍‌ଲାଇନ୍‌ ଟୋକନ୍‌ ଡାଉନ୍‌ଲୋଡ୍‌ କରାଯାଇପାରୁନାହିଁ। ଆଖି ସ୍କାନିଂ ବ୍ୟବସ୍ଥା ମଧ୍ୟ ଠିକ୍‌ ଭାବେ କାମ କରୁନି। ଏଥିସହ ସେଚାଞ୍ଚଳ ଚାଷୀଙ୍କ ପାଇଁ ସର୍ବାଧିକ ୮୦ କ୍ବିଣ୍ଟାଲ ଧାନ ବିକ୍ରି କଟକଣା ଉଠାଇ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ଜଣେ ଚାଷୀ କେବଳ ଗୋଟିଏ ଗାଡ଼ି ଧାନ ମଣ୍ଡିକୁ ପୂରାଇପାରିବ ବୋଲି ନିୟମ କରାଯାଇଥିବାରୁ ଏହା ନୂଆ ଅଡ଼ୁଆ ସୃଷ୍ଟି କରୁଛି। କାରଣ ଗୋଟିଏ ଟ୍ରାକ୍ଟରରେ ଥରକେ ଅତିବେଶିରେ ମାତ୍ର ୬୨ କ୍ବିଣ୍ଟାଲ ଧାନ ହିଁ ମଣ୍ଡିକୁ ପଶିପାରୁଛି। ତେଣୁ ଚାଷୀମାନଙ୍କ ମଧ୍ୟରେ ପୁଣି ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି।

ଗତ ୨୧ ତାରିଖରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା‌ର ଚାଷୀମାନେ ରାଜପଥ ଅବରୋଧ କରିବା ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଶାସକ ଦଳ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେଚାଞ୍ଚଳ ଚାଷୀଙ୍କ ପାଇଁ ଅନ୍‌ଲାଇନ୍‌ ଟୋକନ୍‌ କଟକଣା ରହିବ ନାହିଁ। ଟୋକନ୍‌ ନଥିଲେ ମଧ୍ୟ ଚାଷୀ ଧାନ ଧରି ମଣ୍ଡିକୁ ଯିବ ଏବଂ ସେଠାରେ ଅତି ବେଶିରେ ଅଧ ଘଣ୍ଟା ମଧ୍ୟରେ ଟୋକନ ବ୍ୟବସ୍ଥା ହୋଇଯିବ। ସେହି ଆଧାରରେ ଧାନ ବିକ୍ରି ହେବ। ଚାଷୀଙ୍କ ମନରେ ବିଶ୍ବାସ ସୃଷ୍ଟି ପାଇଁ ସେଦିନ ବିନା ଟୋକନ୍‌ରେ ଧାନ ସଂଗ୍ରହ ମଧ୍ୟ କରାଗଲା। ମାତ୍ର ଦୁଇ ଦିନ ପରେ ପୁଣି ଆରମ୍ଭ ହୋଇଯାଇଛି ଅବ୍ୟବସ୍ଥା। ଅନ୍‌ଲାଇନ୍‌ ଟୋକନ୍‌ ନଥିବା ଚାଷୀଙ୍କୁ ଧାନ ବିକ୍ରିରେ ପୁଣି ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଅଧିକାଂଶ ପେକ୍ସ ଓ ମଣ୍ଡିରେ ଇଣ୍ଟରନେଟ୍‌ ଓ ନେଟ୍‌ୱାର୍କ ବ୍ୟବସ୍ଥା ଠିକ୍‌ ଭାବେ କାମ କରୁ ନ ଥିବାରୁ ପେକ୍ସ କର୍ମଚାରୀ ଟୋକନ୍‌ ଜେନେରେଟ୍‌ କରି ଚାଷୀଙ୍କୁ ଦେବାକୁ ବହୁତ ସମୟ ଲାଗି ଯାଉଛି। ଏହି ଟୋକନ୍‌ ପାଇଁ ବେଳେବେଳେ ଚାଷୀଙ୍କୁ ସକାଳୁ ରାତି ଯାଏ ଅପେକ୍ଷା କରିବାକୁ ପଡ଼ୁଛି। ଏଥିସହ ଆଇରିସ୍‌ (ଆଖି) ସ୍କାନ୍‌ କରିବା ମଧ୍ୟ ବିଳମ୍ବ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର