ରାୟଗଡ଼ା: ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ। ଖାଇବକୁ ନପାଇ ଠେଲାପେଲାରେ ତେଲ କଢେଇରେ ପଡ଼ି ଦୁଇ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଦୀପାଲି ନାୟକ ଖାଇବାକୁ ଯାଉଥିବା ସମୟରେ ଠେଲାପେଲାରେ ତେଲ କଢ଼େଇରେ ପଡ଼ିଯାଇଥିଲେ। ସେ ଖାଇବା ପାଇଁ ଲାଇନରେ ଯାଉଥିବା ବେଳେ ଠେଲାପେଲାରେ ସେ ତେଲ କଢେଇ ଉପରେ ପଡିଯାଇଥିଲେ। ସେହିପରି ରୋଷେଇ ନିମନ୍ତେ ବ୍ୟବହାର ହୋଇଥିବା ତେଲ କଡ଼େଇରୁ ତେଲ ପଡ଼ି ଗୁଣୁପୁର ମହାବିଦ୍ୟାଳୟ ଯୁକ୍ତ ଦୁଇ କଳା ଛାତ୍ରୀ ମେନକା ଶବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେ ମଧ୍ୟ ଖାଇବାକୁ ନପାଇ ଲାଇନରେ ଯିବା ସମୟରେ ଠେଲେପେଲାରେ ତାଂକ ଉପରେ ତେଲ ପଡି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ତାଙ୍କୁ କଲେଜର କିଛି ଏନସିସି ଛାତ୍ରଛାତ୍ରୀ ଆଣି ମେଡିକାଲରେ ଭର୍ତ୍ତି କରିଛନ୍ତି। ପରବର୍ତ୍ତୀ ସମୟରେ ରାୟଗଡ଼ା ତହସିଲଦାର ଓ ସିଡିଏମଓ ଲାଲମୋହନ ରାଉତରାୟ ମେଡିକାଲରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସଂପର୍କରେ ପଚାରିବୁଝିଥିଲେ। କିନ୍ତୁ ଏବେ ପର୍ଯ୍ୟନ୍ତ କେହି ଦଳୀୟ ନେତା କିମ୍ବା କଲେଜ କର୍ତ୍ତୃପକ୍ଷ ତାଙ୍କ ନିକଟରେ ପହଁଚି ନଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ କେହି ମେଡିକାଲ ଯାଇନଥିବା ଜଣାପଡିଛି।