ଶଙ୍ଖ ଧରିବେ ଉଦଳା ବିଧାୟକ ଭାସ୍କର! ବିଜେପି କାର୍ଯ୍ୟକ୍ରମରୁ ଖାପଛଡ଼ା

ତାଙ୍କ କାର୍ଯ୍ୟକ୍ରମରେ ବିଜେଡି ନେତା ସାମିଲ୍‌

ବଟକୃଷ୍ଣ ବିହାରୀ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ଥିବା ଭାସ୍କର ମଢ଼େଇ ଖୁବ୍‌ଶୀଘ୍ର ବିଜେଡିରେ ମିଶିବାକୁ ଯାଉଛନ୍ତି। ବିଭିନ୍ନ ଆଳ ଦେଖାଇ ସେ ଦୀର୍ଘଦିନରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି; ଅଥଚ ବିଜେଡି କାର୍ଯ୍ୟକ୍ରମରେ ସାମିଲ ହୋଇ ସରକାରୀ ଯୋଜନାର ମନଖୋଲା ପ୍ରଶଂସା କରୁଛନ୍ତି। ‌ଯେଉଁଥିପାଇଁ ଏହିଭଳି ଏକ କଳ୍ପନାଜଳ୍ପନା ପ୍ରକାଶ ପାଇବା ସହିତ ରାଜନୈତିକ ମହଲରେ ଚର୍ଚ୍ଚାର
ବିଷୟ ହୋଇଛି। କିଛିମାସ ତଳେ ଉଦଳାରେ ଅନୁଷ୍ଠିତ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଜେଡି ସରକାରଙ୍କ ସଫଳତା ବଖାଣି ଚର୍ଚ୍ଚାକୁ ଆସିଥିଲେ ଭାସ୍କର। ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।

ମାସକ ପୂର୍ବରୁ ଭାସ୍କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ‌ଉଦଳା ମହୋତ୍ସବରେ ବିଜେପିର କୌଣସି ନେତା, ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା ‌ବେଳେ ଉତ୍ସବର ବିଭିନ୍ନ ସନ୍ଧ୍ୟାରେ ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଥିଲେ। ଗତ ଦୁଇସପ୍ତାହ ପୂର୍ବେ ଜିଲ୍ଲା ସଦର ମହକୁମା ବାରିପଦାରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ କୃଷି ଯନ୍ତ୍ରପାତି ମେଳାରେ ବିଜେଡି ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ତାଙ୍କୁ ଦେଖିବ‌ାକୁ ମିଳିଥିଲା। ଏହି ଦୁଇଦିନ ତଳେ ଜିଲ୍ଲାର ୬ ବିଜେପି ବିଧାୟକଙ୍କ ମଧ୍ୟରୁ ୫ ଜଣ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ମାତ୍ର, ସେ ଯାଇନଥିଲେ। ଆଜି ବାରିପଦାରେ ଲକ୍ଷ୍ମୀବସ୍ ଲୋକାର୍ପଣ କାର୍ଯ୍ୟକ୍ରମରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ଭାସ୍କରଙ୍କୁ ମଞ୍ଚରେ ବସିଥିବା ଦେଖିବାକୁ ମିଳିଥିଲା। ଏହିସବୁ କାର୍ଯ୍ୟକଳାପରୁ ସେ ଆସନ୍ତା ନିର୍ବାଚନରେ ବିଜେପି ପରିବର୍ତ୍ତେ ବିଜେଡିରୁ ପ୍ରାର୍ଥୀ ‌ହେବାନେଇ ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି।

ଭାସ୍କରଙ୍କ ‌ଯୋଗଦାନ ନେଇ କୁଆଡ଼େ ଉପର ମହଲରୁ ସବୁଜ ସଙ୍କେତ ମିଳିଛି। କେବଳ ଔପଚାରିକ ଭାବେ ସେ ମିଶିବା ବାକି ରହିଥିବା ବିଜେଡିର ଜଣେ ଆଗଧାଡ଼ିର ନେତା କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଶିବିରର କହିବା କଥା; ଭାସ୍କର ବିଜେପି ବ୍ୟାନରରେ ବିଧାୟକ ହୋଇଥିଲେ ମଧ୍ୟ ଆରମ୍ଭରୁ ସେ ଦଳକୁ ଅଣଦେଖା କରି ବି‌‌ଜେଡି ପ୍ରତି ଆନୁଗତ୍ୟ ଦେଖାଇଥିଲେ। ଫଳରେ, ଦଳ ତାଙ୍କୁ ଆଉ ଗୁରୁତ୍ବ ଦେଉନାହିଁ।
ଏ ସଂକ୍ରାନ୍ତରେ ବିଧାୟକ ଶ୍ରୀ ମଢ଼େଇଙ୍କୁ ପଚାରିବାରୁ ଆଗାମୀ ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ, ଖୁବ୍‌ଶୀଘ୍ର ଗଣମାଧ୍ୟମ ଆଗରେ ନିଜ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ରୁ ୨୦୧୯ ଯାଏ ଉଦଳା ଆସନ ବିଜେଡିର ଗଡ଼ ଥିଲା। ୨୦୧୯ ମସିହାରେ ଶ୍ରୀନାଥ ସୋରେନଙ୍କୁ ହରାଇ ବିଜେପି ପ୍ରାର୍ଥୀ ଭାବେ ଭାସ୍କର ମଢ଼େଇ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର