ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନକୁ ଦୀପାବଳି ଭାବେ ପାଳନ କରନ୍ତୁ: କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ(ରାଜ୍ୟ) ସାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ଭାବ ବିହ୍ୱଳ ହୋଇ କହିଛନ୍ତି, ଶ୍ରୀମନ୍ଦିର ଭଳି ଭବ୍ୟ ଓ ପବିତ୍ର ସ୍ଥାନରୁ ଫେରିବାକୁ ଇଛା ନଥିଲେ ବି ଫେରିବାକୁ ପଡ଼ୁଛି । ଏଥିସହିତ ଆସନ୍ତା ୨୨ ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନଟିକୁ ସମସ୍ତ ଭାରତୀୟ ଦୀପାବଳି ଭଳି ପାଳିବାକୁ କହିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା ମଧ୍ୟ କରିଥିବା କହିଛନ୍ତି ମନ୍ତ୍ରୀ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହୋଇଥିବା ସୋନ୍ଦର୍ଯ୍ୟୀକରଣ କାର୍ଯ୍ୟର ମଧ୍ୟ ଖୁବ୍ ପ୍ରସଂଶା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବାପରେ ଦେଶରେ ସମସ୍ତ ଆଧ୍ୟାତ୍ମିକ ପୀଠର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ସାଧ୍ୱୀ ନିରଞ୍ଜନ ଜ୍ୟୋତି। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚା ସହ ଏକ ବୈଠକରେ ମଧ୍ୟ ଯୋଗଦେଇଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି, ଗତବର୍ଷ ଦର୍ଶନ ପାଇଁ ଆସିଥିଲି। ହେଲେ ଏବେ ବର୍ଷକ ମଧ୍ୟରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ନୂଆ ରୂପ ଓ ଭବ୍ୟତା ଦେଖି ଖୁବ୍ ଖୁସି ଲାଗୁଛି । ଗତକାଲି ରାତିରେ କେନ୍ଦ୍ରମନ୍ତ୍ରୀ ପୁରୀରେ ପହଞ୍ଚି ହୋଟେଲ ମେ ଫେୟାରରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳ ପ୍ରାୟ ୭ଟାରେ ୱାଇ ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ନୟାଗଡ଼ ମହିଳା ମୋର୍ଚା ପ୍ରଭାରୀ ରଞ୍ଜିତା ପାଢ଼ୀ ଓ ଅନ୍ୟ ନେତାମାନେ ସ୍ୱାଗତ କରିବା ସହ ମହାପ୍ରଭୁଙ୍କ ପତିତପାବନ ବାନା ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର