ବୌଦ୍ଧ : ପୂର୍ବରୁ ଘର ନିର୍ମାଣ ସମୟରେ ନିଅଁ ପାଇଁ ସାଇଜ୍ ପଥର ବ୍ୟବହାର କରାଯାଉଥିଲା। ଏଥିପାଇଁ ନଦୀ ଭିତରୁ ପଥର ଫଟାଇ ସଂଗ୍ରହ କରାଯାଉଥିଲା। ଡଙ୍ଗାଏ ପଥରକୁ ଆଠଟଙ୍କାରେ ବିକ୍ରି ହେଉଥିଲା। ଏହା ଏବେ ବୌଦ୍ଧ ସହରବାସୀଙ୍କ ପାଇଁ କାଳ ସାଜିଛି। ମହାନଦୀର ବୌଦ୍ଧ ସହର ପଟ ଶଯ୍ୟା ବାଲିରେ ପୋତି ହୋଇଗଲା। ପାଣିର ସ୍ରୋତ ବୌଦ୍ଧ ସହର ପଟେ ନରହି ଅନ୍ୟ ପଟେ ରହୁଛି। ଫଳରେ ବୌଦ୍ଧବାସୀଙ୍କୁ ପାଣି ପାଇଁ ଏବେ ହନ୍ତସନ୍ତ ହେବାକୁ ପଡ଼ୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ମହାନଦୀରେ ବର୍ଷସାରା ଜଳ ପ୍ରବାହିତ ହେଉଥିଲା। ୧୯୮୨ର ପ୍ରଳୟଙ୍କରୀ ବନ୍ୟା ପରେ ୪୧ ବର୍ଷ ହେଲା ନଦୀ ଜଳ ପ୍ରବାହର ଗତିପଥ ବଦଳିଛି। ଫଳରେ ମହାନଦୀର ପାଣି ଧାର ଅନୁଗୁଳ ଜିଲ୍ଲା କିଆକଟା ପଟରେ ରହୁଛି। ବର୍ଷର ଅଧିକାଂଶ ସମୟ ବୌଦ୍ଧ କୂଳରେ କେବଳ ବାଲୁକାଶଯ୍ୟା ରହୁଛି, ଯାହା ସହରକୁ ଉତ୍ତପ୍ତ କରିବା ମୁଖ୍ୟ କାରଣ। ସହରର ପୁରୁଖା ବ୍ୟକ୍ତିଙ୍କ କହିବା ଅନୁସାରେ ବୌଦ୍ଧ ସହରର ଉପର ମୁଣ୍ଡ ନଦୀରେ ଏକ ବିରାଟ ପଥର ସହ ଚଟାଣ ରହିଥିଲା। ନଦୀ ସ୍ରୋତ ସେହି ପଥରରେ ଧକ୍କା ହେବା ଯୋଗୁଁ ବୌଦ୍ଧ କୂଳରେ ବର୍ଷ ସାରା ପାଣିର ଧାର ରହୁଥିଲା। ପୂର୍ବରୁ ପଥର ନିଅଁ ଉପରେ ଘର ତିଆରି କରାଯାଉଥିଲା। ନଦୀ ଗର୍ଭରେ ଥିବା ସେହି ବିରାଟ ପଥର ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରୁଥିଲା। ପଥର ଫଟାଇ ଡଙ୍ଗାରେ ଅଣାଯାଉଥିଲା। ଡଙ୍ଗାଏ ପଥରର ଦାମ୍ ଥିଲା ସାତରୁ ଆଠ ଟଙ୍କା।
କ୍ରମାଗତ ଭାବରେ ପଥର ଫଟାଇବା ଯୋଗୁଁ ଧୀରେ ଧୀରେ ବଡ଼ ପଥର ଓ ଚଟାଣ ଶେଷ ହୋଇଗଲା। ଯାହାର ଫଳ ଏବେ ସହରବାସୀ ଭୋଗୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୧୯୮୨ ବନ୍ୟାରେ କୌଣସି ପ୍ରତିବନ୍ଧକ ନଥିବାରୁ ବୌଦ୍ଧ କୂଳରେ ବାଲିଚର ମାଡ଼ିଗଲା। ସେହି ବର୍ଷଠାରୁ ବୌଦ୍ଧରେ ମହାନଦୀ ବାଲୁକାଶଯ୍ୟାର ରୂପ ନେଇଛି। ସହରବାସୀଙ୍କ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ କିଛି ବର୍ଷ ହେଲା ଅଭିନବ କୌଶଳ ଆପଣେଇଛି। ନଦୀ ଆରପଟରୁ ପୋକ୍ଲିନ ମେସିନ ସାହାଯ୍ୟରେ ବାଲି ଭିତରେ ଏକ କୃତ୍ରିମ ନାଳ ତିଆରି କରୁଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।