କୋଟିଆରେ ଉଡ଼ିଲା ୱାଇଏସ୍‌ଆର୍‌ କଂଗ୍ରେସ ଝଣ୍ଡା

କୋରାପୁଟ/ପଟାଙ୍ଗି: ନୂଆବର୍ଷର ପ୍ରଥମ ଦିନରେ କୋଟିଆରେ ରାଜନୀତିର ମଞ୍ଜି ବୁଣିଲା ଆନ୍ଧ୍ର। ୪ମାସ ପରେ ହେବାକୁ ଥିବା ନିର୍ବାଚନ ସମୟରେ ଏଠାରୁ ଭୋଟ ଉତ୍ପାଦନ ପାଇଁ ଯୋଜନା କରିଛି। ଏଥିପାଇଁ ଆନ୍ଧ୍ର ଏଜେଣ୍ଟ ଏବଂ ସମର୍ଥକ ଆଜି ଗାଁ ଗାଁ ବୁଲିଛନ୍ତି। ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସର ଝଣ୍ଡାକୁ ଉଡ଼ାଇବା ସହ ଦଳୀୟ ପ୍ରଚାର କରିଛନ୍ତି।

ନୂଆବର୍ଷ ପାଇଁ କୋଟିଆବାସୀ ଆଜି ଉତ୍ସାହିତ ରହିଥିଲା ବେଳେ ଆନ୍ଧ୍ରର ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସ ଅନୁପ୍ରବେଶ କରି ଆଭିମୁଖ୍ୟ ସ୍ପଷ୍ଟ କରିଛି। ଗତ ସାଧାରଣ ନିର୍ବାଚନରେ କୋଟିଆବାସୀ ଦୁଇ ରାଜ୍ୟ ପାଇଁ ଭୋଟ ଦେଇଥିଲେ। ତେଣୁ ଏଥର ବି କୋଟିଆବାସୀ ଆନ୍ଧ୍ର ପାଇଁ କେମିତି ଭୋଟ ଦେବେ ସେଥିପାଇଁ ଆନ୍ଧ୍ର ଏଜେଣ୍ଟ କିଛି ମାସ ହେଲା ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ଶାସକ ଦଳ ୱାଇଏସ୍‌ଆର୍‌ କଂଗ୍ରେସ ଏବେ ଠାରୁ କୋଟିଆରେ ପ୍ରଚାର ଆରମ୍ଭ କରିଛି। ଉପରସେମ୍ବୀ ଏବଂ ନେରେଡିବାଲାସା ମଧ୍ୟରେ ତଥା ଧୂଳିପଦର ଗାଁର ପ୍ରବେଶ ଛକରେ ଦଳୀୟ ପତାକା ଉଡ଼ାଇଛନ୍ତି। ସେଥିରେ ‘ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ହିଁ ଆମ ଭରସା’ ବୋଲି ତେଲୁଗୁରେ ଲେଖାଯାଇଛି।

କିଛି ଦିନ ତଳେ ଓଡ଼ିଶାର ପ୍ରକଳ୍ପକୁ ହାଇଜାକ୍‌ କରିବାକୁ ଆନ୍ଧ୍ର ନୂଆ ମନରେଗା ଫଳକ ସ୍ଥାପନ କରିଥିଲା। ଠିକ୍‌ ସେହି ଫଳକ ନିକଟରେ ହିଁ ପତାକାଗୁଡ଼ିକ ଉଡ଼ୁଥିବା ଦେଖିବାକୁ ମିଳିଛି। ତେଣୁ ସରକାର ଏବଂ ଶାସକ ଦଳର ପ୍ରଚାର ଏକାସଙ୍ଗେ କରିବା ନିମନ୍ତେ ଫଳକଗୁଡ଼ିକ ସ୍ଥାପନ ହୋଇଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ବୁଦ୍ଧିଜୀବୀଙ୍କ କହିବା ହେଲା ଏହା ଆରମ୍ଭ ମାତ୍ର, ଆଗକୁ ଆନ୍ଧ୍ରର ଅନ୍ୟ ରାଜନୈତିକ ଦଳ ମଧ୍ୟ କୋଟିଆରେ ଅନୁପ୍ରବେଶ କରିବେ। ଆନ୍ଧ୍ର ରାଜନୈତିକ ଦଳର ପ୍ରଚାର ମଇଦାନ କୋଟିଆ ହେବାକୁ ଯାଉଛି। ଯାହା କୋଟିଆ ପରିବେଶକୁ ଅଶାନ୍ତ କରିପାରେ ବୋଲି ଆଶଙ୍କା କରିଛନ୍ତି। ସେହିପରି ପ୍ରଥମ ଦିନରେ ଦୁଇଟି ପତାକା ଉଡ଼ିଛି। ଆଗକୁ ଅନ୍ୟ ଗାଁରେ ସମାନ ପତାକା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର