ନୂଆପଡ଼ା: ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ଆଜି ନୂଆପଡ଼ାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଆଜି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏଠାରେ ଦୋକାନ ବଜାର ବନ୍ଦ ରହିଛି। ଯାନବାହନ ଚଳାଚଳ ବି ବ୍ୟାହତ ହୋଇଛି। ଜିଲ୍ଲା ଶ୍ରମିକ ସଂଘର ଆବାହକ ଯଦୁମଣି ପାଣିଗ୍ରାହୀ ଓ ବରିଷ୍ଠ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ଶ୍ରମିକ ସଂଘ ପକ୍ଷରୁ ମରୁଡ଼ି ଓ ଦାଦନ ପ୍ରବଣ ଜିଲ୍ଲାର ବଡ଼ଭାଗ ଲୋକ ଦାଦନ ଶ୍ରମିକ, ମନରେଗା ଶ୍ରମିକ, ନିର୍ମାଣ ଶ୍ରମିକ ଓ ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର କଥା ଜିଲ୍ଲାର ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ଶୋଷଣ, କଷଣ, ଯାତନା ଯନ୍ତ୍ରଣା ବଢ଼ିବାରେ ଲାଗି, ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।
କେତେ ଦାଦନ ଶ୍ରମିକ ନିଖୋଜ, ମୃତ ଓ ବିକଳାଙ୍ଗ ହେଲେ ଶାସନ ଓ ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ। ମନରେଗା ଶ୍ରମିକ ମାନଙ୍କୁ ଠିକ୍ ଭାବରେ କାମ ମିଳୁନାହି କି ପାଉଣା ମିଳୁନଥିବା ବି ଅଭିଯୋଗ ହୋଇଚି। ଜିଲ୍ଲାରେ ଏକଲକ୍ଷ କୋଡ଼ିଏ ହଜାର ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ନବୀକରଣ, ପଞ୍ଜୀକରଣ ଓ କଲ୍ୟାଣ ଯୋଜନା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ସଂସ୍ଥା ହେଲେ ମଧ୍ୟ କେନ୍ଦୁପତ୍ର ତୋଳାଳି ଶୋଷଣର ଶିକାର ହେଉଛନ୍ତି। ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଜିଲ୍ଲା କ୍ୟାଡର ହଟେଇ ରାଜ୍ୟ କ୍ୟାଡର ଲାଗୁ କରିବା ଦ୍ୱାରା ଜିଲ୍ଲା ବାହାର ଲୋକ ଏଠାକାର ଚାକିରି ଲୁଟ ହେବା ସହିତ ଦାଦନ ଖଟିବା ପାଇଁ ବାଧ୍ୟ ହେଉଛନ୍ତି। ଜିଲ୍ଲାର ଅଣସଂଗଠିତ ବିଭିନ୍ନ ବର୍ଗର ଲକ୍ଷ ଲକ୍ଷ ଶ୍ରମିକଙ୍କ ହକ୍ ଦାବି
ହାସଲ ପାଇଁ ଧାରାବାହିକ ଭାବରେ ଅନେକ ଆନ୍ଦୋଳନ ଆଲୋଚନା କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏଣୁ ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ବାଧ୍ୟ ହୋଇ ଜିଲ୍ଲାର ଶ୍ରମିକ ବର୍ଗର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହିତ ଚାପ ସୃଷ୍ଟି କରିବାକୁ ସୋମବାର ଦିନ ଆଠ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।