ଭୁବନେଶ୍ବର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭୁବନେଶ୍ବର ଏମ୍ସ। ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିଣ୍ଟର୍ସ (ଏୟୁଏସ୍) ପ୍ରତିରୋପଣ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍ସ ୟୁରୋଲୋଜି ବିଭାଗର ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିବାରେ ସଫଳ ହୋଇଛନ୍ତି। ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଏଣିକି ଗୁରୁତର ମୂତ୍ର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ନୂତନ ଆଶା ସଂଚାର କରିଛି। ଏଣିକି ସେମାନଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚିକିତ୍ସକଙ୍କ ଅନୁସାରେ ପ୍ରୋଷ୍ଟେଟ୍ ସର୍ଜରି ଓ ମେରୁଦଣ୍ଡରେ ଆଘାତ ଆଦି ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ଫଳରେ ସେମାନଙ୍କ ଦୈନନ୍ଦିନ ଚାଲିଚଳଣି ପ୍ରଭାବିତ ହୋଇଥାଏ। କୃତ୍ରିମ ୟୁରିନାରି ସ୍ପିଣ୍ଟର୍ସ ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୂତ୍ରାଶୟରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ନିୟନ୍ତ୍ରଣ କରିଥାଏ। ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଓ ଅଧୀକ୍ଷକ ଡା. ଦିଲୀପ ପରିଡ଼ା ଏହି କୃତ୍ରିମ ୟୁରିନାରି ସ୍ପିଣ୍ଟର୍ସ ପ୍ରତିରୋପଣ ସେବା ଆରମ୍ଭରେ ବିଶେଷଜ୍ଞ ଡାକ୍ତରୀ ଦଳ ଓ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ରୋଗୀମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ସହାୟତା ଯୋଗାଇବାକୁ ଡାକ୍ତରଖାନା ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ୟୁରୋଲୋଜି ବିଭାଗର ମୁଖ୍ୟ ଡ. ପ୍ରଶାନ୍ତ ନାୟକ ଓ ସହକାରୀ ପ୍ରଫେସର ଡ. ସମ୍ବିତ ତ୍ରିପାଠୀଙ୍କ ମତରେ ଏହି ପ୍ରତିରୋପଣ ସେବା ଆରମ୍ଭ କରିବା ଉନ୍ନତ ଚିକିତ୍ସା ପ୍ରଦାନ କରିବା ଲାଗି ପ୍ରତିବଦ୍ଧତାର ପରିଚୟ।