ଭୁବନେଶ୍ୱର : ରାଜ୍ୟ ସରକାର ୪ଟି ଲୁହାପଥର ଓ ମାଙ୍ଗାନିଜ୍ ବ୍ଲକ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଲାମ ଲାଗି ସ୍ଥିର କରିଛନ୍ତି। ଏହା ରାଜ୍ୟର ପଞ୍ଚମ ପର୍ଯ୍ୟାୟ ଖଣିଜ ନିଲାମ ହେବ। ରାଜ୍ୟରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ନେତ୍ରବନ୍ଧ ପହର ପଶ୍ଚିମ ଲୁହାପଥର ବ୍ଲକ୍ ଏବଂ କେନ୍ଦୁଝରର ରେଙ୍ଗଲବେଡ଼ା ଉତ୍ତର-ପଶ୍ଚିମ ଲୁହାପଥର ବ୍ଲକ୍, ଉଞ୍ଚାବାଲି ଲୁହାପଥର ଏବଂ ମାଙ୍ଗାନିଜ୍ ବ୍ଲକ୍ ଓ କାଳିମାଟି ମାଙ୍ଗାନିଜ୍ ବ୍ଲକ୍କୁ ଏଥିପାଇଁ ତାଲିକାଭୁକ୍ତ କରାଯାଇଛି। ନେତ୍ରବନ୍ଧ ପହର ପ୍ରଥମ ପର୍ଯ୍ୟାୟ ନିଲାମରେ ସାମିଲ ହୋଇଥିବା ବେଳେ ସେହି ଲୁହାପଥର ବ୍ଲକ୍କୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ଲିମିଟେଡ୍ ପାଇଛି। ବର୍ତ୍ତମାନ ନେତ୍ରବନ୍ଧ ପହର ପଶ୍ଚିମ ଲୁହାପଥର ବ୍ଲକ୍ର ନିଲାମ କରାଯିବ। ଲୁହାପଥର ବ୍ଲକ୍ଗୁଡ଼ିକରେ ଉନ୍ନତମାନର ଖଣିଜ ସମ୍ପଦ ଥିବା ବେଳେ ଉଞ୍ଚାବାଲି ଏବଂ କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍ ବ୍ଲକ୍ରେ ସୀମତ ସଂଖ୍ୟକ ସମ୍ପଦ ମହଜୁଦ ରହିଛି। ଇତିମଧ୍ୟରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଏହି ୪ଟି ବ୍ଲକ୍ର ନିଲାମ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସରକାର ପ୍ରାକୃତିକ ଖଣିଜ ସମ୍ପଦର ନିଲାମ ପାଇଁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଇତିମଧ୍ୟରେ ୪ ପର୍ଯ୍ୟାୟରେ ଲୁହାପଥର, ମାଙ୍ଗାନିଜ୍ ଏବଂ ଚୂନପଥର ବ୍ଲକ୍ର ନିଲାମ କରିଛନ୍ତି। ଆସନ୍ତା ଜୁନ୍ ମାସରେ ୪ଟି ଖଣିଜ ବ୍ଲକ୍ର ନିଲାମ ହେବାକୁ ଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିବା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଜଣାଯାଇଛି।
ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ ନିଲାମରେ ୩ଟି ଲୁହାପଥର ବ୍ଲକ୍ ଯଥା ବେହେରା- ବାଞ୍ଜିପଲି, ଗରମୁରା ଏବଂ ଉସ୍କାଲ୍ଭାଗୁକୁ ସାମିଲ କରିଥିଲେ। ବରଗଡ଼ ଜିଲ୍ଲାର ବେହେରା-ବାଞ୍ଜିପଲି ବ୍ଲକ୍ରେ ୪.୩୬ ନିୟୁତ ଟନ୍ ଖଣିଜ ସମ୍ପଦ ମହଜୁଦ ଥିବା ବେଳେ କେନ୍ଦୁଝର ଜିଲ୍ଲାର ଗରମୁରା ବ୍ଲକ୍ରେ ୩.୮୮ ନିୟୁତ ଟନ୍ ଓ ମାଲକାନଗିରି ଜିଲ୍ଲାର ଉସ୍କାଲ୍ଭାଗୁ ବ୍ଲକ୍ରେ ୧୮୯.୫୨ ନିୟୁତ ଟନ୍ ଖଣିଜ ସମ୍ପଦ ମହଜୁଦ ଅଛି। ପୂର୍ବରୁ ଖୋଳାଯାଇଥିବା ଉସ୍କାଲ୍ଭାଗୁ ଖଣିର ସ୍ତର ଜି-୩ ଥିବା ବେଳେ ଅନ୍ୟ ଖଣି ବ୍ଲକ୍ଗୁଡ଼ିକର ସ୍ତର ଜି-୨ ରହିଛି। ଏହି ଖଣିଗୁଡ଼ିକ ପାଇଁ କୌଣସି ଖଣି ମାଲିକ ସେଭଳି ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି। ପ୍ରତ୍ୟେକ ଖଣି ବ୍ଲକ୍ ପାଇଁ ଗୋଟିଏ କରି ବିଡ୍ ଥିବାବେଳେ ୩ଟି ଚୂନପଥର ଖଣିକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଉଥରେ ନିଲାମ କରିବା ପାଇଁ ନିଷ୍ପତ୍ତି ହୋଇଛି। ଇ-ନିଲାମ ପ୍ରକ୍ରିୟାକୁ ଏସ୍ବିଆଇ କ୍ୟାପ୍ ପରିଚାଳନା କରୁଥିବା ବେଳେ ଏହି ସଂସ୍ଥାଟି ରାଜ୍ୟ ସରକାରଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛି। ଏସ୍ବିଆଇ କ୍ୟାପ୍ ସମଗ୍ର ଦେଶରେ ଖଣିଜ ନିଲାମ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରୁଛି।