କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ସାଞ୍ଜିରାମ ମାନିଲା: ସେ ହିଁ ହତ୍ୟାକାରୀ
ମେ’ ୭ ପର୍ଯ୍ୟନ୍ତ ବିଚାର ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସାଂଜିରାମ ଜେରାବେଳେ ତା’ର ଅପରାଧ ସ୍ୱୀକାର କରିଛି । ବନ୍ଦୀ ଅବସ୍ଥାରେ ଥିବା ନାବାଳିକାକୁ ତା’ର ପୁଅ ଦୁଷ୍କର୍ମ କରିଥିବାରୁ ପୁଅକୁ ରକ୍ଷା କରିବା ପାଇଁ ସେ ନାବାଳିକାକୁ ହତ୍ୟା କରିଥିବା କହିଛି। ସାଂଜିରାମ କହିଛି ଯେ ଦୁଷ୍କର୍ମ ହୋଇଥିବା ଜଣାପଡ଼ିବା ପରେ ସେ ଝିଅଟିକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। କେବଳ ନିଜ ପୁଅର ଭବିଷ୍ୟତ କଥା ଚିନ୍ତାକରି ସେ ଏଭଳି ଜଘନ୍ୟ ଅପରାଧ ଘଟାଇଥିଲା ବୋଲି ମାନିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟେପକ୍ଷରେ କଠୁଆ ମାମଲାର ବିଚାର କେଉଁଠି ହେବ ସେନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇପାରୁନି। ଜମ୍ମୁ କଶ୍ମୀର ହାଇକୋର୍ଟରେ ଏବେ ଉକ୍ତ ମାମଲାର ବିଚାରପ୍ରକ୍ରିୟା ଚାଲିଥିବା ବେଳେ ସୁପ୍ରିମକୋର୍ଟ ଆଜି ଏ ବାବଦ ଶୁଣାଣି ଉପରେ ମେ’ ୭ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ବିଚାରପ୍ରକ୍ରିୟାକୁ ଜମ୍ମୁ କଶ୍ମୀରରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ଘଟଣାରେ ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନ ନେଇ ସୁପ୍ରିମ୍ କୋର୍ଟ ଗତକାଲି ଶୁଣାଣି କରିଥିଲେ। ଆଜି ଏହି ବିଚାରପ୍ରକ୍ରିୟାକୁ ମେ’ ୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ସହ ଅଭିଯୁକ୍ତ ପକ୍ଷକୁ ମଧ୍ୟ ସେମାନଙ୍କ ମତ ରଖିବାର ସୁଯୋଗ ଦେବାକୁ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦୁ ମାଲହୋତ୍ରା ଆଜି କହିଛନ୍ତି ଯେ କୋର୍ଟ ପୀଡ଼ିତାଙ୍କ ବାପାଙ୍କ ଦ୍ୱାରା ବିଚାରପ୍ରକ୍ରିୟା ଚଣ୍ଡିଗଡ଼କୁ ସ୍ଥାନାନ୍ତର କରିବା ନେଇ ହୋଇଥିବା ଆବେଦନ ଏବଂ ଅଭିଯୁକ୍ତମାନଙ୍କ ଦ୍ୱାରା ବିଚାରପ୍ରକ୍ରିୟାରେ ସିବିଆଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଅନୁଧ୍ୟାନ କରିବେ।