ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ। ଜିଲ୍ଲାରେ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି ଏହି ନଦୀ। ବର୍ଷା ଦିନରେ ବର୍ଷା ଆସିଲେ ବନ୍ୟା ଭୟରେ ନିଦ ହଜିଯାଏ ୩୦ରୁ ଅଧିକ ଖଣ୍ଡ ଗ୍ରାମବାସୀଙ୍କର। ବିଗତ ଦିନ ମାନଙ୍କରେ ହୋଇଥିବା ବନ୍ୟାର କରାଳ ରୂପ ଲୋକଙ୍କ ଆଖିରୁ ଏବେ ବି ଲିଭି ନାହିଁ। ମହାନଦୀ କୂଳରେ ବୀରମହାରାଜପୁର ବ୍ଲକର ଉଫୁଲା ପଂଚାୟତର ଖମ୍ବେଶ୍ୱରିପାଲି, ଜଟେସିଙ୍ଗା ପଂଚାୟତର କେଉଟିପାଲି, ଗୋଧନେଶ୍ୱର,ସୁବଳୟା ପଂଚାୟତର ଆମ୍ବସରଭଟା, ଟେଭାପଦର, ବାଗବର ପଂଚାୟତର ବୁରୋଘାଟ, ନୂଆପାଲି, ନୂଆଗଡ, କୁମୁରସିଙ୍ଗା, ଦେଉଳି ପୀତାମହୁଲ ପଂଚାୟତର କୁଂଜାମହୁଲ, ଉଲୁଣ୍ଡା ବ୍ଲକର ଏସ.ପତ୍ରାପାଲି ପଂଚାୟତର କେଉଟିପାଲି, ପଂଚମହଲା ପଂଚାୟତର ଜଗନ୍ନାଥପାଲି, ନିମ୍ନା ପଂଚାୟତର ନିମ୍ନା, ଦଶରାଜପୁର, ତେଲେଣ୍ଡା, ବିଶିପଡା ପଂଚାୟତର ଖଲିଆପାଲି, ବଢିଲା, ନୂଆଗାଁ ମୁଣ୍ଡୋଘାଟ ପଂଚାୟତର ହିକୁଡି, ବିଜେପୁର, ମୁଣ୍ଡୋଘାଟ ମହଦା ପଂଚାୟତର ଝରାପଡା, ନାଚନିପଦର, ଆପଟନୁଆଗଡ, ବିନିକା ବିଜ୍ଞାପିତ ଅଂଚଳ ପରିଷଦର କୁଳପଡା, ମହାଦେବପାଲି ପଂଚାୟତର ଝରାପଡା ଆଦି ୩୦ଟି ଗାଁ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ମହାନଦୀ ନୁହେଁ ତେଲନଦୀ କୂଳରେ ଥିବା ଗ୍ରାମବାସୀ ମଧ୍ୟ ବର୍ଷାଋତୁରେ ଭୟଭୀତ ଅବସ୍ଥାରେ ଥାଆନ୍ତି। ତେଲନଦୀ କୂଳରେ ରହିଛି ହରଡଖୋଲ ପଂଚାୟତର ବୈଦ୍ୟନାଥ, ଛେପାପାଲି, ତରଭା ବ୍ଲକ ଅଂଚଳର ବା୍ରହ୍ମଣୀ ଓ କର୍ଲାମୁହାଣ। ଏହି ଗାଁ ଗୁଡିକ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଏହି ଗାଁ ଗୁଡିକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ଆଡିବନ୍ଧ କେତେକ ସ୍ଥାନରେ ନିର୍ମାଣ କାରାଯାଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ। ବିଭିନ୍ନ ସମୟର ବନ୍ୟା ଯୋଗୁଁ ଧନଜୀବନ ନଷ୍ଟ ହେବା ସହିତ କୃଷିକ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ଉପର ମୁଣ୍ଡରେ ବର୍ଷାହେଲେ ତଳମୁଣ୍ଡରେ ଥିବା ଏହି ଅଧିବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏପରିକି ସୋନପୁର ସହରର ଉଭୟ ମହାନଦୀ ଏବଂ ତେଲନଦୀ କୂଳରେ ରିଙ୍ଗରୋଡ ନିର୍ମାଣ କରାଯାଉଛି କିନ୍ତୁ ଅଦ୍ୟାବଧି ସରିନାହିଁ। ଏହି ରିଙ୍ଗ ରୋଡ ନିର୍ମାଣ ହେଲେ ସୋନପୁର ସହରକୁ ବନ୍ୟାଦାଉରୁ ରକ୍ଷା କରାଯାଇପାରିବ।
ରିଙ୍ଗରୋଡ ନିର୍ମାଣରେ ଶିଥିଳତା ଯୋଗୁଁ ଏହାକୁ ନେଇ ସାଧାରଣରେ ବିଷ୍ମୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଗତ ବର୍ଷ ମାନଙ୍କରେ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ଆଡିବନ୍ଧ ଗୁଡିକର ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଖରାପ। ଆଡିବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା ଯୋଗୁଁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି । ଆବଶ୍ୟକ ତଦାରଖର ଅଭାବ ଏବଂ ଠିକାଦାର ପୋଷା ନୀତି ଯୋଗୁଁ ଆଡିବନ୍ଧ ପାଇଁ ଆସୁଥିବା ଅନୁଦାନର ସଦ୍ ବିନିଯୋଗ ହେଉନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଆଗକୁ ବର୍ଷାଋତୁ ଆସିବା ପୂର୍ବରୁ ଏହି ନଦୀକୂଳିଆ ଗାଁ ଗୁଡିକ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।