ବର୍ଷା ଛାଡ଼ିଲା ଦୁର୍ଦ୍ଦଶା ବଢ଼ିଲା

ଲଘୁଚାପ ବର୍ଷାରେ ଶନିବାର ରାଜଧାନୀ ଭାସିଥିଲା। ଆଜି ବି ବହୁ ସ୍ଥାନରେ ଲୋକ ଜଳବନ୍ଦୀ ହୋଇଥିଲେ। କେତେକ କଲୋନି ଓ ତଳିଆ ଅଞ୍ଚଳରେ ଫୁଟେରୁ ଦୁଇ ଫୁଟ ଉଚ୍ଚରେ ପାଣି ଚାଲିଥିଲା। ବହୁ ବସ୍ତିରେ ଘର ଭାଙ୍ଗି ଯାଇଥିବାରୁ ଲୋକଙ୍କୁ ନିକଟସ୍ଥ କମ୍ୟୁନିଟି ହଲ୍‌ କିମ୍ବା ସ୍କୁଲ୍‌ ଘରେ ରଖାଯାଇଛି। କେହିକେହି ତ ମଶାଣିରେ ମୁଣ୍ଡ ଗୁଞ୍ଜିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଆସନ୍ତା ଦୁଇରୁ ତିନି ଦିନ ଯାଏଁ ଏଥିରେ ସୁଧାର ଆସିବନି। ଅପରପକ୍ଷେ ବିଏମ୍‌ସି ଓ ସ୍ଥାନୀୟ କର୍ପୋରେଟରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଓ ରିଲିଫ ବଣ୍ଟା କାର୍ଯ୍ୟ ଚାଲିଛି।

ବସ୍ତିରେ ସ୍ଥିତି ସାଂଘାତିକ, ୩୬ଟି ଅଞ୍ଚଳ ଜଳବନ୍ଦୀରୁ ମୁକୁଳିଲା

ଭୁବନେଶ୍ୱର: ବର୍ଷା ପରେ ବସ୍ତି ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇଛି। ଭୁବନେଶ୍ୱର ଓ୍ଵାନ ଅପରେସନ୍‌ ସେଣ୍ଟରକୁ ଆସିଥିବା ଗତକାଲିର ଅଭିଯୋଗକୁ ଆଜି ସକାଳ ସୁଦ୍ଧା ସମାଧାନ କରାଯାଇଥିଲା। ୬୨ଟି ଅଞ୍ଚଳକୁ ଜଳବନ୍ଦୀରୁ ମୁକୁଳା ଯାଇଥିଲା। ଆଜି ୪୪ଟି ସ୍ଥାନରେ ପାଣି ଜମିଥିବା ଅଭିଯୋଗ ଆସିଥିବା ବେଳେ ୩୬ଟି ମାମଲାର ସମାଧାନ କରାଯାଇଛି। ଆଜି ବିଏମ୍‌ସିର ୧୩ଟି ସବ୍‌ଜୋନ୍‌ର ନୋଡାଲ ଅଧିକାରୀ, ୪୦ଜଣ ଇଞ୍ଜିନିୟର, ଦୁଇଟି ଜେସିବି, ୫ଟି ସେସପୁଲ୍‌ ଗାଡ଼ି, ତିନିଟି ସଫେଇ ସଂସ୍ଥାର ୧୦୫୦ କର୍ମଚାରୀ, ଅଗ୍ନିଶମ ବିଭାଗର ୧୮ଟି ବିଏମ୍‌ସିର ୭ଟି ପମ୍ପ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଅଗ୍ନିଶମ ବିଭାଗର ୧୦ଟି ଟିମ୍‌ ଏଥିରେ ନିୟୋଜିତ ହୋଇଥିଲା। ଅନ୍ୟ ଓ୍ଵାର୍ଡରେ କର୍ପୋରେଟରମାନଙ୍କୁ ଖାଦ୍ୟ ବାଣ୍ଟିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଏବେ ବି ପାଣି ଘେରରେ ଆତ୍ମାରାମ ବସ୍ତିବାସିନ୍ଦା
ଜୟଦେବବିହାରସ୍ଥିତ ଆତ୍ମାରାମ ବସ୍ତିବାସିନ୍ଦା ଏବେ ବି ପାଣିଘେରରେ ଦିନ କାଟୁଛନ୍ତି। ଯେତେ ପାଣି ବାହାର କଲେ ବି ଘର ଶୁଖୁନି। ଘର ଚଟାଣରୁ ଝର ସୃଷ୍ଟି ହୋଇଛି। ତେଣୁ ଏବେ ବି ଲୋକଙ୍କ ଘରେ ଫୁଟେ ଉଚ୍ଚର ପାଣି ଜମିଛି। ରୋଷେଇ ତ ଦୂରର କଥା ଶୋଇବାକୁ ଜାଗା ନାହିଁ। ପୁଣି ଘର ଭିତରେ ମଇଳା ପାଣିର ଦୁର୍ଗନ୍ଧ ସାଙ୍ଗକୁ ପୋକଜୋକ ଯୋଗୁଁ ନାକେଦମ ହେବାକୁ ପଡ଼ିଛି। ବସ୍ତିର ୫୦ରୁ ଊର୍ଦ୍ଧ୍ୱ ଘରେ ଥିବା ୩ଶହ ଲୋକ ପାଣି ଭିତରେ ଦୁର୍ବିସହ ଜୀବନ କାଟୁଛନ୍ତି। ବର୍ତ୍ତମାନ ଆତ୍ମାରାମ ଆଶ୍ରମ ଲୋକଙ୍କ ସାହାରା ପାଲଟିଛି। ସ୍ଥାନୀୟ କର୍ପୋରେଟ୍‌ ସେଠାରେ ଗତ ୨ଦିନ ହେବ ଲୋକମାନକୁ ଖାଇବାକୁ ଦେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ୨୫ ବର୍ଷ ଭିତରେ କେବେ ବି ଏଭଳି ସ୍ଥିତି ହୋଇ ନଥିଲା। ଶୁକ୍ରବାର ରାତି ୩ଟାରେ ଶୋଇଥିବା ଅବସ୍ଥାରେ ଚାହୁଁଚାହୁଁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଗଲା। କିଛି କରିବାକୁ ଭାବିବା ଆଗରୁ ପାଣି ଅଣ୍ଟା ଛୁଇଁଥିଲା। ପାଖରେ ଥିବା ୩ନଂ ନାଳ ପାଚେରି ବୁଡ଼ି ପାଣି ବସ୍ତି ଆଡ଼କୁ ମାଡ଼ି ଆସିଲା। ଜୀବନ ବିକଳରେ ପିଲାଙ୍କୁ ଧରି ବାହାରକୁ ଚାଲି ଆସିଲୁ। କିନ୍ତୁ ଆଖି ଆଗରେ ଘରୁ ଜିନିଷ ପତ୍ର ପାଣି ସୁଅରେ ଭାସିଗଲା। ଘରେ ଥିବା ଖାଦ୍ୟ, ବହିପତ୍ର ନଷ୍ଟ ହୋଇଗଲା। ଓଦା ଲୁଗାରେ ଦିନ କଟୁଛି। ଦୁଇ ଦିନ ପରେ ସ୍କୁଲ୍‌ ଖୋଲିବ। ସେମାନେ କେମିତି ପଢ଼ିବେ? ତାହା ଏବେ ଚିନ୍ତାର ବିଷୟ ବୋଲି କହିଛନ୍ତି ବସ୍ତିବାସୀ।

ମୁଁ ବୁଡ଼ିଯିବି ଲୋ ବୋଉ…
ଘରେ ବେକେ ପାଣି। କେମିତି ଯିବି, କୁଆଡ଼େ ଯିବି ? ମୁଁ ବୁଡ଼ିଯିବି ଲୋ ବୋଉ…। ଗତକାଲି ବର୍ଷା ତାଣ୍ଡବ ରଚାଉଥିବା ବେଳେ ଆଚାର୍ଯ୍ୟ ବିହାର ୮୮/୭ ପ୍ଲଟ୍‌ରୁ ଶୁଭିଥିଲା ଜଣେ ନିର୍ବୋଧ ବାଳକ ଓମ୍‌ର ଏହି ବିକଳ ଡାକ। ବିକଳରେ ଓମ୍‌ ଘରର ଉପର ମହଲାକୁ ଉଠି ଯାଉଥିଲା। ଅଥଚ ସେପଟୁ ତାଙ୍କୁ ଦୁଆର କିଳି ଦେଇଥିଲେ ଖୋଦ୍‌ ତାଙ୍କ ପରିବାର ଜଣେ ସଦସ୍ୟ। ବାପା ଓ ବଡ଼ ବାପାଙ୍କ ଭିତରେ ମନୋମାଳିନ୍ୟ ଯୋଗୁଁ ବିଚରା ଏହି କୋମଳମତି ଶିଶୁଟି ଫସି ଯାଇଥିଲା। ଆଜି ବିଏମ୍‌ସି କାର୍ଯ୍ୟାଳୟକୁ ଆସି ଦୁଃଖ ଜଣାଇବା ବେଳେ ଏକଥା ବଖାଣୁ ବଖାଣୁ କାନ୍ଦି ପକାଇଥିଲେ ଓମ୍‌ଙ୍କ ମା’ ବବିତା ଦାସ। ଏନେଇ ଯକୃତ ରୋଗରେ ପୀଡ଼ିତ ଓମ୍‌ଙ୍କ ବାପା ପ୍ରକାଶ ଚନ୍ଦ୍ର ଦାସ ସହିଦନଗର ଥାନାକୁ ଯାଇଥିଲେ। ତାଙ୍କ ବଡ଼ ଭାଇ ଉପର ଘରେ ରହିବାକୁ ଦେଉନଥିବାରୁ ନ୍ୟାୟ ପାଇଁ ଗୁହାରି କରିଥିଲେ। କିନ୍ତୁ ନିରାଶ ହେବାରୁ ବିଏମ୍‌ସି କାର୍ଯ୍ୟାଳୟକୁ ଆସି ଦୁଃଖ ଜଣାଇଥିଲେ। ପ୍ରକାଶଙ୍କର ଯେ ଘର ନାହିଁ ସେ କଥା ନୁହେଁ; ମାତ୍ର ୨ ମହଲା ଥାଇ ବି ଭାଇ ଭାଇ ଭିତରେ ବିବାଦ ଯୋଗୁଁ ଜଣେ ନିରୀହ ପିଲାକୁ ହଇରାଣ ହେବାକୁ ପଡ଼ିଲା। ପ୍ରକାଶଙ୍କ ଘରେ ଥିବା ସମସ୍ତ ଆସବାବ ଓ ପିଲାଙ୍କ ବହିପତ୍ର ବି ପାଣିରେ ଏକଦମ ଧୋଇ ଯାଇଥିଲା। ପ୍ରକାଶଙ୍କ କହିବା ମୁତାବକ, ତାଙ୍କଠାରୁ ଲକ୍ଷେ ଟଙ୍କା ନେଇ ଉପର ମହଲାରେ ଘର ଦେବାକୁ ତାଙ୍କ ଭାଇ ସମ୍ମତି ଜଣାଇଥିଲେ। କିନ୍ତୁ ତାହା କଲେ ନାହିଁ। ଉପରେ ତାଙ୍କ ଭାଇ ଗୋଟେ ଘର ଭଡ଼ା ଲଗାଇଥିଲେ ବି ତାଙ୍କୁ ଘର ଦେଉନଥିବା କଥା ସେ କାନ୍ଦିକାନ୍ଦି ବୟାନ କରିଥିଲେ। ଏବେ କାଜୁ ଭାଙ୍ଗି ଓ ବିରି ବାଟି ଚଳୁଥିବା ପ୍ରକାଶଙ୍କ ଘର ପଙ୍କରେ ପରିପୂର୍ଣ୍ଣ ଥିବାରୁ ବିଏମ୍‌ସି ପକ୍ଷରୁ ତାଙ୍କୁ ଘାଟିକିଆସ୍ଥିତ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଆଶ୍ରୟ ଦିଆଯାଇଛି।

ବର୍ଷା ଆଣିଲା ଧନୁଆରେ ବନ୍ୟା
ବାଲିପାଟଣା: ବାଲିପାଟଣା ବ୍ଲକରେ ସପ୍ତାହକ ମଧ୍ୟରେ ୩୫୦.୬ମିମି ବର୍ଷା ହୋଇ ସାରିଲାଣି। ବର୍ଷା ଛାଡ଼ି ଯାଇଛି। ମାତ୍ର ଦୁର୍ଦଶା ବଢ଼ିଯାଇଛି। ତଳିଆ ଅଞ୍ଚଳରେ ପାଣି ଜମି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପରେ ଧନୁଆରେ ପ୍ରଥମ ବନ୍ୟା ଆସିଛି। ବାଲିପାଟଣା ଓ ବାଲିଅନ୍ତା ବ୍ଲକର ପ୍ରାୟ ସମସ୍ତ ଡ୍ରେନ୍‌ ଧନୁଆରେ ମିଶିଥିବାରୁ ଗହୀରରୁ ବର୍ଷାଜଳ ଧନୁଆକୁ ନିଷ୍କାସନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀରେ ବନ୍ଧ ନଥିବାରୁ ବନ୍ୟାଜଳ ନଦୀକୂଳରେ ଥିବା ଶହଶହ ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି। ବାଲିପାଟଣା ବ୍ଲକରେ ମୋଟ ୯୮୧୦ ହେକ୍ଟର ଚାଷ ଜମିରୁ ୪୫ ଶହ ହେକ୍ଟରରେ ଧାନ ରୁଆ ଓ ବୁଣା ହୋଇଥିଲା। ପ୍ରାଥମିକ ରିପୋର୍ଟ ମୁତାବକ ସେଥିରୁ ୨୮୦୦ ହେକ୍ଟର ରୁଆ ଓ ବୁଣା ଧାନଚାଷ ପ୍ରଭାବିତ ହୋଇଛି। ଏଥିସହ ୩୪୦ ହେକ୍ଟର ତଳି କିଆରି ବି ବୁଡ଼ି ରହିଛି। ମୋଟ ୬ହଜାର୨ଶହ ହେକ୍ଟର ଧାନଚାଷ ସଂପୂର୍ଣ୍ଣ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଖାଲି ସେତିକି ନୁହେଁ, ୩୫୦ଶହ ହେକ୍ଟର ଉଦ୍ୟାନ ଚାଷ ବି ପ୍ରଭାବିତ ହୋଇଛି। ବିଶେଷ ଭାବେ ପୋଟଳ, କଖାରୁ, ବାଇଗଣ, ଭେଣ୍ଡି, କଦଳୀ, ଅମୃତଭଣ୍ଡା, ଝୁଡ଼ଙ୍ଗ, ଜହ୍ନି, କାକୁଡ଼ି ଆଦି ପରିବା କିଆରିରେ ପଚିଗଲାଣି। ବହୁସ୍ଥାନରେ ରାସ୍ତାଘାଟ ଭାଙ୍ଗିବା ସହ ଘାଇ ବି ହୋଇଛି। ରାଜସ, ଆଳିଶିଶାସନ ଓ ଗାରେଡ଼ିପାଞ୍ଚଣ ପଞ୍ଚାୟତରେ ବହୁ ରାସ୍ତା ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବାଲିପାଟଣା ବିଡିଓ ରଶ୍ମିରେଖା ଦାସ ସୂଚନା ଦେଇଛନ୍ତି। ବର୍ଷା ଯୋଗୁଁ ବ୍ଲକରେ ମୋଟ ୧୮ଟି କଚ୍ଚାଘର ଓ ୩ଟି ଗୁହାଳ ଆଂଶିକ ଭାଙ୍ଗିଥିବା ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର ସୂଚନା ଦେଇଛନ୍ତି।

ପ୍ରଥମ ଦିନ ସ୍ଥାନୀୟ କର୍ପୋରେଟର୍‌ ଆସି ଚୁଡ଼ା ବିସ୍କୁଟ୍‌ ଦେଇଥିଲେ। ତେବେ ଦୁଇ ଦିନ ହେଲା ମଶାଣିର ଜଗାରଖା ଦାୟିତ୍ୱରେ ଥିବା ରଞ୍ଜନା ଦେଈ ସେମାନଙ୍କ ଖାଇବା କଥା ବୁଝୁଛନ୍ତି। ସେମାନଙ୍କୁ ରୋଷେଇ କରିବା ପାଇଁ ସେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଯେଉଁମାନେ ମଶାଣିରେ ଅଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଜରିପାଲ ଯୋଗାଇ ଦିଆଯିବ। ତେବେ ସତ୍ୟକାଳୀ ବସ୍ତିରେ କିଛି ଲୋକ ବେଆଇନ୍‌ ଭାବେ ରହୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର