ଏପ୍ରିଲ ୧୩ପର୍ଯ୍ୟନ୍ତ ୧୫ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କଲେ ଉତ୍ତରପ୍ରଦେଶ ସରକାର
ନୋଏଡା: ନୋବେଲ କରୋନାଭାଇରସ୍ ବିସ୍ତାରକୁ ରୋକିବା ସହ ରାଜ୍ୟରେ ଥିବା ହଟସ୍ପଟକୁ ଭଲ ଭାବରେ ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ ସରକାର ୧୫ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଆଜି ରାତି ୧୨ଟାରୁ କାର୍ଯ୍ୟକାରୀ ହେବ ଏବଂ ଏପ୍ରିଲ ୧୩ପର୍ଯ୍ୟନ୍ତ ଜାରି ରହିବ | ସମସ୍ତ ଜରୁରୀ ସେବା ଘରେ ପହଂଚିବ ଏବଂ କାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ। କର୍ଫ୍ୟୁ ପାସ୍ ମଧ୍ୟ ସମୀକ୍ଷା କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୧୫ଟି ଜିଲ୍ଲା ହେଉଛି ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ, ଗୌତମ ବୁଦ୍ଧ ନଗର (ନୋଏଡା), କାନପୁର, ବାରାଣାସୀ, ଶାମଲି, ମେରଟ, ବରେଲି, ବୁଲନ୍ଦଶହର, ଫିରୋଜାବାଦ, ମହାରାଜଗଞ୍ଜ, ସୀତାପୁର, ସାହାରନପୁର ଏବଂ ବସ୍ତି |ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଆସନ୍ତା ଏପ୍ରିଲ 13 ରେ ଏହି ନିଷ୍ପତ୍ତିର ସମୀକ୍ଷା କରିବେ।
ବୁଧବାର ଦିନ ଉତ୍ତରପ୍ରଦେଶର ୩୭ଟି ଜିଲ୍ଲାରୁ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ଟି ତବଲିଗି ଜମାତ ସହିତ ଜଡିତ | ଏପର୍ଯ୍ୟନ୍ତ ୟୁପି କର୍ତ୍ତୃପକ୍ଷ ଜମାତ ସହ ଜଡିତ ୧,୬୦୦
ଲୋକଙ୍କୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ୧,୨୦୦ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି |ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ବସ୍ତି, ମେରଟ ଏବଂ ବାରାଣାସୀରୁ ତିନୋଟି କରୋନାଭାଇରସଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି।