୮୦% ଜମି ନ ଦେଲେ ରେଳ ପ୍ରକଳ୍ପ ଆରମ୍ଭ ହେବନି
ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ, ସାକ୍ଷୀଗୋପାଳ ଷ୍ଟେସନର ନୂଆ ବିଲଡିଂ ଲୋକାର୍ପିତ
ଓଡ଼ିଶାରେ ରେଳ ପ୍ରକଳ୍ପ ବିଳମ୍ବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଦାୟୀ: ଧର୍ମେନ୍ଦ୍ର
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ରାଜ୍ୟ ସରକାର ମାତ୍ର ୩୦% ଜମି ଅଧିଗ୍ରହଣ କରିବା ପରେ କହୁଛନ୍ତି ପ୍ରକଳ୍ପ ଆରମ୍ଭ କର। ଯେତିକି ଜମି ମିଳୁଛି ସେଥିରେ କାମ କଲେ ବି ଠିକ୍ ସମୟରେ ଆବଶ୍ୟକ ଜମି ମିଳୁନି। ଫଳରେ ନିର୍ଦ୍ଧାରିତ ସମୟରେ କାମ ସରୁନି। ଏହାବାଦ୍ ଯେତିକି ଅର୍ଥ ବରାଦ ହେଉଛି ସେତିକିରେ କାମ ଆରମ୍ଭ କଲେ ବି ପ୍ରକଳ୍ପ ଶେଷ ହେଲା ବେଳକୁ ବରାଦ ଅର୍ଥର ବହୁଗୁଣା ଖର୍ଚ୍ଚ ହେଉଛି। ରେଲେଓ୍ଵର ବହୁ ପ୍ରକଳ୍ପ ବିଳମ୍ବରେ ଶେଷ ହେଉଥିବାରୁ ନିଷ୍ପତ୍ତି ନିଆଯାଇଛି ଯେ, କୌଣସି ପ୍ରକଳ୍ପ ହେବା ପୂର୍ବରୁ ରାଜ୍ୟ ସରକାର ଏହାର ୮୦% ଜମି ଅଧିଗ୍ରହଣ କରି ଦେବେ। ଯେଉଁଠି ୮୦% ଜମି ମିଳିବ ସେଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଏହାଠାରୁ କମ୍ ଜମି ମିଳିଲେ ପ୍ରକଳ୍ପ ଆରମ୍ଭ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ।
ଆଜି ଭୁବନେଶ୍ୱର ଷ୍ଟେସନରେ ଦ୍ୱିତୀୟ ପ୍ରବେଶ ପଥ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାକ୍ଷୀଗୋପାଳ ରେଳଷ୍ଟେସନର ନୂତନ ବିଲଡିଂକୁ ଲୋକାର୍ପିତ କରିବା ଅବସରରେ ଶ୍ରୀ ଗୋହେନ କହିଲେ ଯେ, ରେଳ ମନ୍ତ୍ରଣାଳୟ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଗୁରୁତ୍ୱ ଦେଉଛି। ପ୍ରକଳ୍ପ କାର୍ଯ୍ୟକାରୀରେ ଜମି ଅଧିଗ୍ରହଣ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ରେଲେଓ୍ଵର ବିକାଶ ପାଇଁ ସରକାରଙ୍କର ଅର୍ଥର ଅଭାବ ନାହିଁ। ଯଦି କୌଣସି ପ୍ରକଳ୍ପ ହୋଇପାରିବନି ତେବେ ସେଥିପାଇଁ ଅର୍ଥର ଅଭାବ ନୁହେଁ, ଆମର ଦକ୍ଷତା ଅଭାବ ବୋଲି କୁହାଯିବ। ଏହାସହ ଯାତ୍ରୀଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ଅତ୍ୟାଧୁନିକ ରେଳ କୋଚ୍ ନିର୍ମାଣ ହେଉଛି। ଏବେ ଦେଶର ସମସ୍ତ ରେଳ ଷ୍ଟେସନକୁ ଆଧୁନିକୀକରଣ କରିବାକୁ ଯୋଜନା ହୋଇଛି ବୋଲି ରେଳ ରାଷ୍ଟ୍ର ମନ୍ତ୍ରୀ କହିଥିଲେ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ କହିଲେ, ପୂର୍ବରୁ ରେଳ ମନ୍ତ୍ରଣାଳୟ ଓଡ଼ିଶାରୁ ଯେତିକି ରାଜସ୍ୱ ପାଉଥିଲା ସେହି ଅନୁଯାୟୀ ଅନୁଦାନ ଦେଉନଥିଲା। କିନ୍ତୁ ସାଢ଼େ ତିନି ବର୍ଷରେ ଏହି ସ୍ଥିତି ବଦଳିଛି। ୨୦୧୨-୧୩ରେ ଓଡ଼ିଶାକୁ ୮୧୨ କୋଟି ଟଙ୍କା ମିଳିଥିବାବେଳେ ୨୦୧୭-୧୮ରେ ୫,୧୦୨କୋଟି ଟଙ୍କା ମିଳିଛି। ସାଢ଼େ ତିନିବର୍ଷରେ ଯେଉଁ ହାରରେ ଓଡ଼ିଶାକୁ ଅନୁଦାନ ମିଳୁଛି ତାହା ଖର୍ଚ୍ଚ ହୋଇପାରୁନି। ଅର୍ଥ ଫେରିଯାଉଛି। ସେହିପରି ଭୁବନେଶ୍ୱରକୁ କେନ୍ଦ୍ରବିନ୍ଦୁ କରି ଓଡ଼ିଶାର ସଡ଼କ, ରେଳ ଓ ଆକାଶପଥ ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ କରାଯିବ। ରାଜଧାନୀର ଭିଡ଼ ନିୟନ୍ତ୍ରଣ ପାଇଁ ଦୁଇଟି ରିଙ୍ଗରୋଡ୍ ଯୋଜନା ହୋଇଥିବା ବେଳେ ଦ୍ୱିତୀୟ ବିମାନବନ୍ଦର ପାଇଁ ଜମି ମଗାଯାଇଛି। ଭୁବନେଶ୍ୱର ରେଳଷ୍ଟେସନ ଦେଇ ଯେପରି ମାଲ୍ବାହୀ ଟ୍ରେନ୍ ଯାତାୟତ ନକରିବ ସେଥିପାଇଁ ଚନ୍ଦକା ରାସ୍ତାରେ ନୂଆ ରେଳ ଲାଇନ୍ ବିଛାଇବା ପାଇଁ ସର୍ଭେ କରିବାକୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବାରଙ୍ଗ ପଛପାର୍ଶ୍ୱରୁ ଏହି ଟ୍ରେନ୍ ଲାଇନ୍ ବିଛାଇ ଖୋର୍ଦ୍ଧା ରୋଡ୍ରେ ମିଶାଇବାକୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱର ରେଳଷ୍ଟେସନର ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ଲାଟଫର୍ମ ୧ରୁ ୬କୁ ସଂଯୋଗ କରି ୬ମିଟର ଓସାରର ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ। ଏହାକୁ ୨୦୧୮ରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ବର୍ତ୍ତମାନ ରାଜ୍ୟରେ ବହୁ ରେଳ ପ୍ରକଳ୍ପ ବିଳମ୍ବ ହେବା ନେଇ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଏଥିପାଇଁ ଉଭୟ ରେଳ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ଦାୟୀ। ରେଳ ମନ୍ତ୍ରଣାଳୟ ପ୍ରକଳ୍ପ ଆଗେଇବାକୁ ଯେପରି ପଦକ୍ଷେପ ନେବା ଦରକାର ସେପରି ନେଉନାହିଁ। ଏହାବାଦ୍ ରାଜ୍ୟ ସରକାର ବି ଯେପରି ସହଯୋଗ କରିବା କଥା କରୁନାହାନ୍ତି।
ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଖୋର୍ଦ୍ଧାରୋଡ୍ର ଡିଭିଜିନାଲ ରେଲେଓ୍ଵ ମ୍ୟାନେଜର ବ୍ରିଜ ମୋହନ ଅଗ୍ରଓ୍ଵାଲ ଧନ୍ୟବାଦ ଦେଇଥିଲେ। ବିଜେପି ନେତା ଜଗନ୍ନାଥ ପ୍ରଧାନ ମଞ୍ଚରେ ବସିଥିଲେ।
ଆଜି ଉଦ୍ଘାଟନ ହୋଇଥିବା ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ପାଇଁ ୧କୋଟି ୯୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା କଟକ ରୋଡ୍ ପାର୍ଶ୍ୱରୁ ରେଳ ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସହାୟକ ହେବ। ଏହି ନୂତନ ବିଲଡିଂରେ ବୁକିଂ କାଉଣ୍ଟର ଲବି, ଦ୍ୱିତୀୟ ଶ୍ରେଣୀ ପ୍ରତୀକ୍ଷା ଗୃହ, ଉଚ୍ଚ ଶ୍ରେଣୀ ପ୍ରତୀକ୍ଷା ଗୃହ, ଫୁଡ୍ ପ୍ଲାଜା, ଟିସିଆଇ ଅଫିସ୍, ଭିନ୍ନକ୍ଷମଙ୍କ ପାଇଁ ଶୌଚାଳୟ, ଦେୟ ଯୁକ୍ତ ଶୌଚାଳୟ ଆଦି ଉପଲବ୍ଧ ଅଛି। ସାକ୍ଷୀଗୋପାଳ ଷ୍ଟେସନରେ ନିର୍ମାଣ ହୋଇଥିବା ନୂତନ ଷ୍ଟେସନ ବିଲଡିଂ ପାଇଁ ୧.୫୫କୋଟି ଖର୍ଚ୍ଚ ହୋଇଛି। ଏଠାରେ ପିଆରଏସ୍, ପ୍ରତୀକ୍ଷା ଗୃହ, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, ସର୍କୁଲେଟିଂ ଅଞ୍ଚଳ ଆଦି ରହିଛି।
ମନ୍ତ୍ରୀ,ବିଧାୟକ, ସାଂସଦ କେହି ଆସିଲେନି
ଭୁବନେଶ୍ୱର ଷ୍ଟେସନରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଡକାଯାଇଥିଲେ ହେଁ କେହି ଆସିନଥିଲେ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଅନୁପସ୍ଥିତ ରହୁଥିବାବେଳେ ଆଜି ଏହାର ପୁନରାବୃର୍ତ୍ତି ହୋଇଥିଲା। ଏହାର ସୁଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଜେପି ନେତା ତଥା ଗତ ନିର୍ବାଚନରେ ଭୁବନେଶ୍ୱର (ମଧ୍ୟ)ରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନଙ୍କୁ ମଞ୍ଚରେ ବସାଇଥିଲେ। ହେଲେ ଦୁଇ ମନ୍ତ୍ରୀ କି କୌଣସି ଅଧିକାରୀ ଅତିଥିଙ୍କୁ ସମ୍ବୋଧନ କରିବା ସମୟରେ ତାଙ୍କ ନାମ ନେଇ ନଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କେବଳ ଥରଟେ ଶ୍ରୀ ପ୍ରଧାନଙ୍କ ନାମ ଧରିଥିଲେ।
ସେହିପରି ସାକ୍ଷୀଗୋପାଳ ଷ୍ଟେସନର କାର୍ଯ୍ୟକ୍ରମକୁ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଡକାଯାଇଥିଲେ ହେଁ ଦୁଇ ଜଣ ଯାକ ଆସିନଥିଲେ। ବିଜେଡିର କୌଣସି ମନ୍ତ୍ରୀ, ସାଂସଦ, ବିଧାୟକ କାର୍ଯ୍ୟକ୍ରମରେ ଯୋଗ ନଦେବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏନେଇ ମୋ ପାଖରେ କିଛି ଉତ୍ତର ନାହିଁ।