ମାର୍ଗଶିର ମାସ, କୃଷ୍ଣପକ୍ଷ ନବମୀରେ ମହିଳାମାନେ ଷଠୀଦେବୀଙ୍କର ଗୋଟିଏ ପୂଜା କରିଥାଆନ୍ତି। ଏହା ‘କାଞ୍ଜି ଅଁଳା ଓଷା’ର ପୂଜା। ଏଥିରେ ଗୋଟିଏ ଓଷାପୋଖରୀ ଖୋଳି, ସେଠାରେ ବାଳୁଙ୍ଗା ଧାନ, ସାରୁ, କୋଇଲେଖା(କୋଇଲିଖିଆ), ଦାସକେରେଣ୍ଡା ଆଦି ଗଛ ରଖାଯାଏ। ତା’ ନିକଟରେ, ସାତଟି ପିତାଶୁଖୁଆକୁ ହଳଦି ପାଣିରେ ଗାଧୋଇ, ସିନ୍ଦୂର ଓ କଜ୍ଜ୍ୱଳ ଲଗାଇ, ବୋହୂପରି ହଳଦି ବା ଲାଲ ରଙ୍ଗର କନା ପିନ୍ଧାଇ ରଖାଯାଏ। ଭାତ ଓ କାଞ୍ଜି ସହିତ, ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦି ପଡ଼ି ଛଅ ପ୍ରକାରର ତରକାରୀ, ଛଅପ୍ରକାରର ପିଠା ଆଦି ବାଢ଼ି ପୂଜା କରାଯାଏ। ଏଥିରେ ଭୋଗ ହେଉଥିବା କାଞ୍ଜିରେ ଅଁଳା ପଡ଼ୁଥିବାରୁ ଏବଂ ଏହା କୃଷ୍ଣ ନବମୀ ତିଥିର ଓଷା ହୋଇଥିବାରୁ, ଏହାର ନାମ ‘କାଞ୍ଜିଅଁଳା ନବମୀ’ ବା ‘କାଞ୍ଜିଅଁଳା ଓଷା’।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଓଷାର କାହାଣୀ ଅତ୍ୟନ୍ତ ରୋଚକ। ସାଧବଘର ସାନ ବୋହୂ ରୋଷେଇ କରିବାକୁ ଯାଇ ଦେଖିଲା, ଘରେ ପରିବା ନାହିଁ। ପଡ଼ିଶାଘର ଦୋ’ସମାଳିରୁ କଖାରୁଟିଏ ଚୋରେଇ ଆଣି ରାନ୍ଧିଲା। ତାହା ଜାଣି ପଡ଼ିଶା ଘରର ସ୍ତ୍ରୀଲୋକ, କଖାରୁ ଚୋରାଇଥିବା ଲୋକର ପିଲାଏ ମରନ୍ତୁ ବୋଲି ଅଭିଶାପ ଦେଲା। ଫଳରେ, ସାଧବ ସାନବୋହୂ ସାତଥର ଗର୍ଭବତୀ ହୋଇ ସାତପୁଅଙ୍କୁ ଜନ୍ମ ଦେଲେ ମଧ୍ୟ, ଷଠୀ ଦେବୀ ପ୍ରତିଥର ତାଙ୍କୁ ନେଇଗଲେ। ଶେଷରେ ଅଷ୍ଟମ ଗର୍ଭରେ ଝିଅଟିଏ ହେଲା। ଷଠୀ ଦେବୀ ସାଧବ ସାନବୋହୂର ଦୁଃଖ ଜାଣି ବୁଢ଼ୀ ବେଶରେ ଆସି ତା’ ପାଖରେ ପହଞ୍ଚିଲେ। ସେ ପଡ଼ିଶା ଘରର କଖାରୁ ଚୋରିକରି ଥିବାରୁ ଅନୁତାପ କରୁଛି ବୋଲି ଜାଣି, ତାକୁ ସଦୟ ହେଲେ। ଶେଷରେ ବିଧି ଅନୁସାରେ ଷଠୀ ଦେବୀଙ୍କର କାଞ୍ଜିଅଁଳା ଓଷା କରିବାରୁ, ସାନବୋହୂ ସାତପୁଅଙ୍କୁ ଓ ଝିଅକୁ ଫେରିପାଇଲା।
ଉଭୟ କାଞ୍ଜି ଓ ଅଁଳା ଶୀତଦିନର ସ୍ୱାସ୍ଥ୍ୟପାଇଁ ଉପଯୋଗୀ। କାଞ୍ଜି ଲଘୁପାକ ଓ ଅରୁଚି ନିବାରକ। ପୁଣି ଏଥିରେ ଖାଦ୍ୟସାର (ଖ), ଲୌହ ଓ କ୍ୟାଲ୍ସିୟମ୍ ଆଦି ଥାଏ। ଏଣୁ ଶୀତଦିନରେ ଓଠକଡ଼ ଫାଟିବାରୁ ଏହା ରକ୍ଷାକରେ। ଶୀତଦିନିଆ ବାୟୁ ଓ କଫ ବିକାର ମଧ୍ୟ ଏହାଦ୍ୱାରା ନାଶ ହୁଏ। ଏହାଛଡ଼ା ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦିର ତରକାରୀ ମଧ୍ୟ ଶୀତଦିନରେ ଆମ ଶରୀରପାଇଁ ଅତିଉପଯୋଗୀ। ଏଣୁ କାଞ୍ଜିଅଁଳା ଓଷା କଥା ଆମକୁ କେବଳ ନୀତିଶିକ୍ଷା ଦିଏ ନାହିଁ, ଏଥିରୁ ଆମକୁ ସ୍ୱାସ୍ଥ୍ୟରକ୍ଷାର ମୂଲ୍ୟବାନ ବାର୍ତ୍ତା ମଧ୍ୟ ମିଳିଥାଏ।