ବ୍ରହ୍ମପୁର ସହରରେ ଅଣଓଡ଼ିଆ ଚୋର, ଲୁଟେରାଙ୍କ ଦୌରାତ୍ମ୍ୟ
ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦିନକୁ ଦିନ ଅଣଓଡ଼ିଆ ଚୋର, ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ବର୍ଷରେ କର୍ଣ୍ଣାଟକରୁ ଆସିଥିବା ଏକ ଠକ ଗ୍ୟାଙ୍ଗ୍ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ବାରମ୍ବାର ସୁନା ଲୁଟ୍ କରି ଚାଲିଥିଲେ। ଏହାପରେ ଗତ କିଛିଦିନ ତଳେ ଛତିଶଗଡ଼ରୁ ଆସିଥିବା ଲୁଟେରା ଗ୍ୟାଙ୍ଗ୍ ବଡ଼ ବଜାରର ଦୁଇଟି ସୁନା ଦୋକାନରୁ ଲୁଟ୍ କରିଛନ୍ତି। ଏମାନଙ୍କୁ ପୁଲିସ କାବୁ କରିଛି। ଏବେ ପୁଣି ଏକ ଅଣଓଡ଼ିଆ ମହିଳା ଠକ ଗ୍ୟାଙ୍ଗ୍ ସହରରେ ଘୁରି ବୁଲୁଛନ୍ତି। ନକଲି ସୁନା ଦେଇ ଅଭିନବ ଉପାୟରେ ଠକେଇ କରୁଥିବା ଜଣେ ମହିଳାଙ୍କୁ ବଡ଼ ବଜାରର ସୁନା ବ୍ୟବସାୟୀମାନେ କାବୁ କରି ପୁଲିସ ଜିମା ଦେବା ପରେ ଏହି ଗ୍ୟାଙ୍ଗ୍ର କାରନାମା ସାମ୍ନାକୁ ଆସିଛି। ବଡ଼ ବଜାର ଥାନା ପୁଲିସ କେସ୍ ନମ୍ବର ୩/୨୧ରେ ଅଭିଯୁକ୍ତ ମହିଳା ଅନୁ ଯାଦବ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନୁଙ୍କ ଘର ବନାରସ ଜିଲ୍ଲା ଲୋହଟା ଥାନା ଇଲାକାରେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଗତ ୩୦ତାରିଖରେ ଜଣେ ମହିଳା ବଡ଼ ବଜାରରେ ଥିବା କେଶବ ଜୁଏଲାରିକୁ ଯାଇଥିଲେ। ସେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ପୁରୁଣା ସୁନା ଚେନ୍ ଓ ମୁଦି ଦେଇ ନୂଆ ଅଳଙ୍କାର କିଣିବା ପାଇଁ ଦୋକାନୀଙ୍କୁ କହିଥିଲେ। ଏହାପରେ ପୁରୁଣା ସୁନା ଯାଞ୍ଚ କରାଯାଇଥିଲା। ସେଥିରେ ସୁନାର ପତଳା ଆସ୍ତରଣ ଦିଆଯାଇଥିବାରୁ ତାହା ଅସଲି ବୋଲି କାରିଗର କହିଥିଲେ। ଫଳରେ ମହିଳା ଜଣକ ପୁରୁଣା ଅଳଙ୍କାର ବଦଳ କରି ନୂଆ ଚେନ୍ ଓ ମୁଦି ନେଇଥିଲେ। କିନ୍ତୁ ପରେ ଲ୍ୟାବ୍ରେ ଯାଞ୍ଚ ବେଳେ ସେହି ପୁରୁଣା ସୁନା ନକଲି ବୋଲି ଜଣାପଡ଼ିଥିଲା। ସେହି ମହିଳା ଜଣକ ଯିବାର ପ୍ରାୟ ଅଧଘଣ୍ଟା ପରେ ପୁଣିଥରେ ଜଣେ ମହିଳା ଦୋକାନରେ ପହଞ୍ଚିଥିଲେ। ସେ ମଧ୍ୟ ହିନ୍ଦୀରେ କଥା ହେଉଥିବା ବେଳେ ସମାନ ଢ଼ଙ୍ଗରେ ପୁରୁଣା ସୁନା ବଦଳ କରି ନୂଆ ଅଳଙ୍କାର ନେବା ପାଇଁ କହିଥିଲେ। ଏଥିରେ ଜୁଏଲାରି ମାଲିକଙ୍କୁ ସନ୍ଦେହ ହୋଇଥିଲା। ମହିଳାଙ୍କୁ କିଛି ସମୟ ପାଇଁ ଅପେକ୍ଷା କରିବାକୁ କହିଥିଲେ। ମହିଳା ଜଣକ ସେଠାରେ କିଛି ସମୟ ରହିବା ପରେ ହଠାତ୍ କୁଆଡ଼େ ଉଭାନ୍ ହୋଇ ଯାଇଥିଲେ। ତାଙ୍କର କଳା କାରନାମା ଜଣା ପଡ଼ିଯାଇଥିବା ଭାବି ମହିଳା ଜଣକ ସେଠାରୁ ଖସି ପଳାଇଥିବା କୁହାଯାଉଛି। ଲ୍ୟାବ୍ରେ ପରୀକ୍ଷା ପରେ ସେହି ସୁନା ମଧ୍ୟ ନକଲି ବୋଲି ଜଣାପଡ଼ିଥିଲା।
ଶନିବାରର ସମ୍ପୃକ୍ତ ମହିଳା ଜଣକ ବଡ଼ ବଜାର ଅଞ୍ଚଳରେ ଥିବା ଅନ୍ୟ ଏକ ସୁନା ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ ବ୍ୟବସାୟୀମାନେ ତାଙ୍କୁ ଚିହ୍ନଟ କରି କାବୁ କରିଥିଲେ। ପରେ ମହିଳାଙ୍କୁ ପୁଲିସ ଜିମା ଦିଆଯାଇଥିଲା। ଏ ନେଇ କେଶବ ଜୁଏଲାରି ମାଲିକ ପି. ସତ୍ୟନାରାୟଣ ସେନାପତି ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ମହିଳା ଗୋଟିଏ ଗ୍ୟାଙ୍ଗ୍ର ବୋଲି ପୁଲିସ ଅନୁମାନ କରୁଛି। ପ୍ରଥମ ମହିଳାଙ୍କ ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରି ନାହିଁ। ଗିରଫ ହୋଇଥିବା ମହିଳା ଜଣକ ମଧ୍ୟ କିଛି ସ୍ପଷ୍ଟ ତଥ୍ୟ ଦେଉ ନାହାନ୍ତି। ଫେରାର୍ ମହିଳାଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।