ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ପଥରରେ ଛେଚି ହତ୍ୟା ସନ୍ଦେହ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ରାସ୍ତାକଡ଼ ନର୍ସରି ଭିତରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ନର୍ସରି ଭିତରେ ଥିବା ବିଦ୍ୟୁତ୍ ଗ୍ରିଡ୍ ପଛପଟେ ତିଆରି ହୋଇଥିବା ଅର୍ଦ୍ଧନିର୍ମିତ ନାଳ ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି କିଛି ଲୋକ ଜିଆର୍ପି ଅଧିକାରୀ ସୀତାରାମ ସୁନାନୀ ଓ କଣ୍ଟାବାଞ୍ଜି ଟାଉନ ଥାନା ପୁଲିସ ଅଧିକାରୀ ସତ୍ୟଜିତ କନ୍ଦନକେଲଙ୍କୁ ସୂଚନା ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଓ ମୃତଦେହ ସାରା ପୋଡ଼ା ଚିହ୍ନ ଭଳି ଦାଗ ଦେଖିବାକୁ ମିଳିଥିଲା। ମୁହଁ ବିକୃତ ହୋଇଯାଇଥିବାରୁ ତାଙ୍କ ପରିଚୟ ମିଳି ପାରି ନାହିଁ। ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏହି ନର୍ସରି ଘଞ୍ଚ ଜଙ୍ଗଲ ସଦୃଶ ହୋଇଥିବାରୁ ଏଠାରେ ଲୁଟ୍ପାଟ ସହିତ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥାଏ।