ଭୁବନେଶ୍ବର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନ ବ୍ୟବସ୍ଥା’ର ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର୍ଯ୍ୟ ସହଜ ହେବ। ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଆଜି ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା କମ୍ ସମୟ ଉପଯୋଗ ହେବା ସହ କାର୍ଯ୍ୟରେ ସ୍ବଚ୍ଛତା ଅଣାଯାଇପାରିବ। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ କରୁଥିବା ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଅନୁଷ୍ଠାନମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଶାପ୍ରକଟ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ, ଇଚ୍ଛୁକ ଥିବା ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଏକ ହଜାର ଟଙ୍କା ଦେଇ ପ୍ରଥମେ ନିଜ ଅନୁଷ୍ଠାନର ନାମ ଓ ସେମାନଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଅନ୍ଲାଇନ୍ ପଞ୍ଜୀକରଣ କରିଛନ୍ତି। ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଚୂଡ଼ାନ୍ତ ତାଲିକାରେ ରଖାଯାଉଛି। ଅଦ୍ୟାବଧି ପ୍ରାୟ ୧୬୦୦ରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୟନ ହୋଇଛନ୍ତି। ଏହି ବ୍ୟବସ୍ଥା ଅନୁସାରେ କ୍ରମାନ୍ବୟରେ ଗୋଟିଏ ଅନୁଷ୍ଠାନ ବା ସାଂସ୍କୃତିକ ଦଳକୁ କାର୍ଯ୍ୟକ୍ରମ ଦିଆ ନଯାଇ ନିୟମିତ ଆବର୍ତ୍ତନ ଭିତ୍ତିରେ କାର୍ଯ୍ୟକ୍ରମ ଦିଆଯିବ। ଏହା ଦ୍ବାରା ସାଂସ୍କୃତିକ ଦଳ ପରିଚାଳନାରେ ସମାନତା ଓ ସ୍ବଚ୍ଛତା ଆସିପାରିବ। କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଦଳଗୁଡ଼ିକୁ ଶୀଘ୍ର ପ୍ରାପ୍ୟ ପ୍ରଦାନ ମଧ୍ୟ ସହଜ ହେବ ବୋଲି ଶ୍ରୀ ପାଢ଼ୀ କହିଥିଲେ।
ନୂଆ ବ୍ୟବସ୍ଥା ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନକାରୀ ଅନୁଷ୍ଠାନ ଓ ସବୁ କଳାକାର କଳା ପ୍ରଦର୍ଶନର ସମାନ ସୁଯୋଗ ପାଇପାରିବେ ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ବିଭାଗର ଉପସଚିବ ସଞ୍ଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।