ମୟୂରଭଞ୍ଜରେ ଥମୁନି ହାତୀ-ମଣିଷ ଲଢ଼େଇ: ୨ ମାସରେ ଗଲାଣି ୧୦ ଜୀବନ
ଦୁଇଦିନରେ ଆଖି ବୁଜିଲେଣି ୨ ହାତୀ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ବର୍ଷ ଧରି ଜାରି ରହିଥିବା ହାତୀ- ମଣିଷ ଲଢ଼େଇ ଥମିବାର ନାଁ ନେଉନି। ଗଲା ୨ ମାସରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ଜୀବନ ଯାଇଛି। କେବଳ ଯେ ମଣିଷଙ୍କ ଜୀବନ ଯାଉଛି ତା ନୁହେଁ, ଗତ ୨ ଦିନରେ ଜିଲ୍ଲାରେ ୨ଟି ହାତୀଙ୍କ ମୃତ୍ୟୁ ହେଲାଣି। ହାତୀ ମୃତ୍ୟୁ ବାବଦରେ ବନ ବିଭାଗ ମୁହଁ ଖୋଲୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବାରିପଦା ବନଖଣ୍ଡରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ। ଏହି ବନଖଣ୍ଡ ସତେ ଯେମିତି ଝାଡ଼ଖଣ୍ଡ ହାତୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ୫ ବର୍ଷ ପୂର୍ବେ ଝାଡ଼ଖଣ୍ଡରୁ ଯେଉଁ ହାତୀପଲ ଆସିଛନ୍ତି ଆଉ ଫେରିବାର ନ ଧରୁନାହାନ୍ତି। ଏହି ପଲରେ ମୋଟ ୭୦ଟି ହାତୀ ଅଛନ୍ତି। ସେଥିମଧ୍ୟରୁ ୩୦ଟି ମାଈ, ୩୨ଟି ଦନ୍ତା ଓ ୮ଟି ଛୁଆ ହାତୀ ଥିବା କୁହାଯାଉଛି। ପ୍ରଥମେ ଗୋଟିଏ ଦଳରେ ବୁଲୁଥିବା ଏହି ହାତୀଗୁଡ଼ିକ ଗତ ୬ ମାସ ହେବ ଭାଗ ଭାଗ ହୋଇ ବୁଲୁଛନ୍ତି। ଗାଁ ଆଖପାଖରେ ଖାଦ୍ୟ ମିଳି ଯାଉଥିବାରୁ ଜଙ୍ଗଲକୁ ଫେରୁନାହାନ୍ତି। ଜନବସତି ପାଖରେ ରହୁଥିବାରୁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ଗତ ୬ ମାସରେ ହାତୀ ଆକ୍ରମଣରେ ଜିଲ୍ଲାର ୩୨ ଜଣଙ୍କ ଜୀବନ ଗଲାଣି।