ଲକ୍ଷ୍ୟରୁ ବିଚ୍ୟୁତ ଦକ୍ଷତା ତାଲିମ, ୧୫ ଲକ୍ଷଙ୍କୁ ଦକ୍ଷତା ତାଲିମ ଘୋଷଣା ପ୍ରହସନ
୪ବର୍ଷରେ ମାତ୍ର ୫.୭୮ ଲକ୍ଷଙ୍କୁ ତାଲିମ, ୧୩ ମାସରେ ୯ ଲକ୍ଷ ତାଲିମ ସମ୍ଭବ ତ?
ଭୁବନେଶ୍ୱର : ଦକ୍ଷତା ବିକାଶ ମାଧ୍ୟମରେ ଓଡ଼ିଶାର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରଦାନ କରିବା ଲାଗି ଆରମ୍ଭ ହୋଇଥିଲା ‘ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ’। ଲକ୍ଷ୍ୟ ଥିଲା, ପ୍ରତିବର୍ଷ ଓଡ଼ିଶାର ଦୁଇ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା। ୨୦୧୪-୧୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୮-୧୯ ସୁଦ୍ଧା ୧୦ ଲକ୍ଷ ୩୮ ହଜାର ୩୦୧ଜଣ ଯୁବକ ଯୁବତୀଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର। ପ୍ରଥମ ୫ବର୍ଷରେ ସଫଳତା ଆଧାରରେ ୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ବର୍ଷକୁ ୩ଲକ୍ଷ ହିସାବରେ ୫ବର୍ଷରେ ୧୫ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା ଲାଗି ନୀଳ ନକ୍ସା ପ୍ରସ୍ତୁତ ହୋଇଥିଲା। ରାଜ୍ୟ ସରକାରଙ୍କ ୧୦ରୁ ଅଧିକ ବିଭାଗ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇ ତାଲିମ ଦେଇ ଚାଲିଥିଲେ। ପରିଣାମ ସ୍ବରୂପ ୨୦୧୯-୨୦ରେ ୩ ଲକ୍ଷ ୨୭ ହଜାର ୮୧୫ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଥିଲା। ମାତ୍ର ଏହାପରେ ସବୁ କିଛି ବିଗିଡ଼ି ଯାଇଛି। ୩ ବର୍ଷ ହେଲା ଏହି ତାଲିମ କାର୍ଯ୍ୟକ୍ରମ ଏକପ୍ରକାର ବାଟବଣା ହୋଇଛି। ୩ ଲକ୍ଷ ଦୂରର କଥା, ପ୍ରତିବର୍ଷ ଲକ୍ଷେ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରିବା କଷ୍ଟକର ହୋଇପଡ଼ିଲାଣି। ଲକ୍ଷ୍ୟ ୧୫ ଲକ୍ଷ ଥିବା ବେଳେ ଏବେ ସୁଦ୍ଧା ମାତ୍ର ୫ ଲକ୍ଷ ୭୮ ହଜାର ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଉଛି। ଧାର୍ଯ୍ୟ ସମୟ ସରିବାକୁ ଆଉ ମାତ୍ର ୧୩ ମାସ ଥିବା ବେଳେ ରାଜ୍ୟ ସରକାର କିଭଳି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତଥ୍ୟ କହୁଛି ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ୧୦ଟି ବିଭାଗ ଦ୍ବାରା ପରିଚାଳିତ ହେଉଛି। ଯେଉଁଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, କୃଷି, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ପର୍ଯ୍ୟଟନ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଏମ୍ଏସ୍ଏମ୍ଇ ବିଭାଗ ରହିଛି। କାର୍ଯ୍ୟକ୍ରମର ପ୍ରଥମ ୫ବର୍ଷରେ ବେଶ ସଫଳତା ମିଳିଥିଲା। ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ ୨୭ ହଜାର ୮୧୫ଜଣଙ୍କୁ ତାଲିମ ଦିଆଯାଇଥିଲା। ଏହା ପରବର୍ଷ ଅର୍ଥାତ୍ କରୋନା ମଧ୍ୟରେ ୨୦୨୦-୨୧ରେ ୭୬ ହଜାର ୧୪୨, ୨୦୨୧-୨୨ରେ ୧ ଲକ୍ଷ ୩ ହଜାର ୮ଜଣଙ୍କୁ ତାଲିମ ମିଳିଥିଲା। ଚଳିତ ଆର୍ଥିକ ବର୍ଷ ତଥା ୨୦୨୨-୨୩ରେ ଏବେ ସୁଦ୍ଧା ମାତ୍ର ୭୧ ହଜାର ୮୩୫ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗ ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ ବହନ କରିଥାନ୍ତି। ତେଣୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗତ ୪ବର୍ଷରେ ୫୯କୋଟି ୭୯ଲକ୍ଷ ୨୮ ହଜାର ୫୩୭ ଟଙ୍କା ବ୍ୟୟ କରିଛି।
ନିଯୁକ୍ତି ସୁଯୋଗରୁ ବଞ୍ଚିତ ଯୁବବର୍ଗଙ୍କୁ ଶିଳ୍ପ ସଂସ୍ଥାରେ କାମ ଯୋଗାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା କହୁଛନ୍ତି। ବିଶେଷ କରି ଅଧିକ ଶ୍ରମିକ ଆବଶ୍ୟକ କରୁଥିବା ଔଷଧ ଶିଳ୍ପ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଦକ୍ଷତା ବିକାଶ କରିବାକୁ ପ୍ରାଥମିକତା ଦିଆଯାଉଥିବା ନିଜ ଇସ୍ତାହାରରେ ଉଲ୍ଲେଖ କରୁଛନ୍ତି। ଏଭଳି କରାଯିବା ଦ୍ୱାରା ରାଜ୍ୟ ବାହାରକୁ କର୍ମ ସଂସ୍ଥାନ ପାଇଁ ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ରୋକାଯାଇପାରିବ। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ଉପରୋକ୍ତ ତଥ୍ୟକୁ ଜଣାପଡ଼ୁଛି। ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ରାଜ୍ୟ ସରକାର ଖଣିଜ ଶିଳ୍ପରେ ବ୍ୟାପକ ନିଯୁକ୍ତିକୁ ପ୍ରୋତ୍ସାହନ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହି ଶିଳ୍ପରେ ଜ୍ଞାନକୌଶଳର ବ୍ୟବହାର ଯୋଗୁଁ କମ୍ ସଂଖ୍ୟକ ଲୋକ କର୍ମ ସଂସ୍ଥାନ ପାଉଛନ୍ତି। ଫଳରେ ନିଯୁକ୍ତି ପାଇଁ ଏବେ ଅନ୍ୟାନ୍ୟ କ୍ଷେତ୍ର ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ରସାୟନିକ, ପ୍ଲାଷ୍ଟିକ ଓ ପେଟ୍ରୋ କେମିକାଲ୍ସ, ଇଲେକଟ୍ରୋନିକ୍ସ, ବୟନ ଶିଳ୍ପ ଆଦି ଉପରେ ଫୋକସ କରାଯାଉଛି। ଏସବୁ କ୍ଷେତ୍ରରେ ଅଧିକ ସଂଖ୍ୟାରେ ଶ୍ରମିକ ଆବଶ୍ୟକ ଥିବାରୁ ସେମାନେ ବ୍ୟାପକ ସଂଖ୍ୟାରେ ଦକ୍ଷ ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ପାରିବେ। କରୋନା ପରବର୍ତ୍ତୀ ସମୟରେ ତାଲିମ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ୨୦୨୩-୨୪ରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।