ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଚାଷୀ ଦାମୀ କାର କିଣିବା ପ‌ରେ ବିବାହ ପାଇଁ ଖୋଜୁଛନ୍ତି କନ୍ୟା

ନୂଆଦିଲ୍ଲୀ: ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ସାଧାରଣଲୋକ ଟମାଟୋ ଖାଇବା ଛାଡ଼ି ଦେଇଛନ୍ତି। ତେବେ ଟମାଟୋ ଦର ବୃଦ୍ଧି କିଛି ଚାଷୀଙ୍କୁ ମାଲାମାଲ କରି ଦେଇଛି । ଟମାଟୋ ବ୍ୟବସାୟ କରି କିଛି ଚାଷୀ କୋଟିପତି ଓ ଲକ୍ଷପତି ହୋଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ଏହି କ୍ରମରେ କର୍ଣ୍ଣାଟକର ଜଣେ ଟମାଟୋ ଚାଷୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହି ଟମାଟୋ ଚାଷୀଙ୍କ ନାମ ରାଜେଶ ବୋଲି ଜଣାପଡ଼ିଛି। ରାଜେଶ ପାଖାପାଖି ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ । ଠିକ ଟମାଟୋ ଉତ୍ପାଦନ ସମୟରେ ଏହାର ଦର ବୃଦ୍ଧି ପାଇବାରେ ଲାଗିଥିଲା। ଫଳରେ ରାଜେଶ ତାଙ୍କ ଜମିରୁ ଉତ୍ପାଦନ ହୋଇଥିବା ଟମାଟୋ ବିକ୍ରି କରି ପ୍ରାୟ ୪୦ ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି ।

ଏହି ଘଟଣାକୁ ନେଇ ରାଜେଶ କହିଛନ୍ତି, ‘ ଟମାଟୋ ଦର ବୃଦ୍ଧ ‌ମୋ ଭାଗ୍ୟ ଖୋଲି ଦେଇଛି। ଟମାଟୋ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ପାରିଛି। ଯଦ୍ବାରା ମୁଁ ନିକଟରେ ଏକ  ଏସୟୁଭି କାର୍ ମଧ୍ୟ କିଣିଛି।

ଯଦି ଟମାଟୋ ଦର ଏହିଭଳି ଭାବେ ବୃଦ୍ଧି ହୋଇ ରୁହେ ତେବେ ମୁଁ ଏକ କୋଟି ଟଙ୍କାରୁ ଅଧିକ ଆୟ କରିପାରିବି ବୋଲି ଆଶା ରଖିଛି। କାରଣ ଏଯାବତ ମୋର ଅଧା ଅମଳ ବିକ୍ରି ହୋଇଛି। ଏହାରି ଭିତରେ ମୁଁ ବିବାହ ପାଇଁ ଝିଅ ଟେ ଖୋଜୁଛି। କାରଣ ପୂର୍ବରୁ ଘରଲୋକ ବିବାହ ପାଇଁ କହୁଥିଲେ ହେଁ ମୁଁ ରାଜି ନଥିଲି। କାରଣ ପର ଝିଅଟିକୁ ବାହା ହୋଇ ଆଣିବି। ତାର ଆବଶ୍ୟକତା ଯଦି ପୂରା କରି ପାରିବି ନାହିଁ ସେ ମୋତେ ଦୁଇକଥା କହିବ। ତେଣୁ ମୁଁ ଘରେ କହିଥିଲି ମୁଁ ଆର୍ଥିକ ଭାବେ ସୁଦୃଢ଼ ହେଲେ ଯାଇ ବିବାହ କରିବି। ଏବେ ଭାବୁଛି ବାହା ହୋଇ ଝିଅଟେ ଆଣିଲେ ତାର ସବୁ ଆବଶ୍ୟକତା ମୁଁ ପୂରଣ କରି ପାରିବି।’

ସମ୍ବନ୍ଧିତ ଖବର