ଲଗାତାର ୫ ଦିନ ହେଲା ବଢ଼ୁଛି ତେଲ ଦର: ମାଲକାନଗିରିରେ ପେଟ୍ରୋଲ ୧୧୦, ଡିଜେଲ ୧୦୬ ଟପିଲା

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଲଗାତାର ୫ ଦିନ ହେଲା ଏହି ଦୁଇ ଇନ୍ଧନ ଦରକୁ କମ୍ପାନି ଗୁଡ଼ିକ ବଢ଼ାଇ ଚାଲିଛନ୍ତି। ଫଳରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ନୂଆ ରେକର୍ଡ କରିଚାଲିଛି। ଶନିବାରା ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା ଏବଂଡିଜେଳ ଦର ୩୫ ପଇସା ବଢ଼ିଛି। ଏଥିଯୋଗୁ ଦେଶର ପ୍ରଥମ ମହାନଗର ଭାବେ ମୁମ୍ବାଇରେ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଛି। ମୁମ୍ବାଇରେ ଆଜି ‌ଡିଜେଲ ଦର ୧୦୦ ଟଙ୍କା ୨୯ ପଇସାରେ ପହଞ୍ଚି ଥିବାବେଳେ ଦିଲ୍ଲୀରେ ୯୨ ଟଙ୍କା ୪୭ ପଇସା ରହିଛି। ଚେନ୍ନାଇରେ ଡିଜେଲ ଦର ୯୬ ଟଙ୍କା ୯୩ ପଇସା ଥିବାବେଳେ କୋଲକାତାରେ ୯୫ ଟଙ୍କା ୫୮ ପଇସା ରହିଛି। ସେହିଭଳି ମୁମ୍ବାଇରେ‌ ପେଟ୍ରୋଲ ଦର ୧୦୯ ଟଙ୍କା ୮୩ ପଇସା ଛୁଇଁଥିବାବେଳେ ଦିଲ୍ଲୀରେ ୧୦୩ ଟଙ୍କା ୮୪ ପଇସା ଛୁଇଁଛି। ଏଥିସହିତ କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୨ ପଇସା ଏବଂ ଚେନ୍ନାଇରେ ୧୦୧ ଟଙ୍କା ୨୭ ପଇସାରେ ପହଞ୍ଚିଛି।

ଭୁବନେଶ୍ବରରେ ବି ତେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଦର ୧୦୪ ଟଙ୍କା ୭୭ରେ ଏବଂ ଡିଜେଲ ଦର ୧୦୦ ଟଙ୍କା ୮୭ ପଇସା ଛୁଇଁଛି। ସେହିଭଳି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୧୦ ଟଙ୍କା ୩୩ ପଇସା ଏବଂ ଡିଜେଲ ଦର ୧୦୬ ଟଙ୍କା ୨୫ ପଇସାରେ ପହଞ୍ଚି ରେକର୍ଡ କରିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପ୍ରଭାବରେ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ବିକ୍ରି ମୂଲ୍ୟ ବଢ଼ାଇ ଚାଲିଥିବା କୁହାଯାଉଛି। ଓପେକ୍ ଓ ଏହାର ସହଯୋଗୀ ଦେଶଗୁଡ଼ିକ ଅଶୋଧିତ ତେଲ ଉତ୍ପାଦନ ଦୈନିକ ୦.୪ ନିୟୁତ ବ୍ୟାରେଲରୁ ଅଧିକ ବଢ଼ାଇବେ ନାହିଁ ବୋଲି ନିଷ୍ପତ୍ତି ଶୁଣାଇବା ପରେ ଦର ଅଧିକ ମାତ୍ରାରେ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୨ ଡଲାର ଅତିକ୍ରମ କରିଛି। ମାସକ ପୂର୍ବରୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୨ ଡଲାର ରହିଥିଲା। ଗତମାସ ୨୮ ତାରିଖରୁ ‌‌ପେଟ୍ରୋଲ ଏବଂ ୨୪ ତାରିଖରୁ ଡିଜେଲ ଦର ବଢ଼ିବାରେ ଲାଗିଛି। ଜୁଲାଇ ଏବଂ ଅଗଷ୍ଟ ମାସରେ କମ୍ପାନି ଗୁଡ଼ିକ ମୂଲ୍ୟରେ କିଛି ହ୍ରାସ ଘୋଷଣା କରିଥିଲେ। କିନ୍ତୁ ତାହା ପୂର୍ବରୁ ମେ ୪ ତାରିଖରୁ ଜୁଲାଇ ୧୭ ତାରିଖ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୧ ଟଙ୍କା ୪୪ ପଇସା ଏବଂ ଡି‌ଜେଲ ଦର ଲିଟର ପିଛା ୯ ଟଙ୍କା ୧୪ ପଇସା ବୃଦ୍ଧି ଘଟିଥିଲା।

ସମ୍ବନ୍ଧିତ ଖବର