ପିଏମ୍‌ କିଷାନ ସ୍କିମ୍‌: ୯.୭୫ କୋଟିରୁ ଅଧିକ କୃଷକଙ୍କ ଖାତାରେ ପଡ଼ିଲା ୧୯,୫୦୦ କୋଟି

ଖାଇବା ତେଲ ମିଶନ୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକଙ୍କୁ ୨ ହଜାର ଲେଖାଏଁ ୯.୭୫ କୋଟିରୁ ଅଧିକ କିଷାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି। ଏହି କୃଷକମାନଙ୍କ ବ୍ୟାଙ୍କଖାତାରେ ୧୯.୫୦୦ କୋଟି ଟଙ୍କାରୁ ଅଧିକ ଧନରାଶି ଜମା କରାଯାଇଛି ‌ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟାଏ କ୍ଲିକ୍‌ ମାଧ୍ୟମରେ ହିତାଧିକାରୀମାନଙ୍କ ଖାତାରେ ଏହି ଟଙ୍କା ସିଧାସଳଖ ପଡ଼ିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଇବା ତେଲ ମିଶନ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ଆଜି ୯.୭୫ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ୧୯,୫୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି। ଏହି ଟଙ୍କା ଛୋଟଚାଷୀମାନଙ୍କ ପାଇଁ କାମରେ ଆସିବ। ଆଜି ରାଷ୍ଟ୍ରୀୟ ଖାଇବା ତେଲ ମିଶନର ସଂକଳ୍ପ ନିଆଯାଇଛି। ଏଥିପାଇଁ ୧୧୦୦୦ କୋଟିରୁ ଅଧିକ ଖର୍ଚ୍ଚ ହେବ। ପାମ୍‌ ତେଲର ଚାଷ ଉପରେ ଗୁରୁତ୍ବ ଦିଆଯିବ ବୋଲି ମୋଦୀ କହିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ରାଜ୍ୟ କୃଷିମନ୍ତ୍ରୀ କୈଳାଶ ଚୌଧୁରୀ, ଶୋଭା କରନ୍ଦଲାଜେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର