ରାଜ୍ୟର ସରକାରୀ ମେଡିକାଲ କଲେଜରେ ୩୩୭ ପଦବି ଖାଲି ପଡ଼ିଛି

ହାଇକୋର୍ଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସତ୍ୟପାଠ

କଟକ : ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ସରକାରୀ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ପଦବି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସରକାରୀ ମେଡିକାଲ କଲେଜରେ ମଞ୍ଜୁରୀପ୍ରାପ୍ତ ଫାକଲ୍‌ଟିଙ୍କ ସଂଖ୍ୟା ୧୯୯୮ ହୋଇଥିବା ବେଳେ ଏବେ ୧୬୬୧ ଜଣ ରହିଛନ୍ତି। ୩୩୭ ପଦ ଖାଲି ପଡିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡି.ଏନ.ପଣ୍ଡାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏଥିରେ ଦର୍ଶାଯାଇଛି ଯେ ପଦୋନ୍ନତି, ଚୁକ୍ତିଭିତ୍ତିକ ନିଯୁକ୍ତି, ନିୟମିତ ନିଯୁକ୍ତି ପ୍ରକ୍ରିୟା ଦ୍ବାରା ଖାଲି ପଡିଥିବା ପଦ ପଦବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶା ମେଡିକାଲ ଓ ହେଲ୍‌ଥ ସର୍ଭିସେସ୍ (ଓଏମଏଚଏସ) କ୍ୟାଡ‌ରରେ ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମେଡିକାଲ ଅଫିସର ପଦ ୮୭୧୯ ହୋଇଥିବା ବେଳେ ୭୦୨୪ ଏବେ ରହିଛନ୍ତି। ଏଥି ମଧ୍ୟରେ ୬୩୮୯ ନିୟମିତ, ୩୪ ଆଡ୍-ହକ୍, ୫୩୭ ଚୁକ୍ତିଭିତ୍ତିକ, ୭ ଚୁକ୍ତିଭିତ୍ତିକ(କର୍ପସ୍ ଫଣ୍ଡ ଅଧିନ), ୫୭ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଦ୍ବାରା ନିଯୁକ୍ତ ଡାକ୍ତର ଅନ୍ତର୍ଭୁକ୍ତ। ଏହି ଡାକ୍ତରମାନଙ୍କୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ କରାଯାଇଛି। ୧୬୯୫ ପଦବି ଖାଲି ପଡିଛି। ୨୪୫୨ଟି ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବି ପୂରଣ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ସ୍ବାସ୍ଥ୍ୟ ବିଭାଗ ଗତ ଜାନୁଆରି ୧୮ରେ ଚିଠି ଲେଖିଥିଲା। ଏଥି ସହିତ ୮୨ଟି ଡେଣ୍ଟାଲ ସର୍ଜନ ପଦ ପୂରଣ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଥିଲା।

ଗତ ମେ ୧୩‌ରେ ଓପିଏସସି ପକ୍ଷରୁ ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ୍) ମେଡିକାଲ ଅଫିସର ପଦବିରେ ନିଯୁକ୍ତି ପାଇଁ ୭୮୬ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଯାଇଥିଲା। ଏହାପରେ ସରକାରଙ୍କ ତରଫରୁ ୭୫୧ ଜଣ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଗତ ଜୁନରେ ପ୍ରଦାନ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟ ଗୁଡିକରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ପୂରଣ ଓ ଅନ୍ୟାନ୍ୟ ପ୍ରସଂଗ ନେଇ ୨୦୧୮ରେ ଆଇନଜୀବୀ ଚିତ୍ତରଂଜନ ମହାନ୍ତି  ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର