‘ଜମାଟୋ’ର ବିଭିନ୍ନ ବିଭାଗରୁ କର୍ମଚାରୀ ଛଟେଇ; ସହ-ସଂସ୍ଥାପକ ମଧ୍ୟ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ଖାଦ୍ୟ ‘ଡେଲିଭରି’ ଦେଉଥିବା ସଂସ୍ଥାନ ‘ଜମାଟୋ’ ତା’ର ବିଭିନ୍ନ ବିଭାଗରେ ଥିବା କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବାକୁ ନିର୍ଦେଶ ଦେଇଥିବା ‘ଲାଇଭ୍‌ମିଣ୍ଟ୍‌’ ରିପୋର୍ଟ କରିଛି। କୁହାଯାଉଛି, କମ୍ପାନି ତା’ର କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୩% କର୍ମଚାରୀଙ୍କୁ ଛଟେଇ କରିବ।

‘ଜମାଟୋ’ ଛଟେଇ ସଂକ୍ରାନ୍ତରେ ବହୁତ କିଛି ଜାଣିଥିବା ‌ଜଣେ ବ୍ୟକ୍ତିଙ୍କଠାରୁ ତଥ୍ୟାବଳି ସଂଗ୍ରହ କରି ‘ଲାଇଭ୍‌ ମିଣ୍ଟ୍‌’ ରିପୋର୍ଟ କରିଛି ଯେ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦ ଓ ବିପଣନ (ମାର୍କେଟିଙ୍ଗ୍‌) ସମେତ ଅନେକ ବିଭାଗ ଏଥିଯୋଗୁଁ ପ୍ରଭାବିତ ‌ହେବେ।

କିନ୍ତୁ, କମ୍ପାନିର ମୁଖପାତ୍ର କହିଛନ୍ତି, ଏ ଛଟେଇ ହେଉଛି ସମ୍ପାଦନା କାର୍ଯ୍ୟ ଦକ୍ଷତା ସମୀକ୍ଷା ଆଧାରିତ ନିୟମିତ ଛଟେଇ। ଏଭଳି ପଦ‌କ୍ଷେପରେ ଅଧିକ କିଛି ନାହିଁ।

Image Courtesy of Madhyamam

ଉଲ୍ଲେଖଯୋଗ୍ୟ, କରୋନାଭାଇରସ୍‌ ମହାମାରୀ ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଯିବାରୁ ୨୦୨୦ ମେ ମାସରେ ‘ଜମାଟୋ’ ପ୍ରାୟ ୫୨୦ ବା ପ୍ରାୟ ୧୩% କର୍ମଚାରୀ ବହିଷ୍କାର କରିଥିଲା। ଛଟେଇ ପରେ ‘ଜମାଟୋ’ରେ ପ୍ରାୟ ୩,୮୦୦ କର୍ମଚାରୀ ଥିଲେ।

ଏହାଛଡ଼ା, ସାଢ଼େ ୪ ବର୍ଷ ରହିବା ପରେ ‘ଜମୋଟା’ର ସହ-ସଂସ୍ଥାପକ ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ଇସ୍ତଫା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ‘ଜମାଟୋ’ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପିନ୍ଦର୍‌ ଗୋୟଲ୍‌ କହିଛନ୍ତି, ମୋହିତ ଗୁପ୍ତା- ଗତ କିଛି ବର୍ଷ ଧରି ତୁମେ ଥିଲ ମୋର ଭାଇ ଓ ବନ୍ଧୁ। ଚମତ୍କାର କାର୍ଯ୍ୟ କରି ତୁମେ ବିଲୁପ୍ତ ହୋଇଯାଉଥିବା କମ୍ପାନିକୁ ରକ୍ଷା କରି ବ୍ୟବସାୟକୁ ସମୃଦ୍ଧ କରି ଆମକୁ ଲାଭବାନ୍‌ କରିଥିଲ। ଏହାଛଡ଼ା, ଏଭଳି ବୃହତ୍‌ ଓ ଜଟିଳ ବ୍ୟବସାୟ ଚଳାଇବାରେ ସମର୍ଥ ହେବାକୁ ମୋତେ ଶିକ୍ଷା ଦେଇଥିଲ।

ଉଲ୍ଲେଖଯୋଗ୍ୟ, ଉଭୟ ‘ଷ୍ଟାର୍ଟଅପ୍‌’ ଓ ‘ଟେକ୍‌ ଇଣ୍ଡଷ୍ଟ୍ରି’ ସବୁ ଏବେ ଅସୁବିଧା ପରିସ୍ଥିତିରେ ଅଛନ୍ତି। ‘ଆମାଜନ୍‌’, ‘ମେଟା’ ଏବଂ ‘ଟୁଇଟର୍‌’ ଭଳି ବଡ଼ ବଡ଼ ଟେକ୍‌ କମ୍ପାନି ସବୁ ଭାରତ ସମେତ ବିଶ୍ବବ୍ୟାପୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି।

ସମ୍ବନ୍ଧିତ ଖବର