ଚାଉଳ ହଡ଼ପ କରିଥିବା ଯୋଗାଣ ସହାୟକଙ୍କୁ ସୁରକ୍ଷା ଦେଉଛି କିଏ?ଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

ଅଭିଯୋଗକୁ ଅଣଦେଖା କାହିଁକି?

ବଲାଙ୍ଗୀର: ହିତାଧିକାରୀଙ୍କ ଚାଉଳ ହଡ଼ପ୍‌ କରିଥିବା ନେଇ ଲିଖିତ ଅଭିଯୋଗ ଆସୁଛି। ହିତାଧିକାରୀ ପ୍ରମାଣ ସହ ଜଣାଇଛନ୍ତି। ତଥାପି ପ୍ରଶାସନ ନିରବ ରହୁଛି କାହିଁକି ବୋଲି ସଇନ୍ତଳା ବ୍ଲକ୍‌ ଯୁବାମାଲ, ଚାହାରଭଟା, ଠୁରନିକାନୀ, ଚିତାମରା, ବଡ଼ମୁଣ୍ଡା, ଲୁହୁରାପାଲି, ବରାହମାଲବହ ଗ୍ରାମର ବହୁ ହିତାଧିକାରୀ ପ୍ରଶ୍ନ କରିଛନ୍ତି। ସଇନ୍ତଲା ବ୍ଲକ ଭଦ୍ରା ପଞ୍ଚାୟତର ଉପରୋକ୍ତ ଗ୍ରାମର ହିତାଧିକାରୀ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଏହି ପଞ୍ଚାୟତ ପାଇଁ ଆସିଥିବା ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସର ୧୦୯୦.୨ କ୍ବିଣ୍ଟାଲ ପିଡିଏସ୍‌ ଚାଉଳକୁ ସଂପୃକ୍ତ ଯୋଗାଣ ସହାୟକ ସତ୍ୟନାରାୟଣ ଛତ୍ରିଆ ଗ୍ରହଣ କରିଥିଲେ। ତେବେ ଏହି ଚାଉଳକୁ ସିଲେଟପଡ଼ା, ବରଗାଁ, ମହଗାଁ, ଭଦ୍ରା, ନୂଆପଡ଼ା ଓ ଖାସବାହାଲ ଗାଁରେ ବଣ୍ଟନ କରିଥିବା ବେଳେ ଅବଶିଷ୍ଟ ଚାଉଳକୁ ଯୁବାମାଲ ଚାହାରଭଟା, ଠୁରନିକାନୀ, ଚିତାମରା, ଲୁହୁରାପାଲି, ବରାହମାଲ ପ୍ରଭୃତି ଗାଁରେ ବଣ୍ଟନ ନକରି ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଗ୍ରାମବାସୀ ଗତ ୪ ତାରିଖ ସଇନ୍ତଲା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡିଓ କୌଣସି ପଦକ୍ଷେପ ନେଇନଥିଲେ। ଏନେଇ ଖବର ପ୍ରକାଶନ ପରେ ସଂପୃକ୍ତ ଯୋଗାଣ ସହାୟକ ତମାମରା ଗାଁର କିଛି ହିତାଧିକାରୀଙ୍କୁ ୨ ମାସର ଚାଉଳ ବାହାରୁ କିଣିଆଣି ବଣ୍ଟନ କରି ପୁଣି ଗୋଟିଏ ମାସର ପିଡିଏସ୍‌ ଚାଉଳ ବଳକା ରଖିଥିଲେ। ପୁଣି ଅଭିଯୋଗ ପରେ ବରାହମାଲ ଗାଁକୁ ୩ ମାସର ଚାଉଳ ମଧ୍ୟରୁ ଗୋଟିଏ ମାସର ଚାଉଳ କିଛି ହିତାଧିକାରୀଙ୍କୁ ଦେଇଥିବା ବେଳେ ଲୁହୁରାପାଲି ଗାଁକୁ ୨ ମାସର ଓ ବଡ଼ମୁଣ୍ଡା ଗାଁକୁ ୨ ମାସର ଚାଉଳ କିଛି ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଚାହାରଭଟା, ଠୁରନିକାନୀ ଓ ଯୁବାମାଲ ଗାଁକୁ ୪ ମାସର ପିଡିଏସ୍‌ ଚାଉଳ ଦିଆଯାଇ ନାହିଁ। ଫଳରେ ଲୋକେ ଚାଉଳ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଂପୃକ୍ତ ଯୋଗାଣ ସହାୟକ ଗାଁକୁ ଗାଁ ବୁଲି ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ଆଗତୁରା ନେଇଥିବା ଓ ପଡ଼ିଖାତାରେ ମିଥ୍ୟା ଏଣ୍ଟ୍ରି କରି ଚାଉଳ ହଡ଼ପ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜଣେ ମହିଳା ହିତାଧିକାରୀଙ୍କ ପଡ଼ିଖାତାରେ ସେ ୨୦୨୪ ପର୍ଯ୍ୟନ୍ତ ସବୁ ଚାଉଳ ନେଇଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଥିବା ଜଣାଯାଇଛି। ତେବେ ସଂପୃକ୍ତ ଯୋଗାଣ ସହାୟକଙ୍କଠାରୁ ତୁରନ୍ତ ଚାଉଳ ଆଦାୟ କରି ହିତାଧିକାରୀଙ୍କୁ ବଣ୍ଟନ କରିବା, ବାରମ୍ବାର ଯୋଗାଣ ସହାୟକ ଏଭଳି ଦୁର୍ନୀତି କରୁଥିବାରୁ ତାଙ୍କୁ ବହିଷ୍କାର କରାଯିବା, ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା, ତାଙ୍କୁ ଯେଉଁମାନେ ସହଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର