ବଲାଙ୍ଗୀର : ପଶ୍ଚିମ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ନକଲି ନୋଟ୍ କାରବାର ଚାଲିଛି। କିଛି ଦିନ ତଳେ ବରଗଡ଼ ଜିଲ୍ଲା ପୁଲିସ ନକଲି ନୋଟ୍ କାରବାରର ଧରପଗଡ଼ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ସହ ବିଭିନ୍ନ ଅଞ୍ଚଳରେ ମଧ୍ୟ ନକଲି ନୋଟ୍ ପ୍ରସଙ୍ଗ ସାମ୍ନାକୁ ଆସୁଛି। ତେବେ ସହର ନୁହେଁ, ଗାଁ ଲୋକଙ୍କୁ ନକଲି ନୋଟ୍ ଜରିଆରେ ଠକିବାର ସୁବିଧା ବାଟ ବୋଲି ଧରି ନେଇଛନ୍ତି ଜାଲ ନୋଟ୍ କାରବାର କରୁଥିବା ଲୋକେ। ତେଣୁ ସହର ଅପେକ୍ଷା ଗାଁ ଏବେ ଟାର୍ଗେଟରେ।
ଏଇ ଯେମିତି ସୋନପୁର ଜିଲ୍ଲା ତରଭା ଟକର୍ଲା ଗାଁର ବିଭୂତି ଦେହେରୀ(୩୨)। କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ତଥା ସୋନପୁର ଜିଲ୍ଲା ତରଭା ସୀମାରେ ଥିବା ଲୁକାପଡ଼ା ଗାଁର ପ୍ରଶାନ୍ତ ସାହୁଙ୍କ ଦୋକାନକୁ ଆସି ବିଭୂତି ସାର ନେଇଥିଲେ। ସାରର ଦାମ୍ ୫୮୦ ଟଙ୍କା ହୋଇଥିବା ବେଳେ ୨ହଜାର ଟଙ୍କା ଦେଇଥିଲେ। ଖୁଚୁରା ଫେରାଇ ଥିଲେ ଦୋକାନରେ ବସିଥିବା ପ୍ରଶାନ୍ତଙ୍କ ବାପା। ତେବେ ୨ହଜାର ଟଙ୍କାର ନୋଟ୍ଟି ନକଲି ଜାଣିବାକୁ ପାଇଥିଲେ ପ୍ରଶାନ୍ତ। ଏ ସଂପର୍କରେ ବିଭୂତିଙ୍କୁ ଜଣାଇଥିଲେ। କିନ୍ତୁ ବିଭୂତି ସେ ନକଲି ୨ ହଜାର ଟଙ୍କିଆ ନୋଟ୍ ଦେଇ ନଥିବା କହିଥିଲେ। ବାରମ୍ବାର କହିବା ପରେ ବିଭୂତି ନଶୁଣିବାରୁ ପ୍ରଶାନ୍ତ ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନାରେ ନକଲି ନୋଟ୍ ନେଇ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଯତୀନ୍ଦ୍ର ଦାସ ଓ ଅନ୍ୟମାନେ ଆରମ୍ଭ କରିଥିଲେ ଖୋଳତାଡ଼।
ପଶ୍ଚିମ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ନକଲି ନୋଟ୍ କାରବାର ଚାଲିଛି। ତେବେ ସହର ନୁହେଁ, ଗାଁ ଲୋକଙ୍କୁ ନକଲି ନୋଟ୍ ଜରିଆରେ ଠକିବାର ସୁବିଧା ବାଟ ବୋଲି ଧରି ନେଇଛନ୍ତି ଜାଲ ନୋଟ୍ କାରବାର କରୁଥିବା ଲୋକେ।
ଟକର୍ଲା ଗାଁର ବିଭୂତି। ସେହି ଗାଁର ପଞ୍ଚା ହରାପାଲ ପନିପରିବା ବିକ୍ରି କରେ। ପଞ୍ଚା ପନିପରିବା ବିକ୍ରି କରୁଥିବା ବେଳେ ସୋନପୁର ଥାନା କଳାପଥର ଗାଁର ତାରାଶଙ୍କର ନାଏକ ଓରଫ ରାଜା(ପରିବା ବିକାଳି) ସହ ବନ୍ଧୁତା ହୁଏ। ନକଲି ନୋଟ୍ ଓ ଠକେଇ ସଂପର୍କରେ ରାଜା ପଞ୍ଚାକୁ କହେ। ଆଉ ପଞ୍ଚା ଏ ବିଷୟରେ ବିଭୂତିକୁ ଜଣାଏ। ଏଥିପାଇଁ ରାଜା ବିଭୂତିଠାରୁ ୨ ମାସ ତଳେ ଆଗୁଆ ୬ ହଜାର ଟଙ୍କା ନେଇଥିଲା। ପରେ ବରପାଲି-କୁମ୍ଭାରୀ ମଝିରେ ଥିବା ଏକ ପୋଲ ନିର୍ମାଣ କାମରେ ମିିସ୍ତ୍ରି ଭାବେ କାମ କରୁଥିବା ବିଭୂତିକୁ ରାଜା ଦେଇଥିଲା ୧୭ଟି ନକଲି ୨ହଜାର ଟଙ୍କା ନୋଟ୍। ସେହିପରି ପଞ୍ଚା ବି ନେଇଥିଲା ୪ହଜାର ଟଙ୍କାର ୨ଟି ନକଲି ନୋଟ୍। ପୁଲିସ ଖୋଳତାଡ଼ ବେଳେ ବିଭୂତି, ପଞ୍ଚା ଓ ରାଜାକୁ ଠାବ କରିବା ସହ ନକଲି ନୋଟ୍ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା। ପଞ୍ଚା ସେହି ୨ଟି ନକଲି ନୋଟ୍କୁ ପୋଡ଼ି ଦେଇଥିବା କହୁଥିବା ବେଳେ ସେ କେଉଁଠି ଏହା ଦେଇ ଜିନିଷ କିଣି ନେଇଥିବା ପୁଲିସ ସନ୍ଦେହ କରୁଛି। ସେହିପରି ବିଭୂତି ୧୭ଟି ନକଲି ନୋଟ୍ ଆଣିଥିବା ବେଳେ ତା’ନିକଟରୁ ମାତ୍ର ୩ଟି ନକଲି ନୋଟ୍ ଜବତ ହୋଇଛି। ବଳକା ନୋଟ୍ ସେ ବଜାରରେ ଲଗାଇ ଦେଇଥିବା ଆଇଆଇସି ଶ୍ରୀ ଦାସ କହିଛନ୍ତି।
କିଛି ମାସ ତଳେ ବରପାଲି ପୁଲିସ ନକଲି ନୋଟ୍ କାରବାର ମାମଲାରେ କିଛି ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେମାନେ ଇତିମଧ୍ୟରେ ଜାମିନରେ ଆସିଛନ୍ତି। ତେବେ ପୁଲିସ ନଜରରୁ ବଞ୍ଚାଇ ରଖିଥିବା ନକଲି ନୋଟ୍ଗୁଡ଼ିକୁ ପୁଣିଥରେ ବଜାରକୁ ଛାଡିଥିବା ସନ୍ଦେହ କରାଯାଉଛି। ତେଣୁ ପୁଲିସ ବାରମ୍ବାର ବରପାଲିରେ ଡେରା ପକାଇ ମାମଲାର ଛାନବିନ ଚଳାଇଥିଲା। ଅଭିଯୋଗକାରୀ ପ୍ରଶାନ୍ତଙ୍କ ରିପୋର୍ଟକୁ ଆଧାର କରି ପୁଇଁନ୍ତଳା ପୁଲିସ ୧୩୭ ନମ୍ବର କେସ୍ ରୁଜୁ କରି ୪୯୮(ଜାଲ୍ ନୋଟ୍ କାରବାର ସଂପର୍କିତ ଏ, ବି ଓ ସି) ଦଫା ଲଗାଇଛି। ବିଭୂତି, ପଞ୍ଚା ଓ ରାଜାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ କେତେଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି।