ଏଥର ଜମିରୁ ନିଷ୍କାସନ ହେବ ପାଣି: ମିଳିଲା ୧୦୦ କୋଟି ଟଙ୍କା ଅନୁଦାନ

ଭୋଗରାଇ/ଚନ୍ଦନେଶ୍ବର: ଚାଷଜମିରେ ପାଣି ଜମି ରହୁଛି। ଫଳରେ ଧାନଚାଷ ଉଜୁଡ଼ିଯାଉଛି। ଜଳ ନିଷ୍କାସନ ବ୍ୟବସ୍ଥା କରି ଚାଷକୁ ବଞ୍ଚାଇବାକୁ ଚାଷୀମାନେ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ତେବେ ଦାବିକୁ ଗ୍ରହଣ କରି ପାଣି ନିଷ୍କାସନ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ଦକ୍ଷିଣ ଭୋଗରାଇ କୃଷିକ୍ଷେତ୍ର ସୁରକ୍ଷା ସଂଘ ପକ୍ଷରୁ ଏକ ବୈଠକ ଚନ୍ଦନେଶ୍ୱର ଆଜାଦ କ୍ଲବ୍ ପରିସରରେ ବସିଥିଲା। ଏଥିରେ ପ୍ରକଳ୍ପ ବାହାରେ ଥିବା ସ୍ଥାନରୁ ପାଣି ନିଷ୍କାସନ ପାଇଁ ବିଭାଗ ଦୃଷ୍ଟି ଦେବାକୁ ସେମାନେ ଦାବି କରିଥିଲେ। ଭୋଗରାଇ ବିଧାୟକ ଅନନ୍ତ ଦାସ, ବ୍ଲକ୍‌ ଅଧ୍ୟକ୍ଷ ପ୍ରବୀର କୁମାର ଗିରି ପାଣି ନିଷ୍କାସନ ନେଇ ସ୍ଥାନୀୟ ତହସିଲଦାର ହିମାଂଶୁ ଶେଖର ଗିରିଙ୍କ ସକ୍ଷାତ କରି ଜମି ଅଧିଗ୍ରହଣ ସହିତ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆଲୋଚନା କରିଥିଲେ।
ବିବରଣୀରୁ ପ୍ରକାଶ, ଦକ୍ଷିଣ ଭୋଗରାଇ ଅଞ୍ଚଳରୁ ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ ୩ଟି କେନାଲ୍‌ ମଧ୍ୟଦେଇ ସମୁଦ୍ରକୁ ଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିରେ ପଥରେଶ୍ବର-୧ରେ ୧୧୩୦.୨୭୨୨ ଏକର ଜମି ଯାଉଥିବା ବେଳେ ୧୧ଟି ଗାଁ’ର ୩୨୮ ଜଣ ଚାଷୀଙ୍କ ଜମି ରହିଛି। ସେହିଭଳି ପଥରେଶ୍ବର-୨ ପ୍ରକଳ୍ପରେ ୨୦୭୮.୬୮୨ ଏକର ଜମିରେ ୮ଟି ଗାଁ’ର ୬୪୨ ଜଣ ଚାଷୀ, ରଣକୋଠାରେ ୨୦୦୬.୯୯୨ ଏକରରେ ୧୬ ଗାଁ’ର ୫୭୮ ଚାଷୀ, ରଣକୋଠା-୨ରେ ୮୯୦.୦୬୯ ଏକର ଜାଗାରେ ୬ଟି ଗାଁ’ର ୧୮୭ ଜଣ ଚାଷୀ, ଭଣ୍ଡାରିଆ-୧ରେ ୮୯୪୭୮.୯୯୫ ଏକର ଜାଗାରେ ୧୪ ଗାଁ’ର ୭୦୫ ଚାଷୀ ଓ ଭଣ୍ଡାରିଆ-୨ରେ ୮୬୩୪୨.୪୪୩ ଏକର ଜମିରେ ୧୩ ଗାଁ’ର ୫୯୫ ଜଣ ଚାଷୀଙ୍କ ଜମି ରହିଛି। ତେବେ ଏହି ପ୍ରକଳ୍ପ କାମ ସୁରୁଖୁରୁରେ ସାରିବା ପାଇଁ ଚାଷୀମାନଙ୍କୁ ଜାଗା ଛାଡ଼ିବା ପାଇଁ ବୈଠକରେ ସଂଘ ନିବେଦନ କରିଥିଲା।

ଆୟୋଜିତ ବୈଠକରେ ସଂଘର ସ୍ଥାୟୀ ସଭାପତି ତଥା ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ ପୌରୋହିତ୍ୟ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ସମାଜସେବୀ ରବୀନ୍ଦ୍ର ନାଥ ମହାନ୍ତି, ଆଶିଷ କୁମାର ଦାସ, ଶିକ୍ଷାବିତ୍‌ ସନ୍ତୋଷ କୁମାର ପାତ୍ର, ଉତ୍ସବ କୁମାର କର, ଶ୍ରୀନିବାସ ପ୍ରଧାନ, ରବୀନ୍ଦ୍ର ନାଥ ପ୍ରଧାନ, ବଂଶୀଧର ଦାସ, ବିଜୟ କୁମାର ସାହୁ, ସମାଜସେବୀ ରବୀନ୍ଦ୍ର ନାଥ ମହାନ୍ତି, ଆଶିଷ କୁମାର ଦାସ, ଶମ୍ଭୁନାଥ ମାଝୀ, ସଦାଶିବ ସାମଲ ପ୍ରମୁଖ ଗଠନମୂଳକ ପ୍ରସ୍ତାବ ଦେଇଥିଲେ। ଏହି ଅବସର ସଂଘର ଉପସଭାପତି ପଙ୍କଜାକ୍ଷ ପଣ୍ଡା ଜମି ଅଧିଗ୍ରହଣ ପୂର୍ବରୁ ଏକ ଲିଖିତ ବିଜ୍ଞପ୍ତି ଖବରକାଗଜ ମାଧ୍ୟମରେ ଦେବା ନେଇ ଆଲୋଚନା କରିଥିଲେ। ଶିକ୍ଷାବିତ୍‌ ଯତୀନ୍ଦ୍ର ନାଥ ପାତ୍ରଙ୍କ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶେଷରେ ନିରାକାର ପାଣ୍ଡବ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର