ପଞ୍ଚୁବିଶା ମୁହାଣ ପୁନରୁଦ୍ଧାର କାମ ଆରମ୍ଭ: ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ

ଖର୍ଚ୍ଚ ହେବ ୩ କୋଟି ୮୩ ହଜାର

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ପଞ୍ଚାୟତ ଅଧୀନ ପଞ୍ଚୁବିଶା ମୁହାଣର ପୁନରୁଦ୍ଧାର (ପଙ୍କ ଉଦ୍ଧାର) କାମ ଆରମ୍ଭ ହୋଇଛି। ଫଳରେ ଯନ୍ତ୍ରଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ଧରି ଯିବାକୁ ସମସ୍ୟା ଭୋଗୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଖୁସି ବ୍ୟକ୍ତ କରିଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉଦ୍ୟମରେ ରାଜ୍ୟ ସରକାର ମୁହାଣରୁ ପଙ୍କ ଉଦ୍ଧାର ପଇଁ ୩ କୋଟି ୮୩ ହଜାର ୯୨୨ ଟଙ୍କା ମଞ୍ଜୁର କରିଛନ୍ତି। ଯେଉଁ ଟଙ୍କାରେ କାମ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ସାଇଡାଇବ୍‌ସ କମ୍ପାନି ଏହି କାମରେ ନିୟୋଜିତ ହୋଇଛି। ଏପ୍ରିଲ୍‌ ୩ ତାରିଖ ସୁଦ୍ଧା କାମ ସରିବ ବୋଲି ଜଣାପଡ଼ିଛି। ଏପରି ସମୟରେ ମତ୍ସ୍ୟଜୀବୀମାନେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଥାଉକି, ପଞ୍ଚୁବିଶା ମୁହାଣ ଉପରେ ବାହାନଗା ବ୍ଲକ୍‌ ଅଧୀନ ଖରାସାହାପୁର, ଅଭଣା, ଆରୁହାବାଡ଼, ବରିପଦା, କଲ୍ୟାଣୀ, ବିଷ୍ଣୁପୁର, ନୂଆପୁର ପ୍ରମୁଖ ପଞ୍ଚାୟତର ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ନିର୍ଭର କରନ୍ତି। ସେମାନେ ଖରାସାହାପୁର ଜେଟିରୁ ମୁହାଣ ଦେଇ ଯନ୍ତ୍ରଚାଳିକ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ଯାଆନ୍ତି ଏବଂ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ଜେଟିରୁ ୪୦ଟି ଯନ୍ତ୍ରଚାଳିକ ଡଙ୍ଗା ସମୁଦ୍ରକୁ ଯାଇଥାଏ। ତେବେ ମୁହାଣ ପୋତିଯିବା​ କାରଣରୁ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳରେ ସମସ୍ୟା ହେଉଥିଲା। ଜୁଆର ସମୟରେ ମାଛଧରା ସମ୍ଭବ ହେଉଥିବା ବେ​ଳେ ଅନ୍ୟ ସମୟରେ ମତ୍ସ୍ୟଜୀବୀମାନେ ହାତବାନ୍ଧି ବସିରହୁଥିଲେ। ଫଳରେ ସେମାନେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ତେବେ ଡେରିରେ ହେଲେ ବି ସରକାର ସମସ୍ୟାକୁ ବୁଝିଛନ୍ତି ଏବଂ ତା’ର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର