ମେ’ ୨ରେ ଚିତ୍ରକୋଟ ବାଲିଯାତ୍ରା: ବଢ଼ିପାରେ ହିଂସା, ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନର ହସ୍ତକ୍ଷେପ ଜରୁରୀ 

ତେନ୍ତୁଳିଖୁଣ୍ଟି: ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଓ ଚିତ୍ରକୋଟ ଗ୍ରାମର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗତ କିଛି ମାସ ହେଲା ତିକ୍ତତା ଲାଗିରହିଛି। ରାଜନୈତିକ ତଥା ଉନ୍ନୟନମୂଳକ କାର୍ଯ୍ୟକୁ ନେଇଁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ବିଗତ ଦିନରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ତେନ୍ତୁଳିଖୁଣ୍ଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ଉଭୟ ଗୋଷ୍ଠୀ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି। ତଥାପି ଏହି ବିବାଦ ଥମିବାର ନା ନେଉନି। ଏବେ ମଧ୍ୟ ଅଂଚଳଗୁମ୍ମା ଓ ଚିତ୍ରକୋଟ ଗ୍ରାମର ଯୁବ ଗୋଷ୍ଠୀ ମଧ୍ୟରେ ଥିବା ତିକ୍ତତା କୁହୁଳିବାରେ ଲାଗିଛି।

ତେବେ ମଙ୍ଗଳବାର ଅଂଚଳଗୁମ୍ମାକୁ ଲାଗି ରହିଥିବା ଚିତ୍ରକୋଟ ଗ୍ରାମରେ ୧୨ ବର୍ଷ ହେଲା ପାଳିତ ହୋଇ ଆସୁଥିବା ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହେବ। ଏମିତି ସ୍ଥିତିରେ ଦୁଇ ଗ୍ରାମ ମଧ୍ୟରେ କୁହୁଳୁଥିବା ବିବାଦ ବିସ୍ଫୋରକ ରୂପ ନେବା ନେଇଁ ସାଧାରଣରେ ଆଶଙ୍କା ଲାଗିରହିଛି। ଏଣୁ ଉଭୟ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନର ହସ୍ତକ୍ଷେପ ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଦୁଇ ଗ୍ରାମ ମଧ୍ୟରେ ଲାଗିଥିବା ବିବାଦ ର ସମାଧାନ କରି ଶାନ୍ତି ଫେରାଇ ଆଣିବାକୁ ବିଭିନ୍ନ ମହଲରେ ମତ ଉଠିଛି। ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଅଂଚଳଗୁମ୍ମା ଓ ଚିତ୍ରକୋଟ ଗ୍ରାମରେ ଲାଗି ରହିଥିବା ବିବାଦ କୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର