ନୂଆରୂପ ପାଇବ କଟକ ରୋଡ୍‌

ଭୁବନେଶ୍ବର: ଖୁବ୍‌ ଶୀଘ୍ର କଟକ ରୋଡ୍‌ ନୂଆ ରୂପ ପାଇବ। ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ରୁ ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡିପିଆର୍‌ ପ୍ରସ୍ତୁତ ହୋଇଛି। ମୁଖ୍ୟଯନ୍ତ୍ରୀ (ରାସ୍ତା) ଡିପିଆର୍‌କୁ ଅନୁମୋଦନ କରିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

ପୂର୍ତ୍ତ ବିଭାଗର ଯୋଜନା ଅନୁଯାୟୀ, ରସୁଲଗଡ଼ରୁ କଳ୍ପନା ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟାର ସମାଧାନ, ବର୍ଷା ଜଳ ନିଷ୍କାସନ ପାଇଁ ରାସ୍ତାର ଉନ୍ନତୀକରଣ ହେବ। ହେଲେ ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ରୁ ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ୩କିମି ୨୦୦ ମିଟର ରାସ୍ତାର ଉନ୍ନତୀକରଣ ହେବ। ରାସ୍ତାର ଉଭୟ ପାର୍ଶ୍ବକୁ ୩୫ଫୁଟ ଲେଖାଏ ଓସାର କରାଯିବ। ସ୍ଲାବ୍‌ ଡ୍ରେନ୍‌କୁ ଭାଙ୍ଗି ମାଟି ତଳେ ୧୨୦୦ ଏମ୍ଏମ୍‌ର ପାଇପ୍‌ ପଡ଼ିବ। ପାଇପ୍‌ରେ ହିଁ ଡ୍ରେନ୍‌ ପାଣି ଯିବ। ଏହିପରି ଭାବେ ଏହି ରାସ୍ତାର ଉନ୍ନତୀକରଣ ପାଇଁ ପୂର୍ତ୍ତ ବିଭାଗ ପ୍ରାୟ ୨୨କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ଆରମ୍ଭ ହେବାର ୧୨ରୁ ୧୮ମାସ ମଧ୍ୟରେ କାମ ଶେଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ରୁ ଲକ୍ଷ୍ମୀସାଗର ରାସ୍ତାର ଉନ୍ନତୀକରଣ

୩ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୨୨ କୋଟି

ହଟିବ ସ୍ଲାବ୍‌ ଡ୍ରେନ୍‌, ପାଇପ୍‌ ଯୋଗେ ଯିବ ବର୍ଷା ପାଣି

ରାସ୍ତା ତଳେ ପଡ଼ିବ ୧୨୦୦ ଏମ୍‌ଏମ୍‌ ଡ୍ରେନ୍‌ ପାଇପ୍‌

ଏହି ରାସ୍ତା ଉନ୍ନତୀକରଣରେ ଜବରଦଖଲ ପ୍ରମୁଖ ସମସ୍ୟା ଥିବାରୁ ପ୍ରଥମେ ରାସ୍ତାର ଦୁଇ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ କରାଯିବ। ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ୫ କିମି ରାସ୍ତା ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। ହେଲେ ସମସ୍ୟାରେ ଭରପୂର ଏହି ରାସ୍ତା। ଫୁଟ୍‌ପାଥ୍‌ ନାହିଁ, ବସ୍‌ ଷ୍ଟପେଜ୍ ନାହିଁ କି ବ୍ୟବସ୍ଥିତ ପାର୍କିଂ ସୁବିଧା ନାହିଁ। ସୌନ୍ଦର୍ଯ୍ୟୀକରଣ କଥା ନକହିବା ଭଲ। ଭୁବନେଶ୍ବରର ପ୍ରମୁଖ ରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ କଟକ ରୋଡ୍‌ ପରି ଜନଗହଳିପୂର୍ଣ୍ଣ ରାସ୍ତା ପ୍ରତି ବାରମ୍ବାର ଅବହେଳା କରାଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି।

ବାରମ୍ବାର ଦାବି ପରେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବିଧା‌ନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିଲେ। ତେବେ ପ୍ରଥମେ କଂକ୍ରିଟ୍‌ ରାସ୍ତା ପାଇଁ ପ୍ରସ୍ତାବ ରହିଥିଲେ ହେଁ ବିଭିନ୍ନ ସମସ୍ୟା ଯୋଗୁଁ କଂକ୍ରିଟ୍‌ ରାସ୍ତା କରିବା ସମ୍ଭବ ହୋଇନଥିଲା। ରସୁଲଗଡ଼ରୁ କଳ୍ପନା ୫ କିମି ରାସ୍ତାକୁ ଦୁଇଟି ପର୍ଯ୍ୟାୟରେ ଉନ୍ନତୀକରଣ କରିବାକୁ ଏବେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ଠାରୁ ଲକ୍ଷ୍ମୀସାଗର ଯାଏ ୩.୨୦୦କିମି ରାସ୍ତା କରାଯିବ। ବର୍ତ୍ତମାନ କେଉଁଠି ୭ ମିଟର ତ କେଉଁଠି ୯ରୁ ୧୦ ମିଟର ରାସ୍ତା ରହିଛି। ତେଣୁ ଉଭୟ ପାର୍ଶ୍ବର ରାସ୍ତାର ଓସାର ୧୦.୫ମିଟର ବା ୩୫ଫୁଟ ଲେଖାଏ କରାଯିବ। ରାସ୍ତାର ଉଚ୍ଚତା ଫୁଟେରୁ ଦୁଇ ଫୁଟ ବୃଦ୍ଧି କରାଯିବ। ଦୁଇ ପାର୍ଶ୍ବରେ ଫୁଟପାଥ୍ ରହିବ।

ଏହି ପ୍ରକଳ୍ପରେ ଡ୍ରେନେଜ୍‌ ସମସ୍ୟାକୁ ସମାଧାନ ପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି। ୨୨ କୋଟିର ପ୍ରକଳ୍ପରେ ଡ୍ରେନ୍‌ ନିର୍ମାଣ ପାଇଁ ୬.୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। କାରଣ ଅସରାଏ ବର୍ଷାରେ ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଜଳ ନିଷ୍କାସନରେ ସମସ୍ୟା ଥିବାରୁ ବର୍ଷା ଛାଡ଼ିବା ପରେ ବି ଘଣ୍ଟା ଘଣ୍ଟା ଧରି ପାଣି ଜମି ରହୁଛି। ତେଣୁ ରାସ୍ତା ସହ ଡ୍ରେନ୍‌ ସମସ୍ୟାର ସମାଧାନ ହେବ। ରାସ୍ତାର ଦୁଇ ପାର୍ଶ୍ବରେ ପାଇପ୍‌ ପଡ଼ିବ। ପ୍ରତି ୧୦ ମିଟର ବ୍ୟବଧାନରେ ପାଣି ଯିବା ପାଇଁ ଚାମ୍ବର ରହିବ। ସେଥିରେ ଲୁହା ଜାଲି ଦିଆଯାଇ, ତା’ ଉପରେ ୟାତାୟାତ ପାଇଁ ସୁବିଧା କରାଯିବ। ଏଥିସହ ରାସ୍ତାର ଦୁଇ ପାଖ ଫୁଟ୍‌ ପାଥ୍‌ରେ ପେଭର୍ ବ୍ଲକ୍ ବିଛାଯିବ।

ସମ୍ବନ୍ଧିତ ଖବର