ପିଲାଙ୍କୁ ହତ୍ୟା କରି ବାପା-ମା’ଙ୍କ ଆତ୍ମହତ୍ୟା, ୧୨ ବର୍ଷରେ ୫ ଲୋମଟାଙ୍କୁରା ଘଟଣା

କଟକ: ଦୁଇ ବର୍ଷ ତଳେ କଟକ ବିଡାନାସୀ ଅଞ୍ଚଳରେ ଜଣେ ମା’ ତା’ ଶିଶୁ କନ୍ୟାର ଦୁଇ ହାତର ଶିରା, ଗୋଡ଼ର ଗୋଚ୍ଛି ଓ ତଣ୍ଟିକୁ ଛୁରୀରେ କାଟି ମାରି ଦେଇଥିଲେ। ବ୍ୟାଙ୍କରେ ଚାକିରି କରୁଥିବା ମହିଳା ଜଣକ ଏଭଳି ନୃଶଂସ କାଣ୍ଡ ଘଟାଇବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ମଧୁପାଟଣାରେ ଶିବାଂଶ ଖୁଣ୍ଟିଆଠାରୁ ଆହୁରି ଲୋମ ଟାଙ୍କୁରା ଥିଲା ବିଡାନାସୀର ଏହି ହତ୍ୟାକାଣ୍ଡ। ଏଭଳି ଧରଣର ଲୋମଟାଙ୍କୁରା କାଣ୍ଡ କଟକ ସହରରେ ଗଲା ୧୨ ବର୍ଷ ଭିତରେ ୫ଟି ଘଟିସାରିଲାଣି। ଏଥିରେ ମୋଟ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏଥିରେ କେବଳ ୭ ଜଣ ଶିଶୁ ଅଛନ୍ତି। ସମାନ ଶୈଳୀରେ ବାପା, ମା’ମାନେ ପିଲାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ନିଜେ ଆତ୍ମହତ୍ୟା କରୁଥିବାରୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଚୌଦ୍ବାର ଥାନା ଦେଉଳଚୁଆ ଗାଁରେ ୨୦୧୧ ଫେବ୍ରୁଆରି ୧୨ ରେ ବିଦ୍ୟା ରଞ୍ଜନ ନାୟକଙ୍କ ପତ୍ନୀ ରଶ୍ମିରେଖା ନାୟକ ତାଙ୍କ ଦୁଇ ଝିଅ ବବଲି(୪) ଓ ଜୁବଲି(୨)ଙ୍କୁ ଖାଦ୍ୟରେ ମୂଷାମରା ଔଷଧ ଦେଇ ଗୋଟିଏ ଘରେ ବନ୍ଦ କରିବା ସହ ନିଜେ ବାଥରୁମରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ। ଦୁଇ ଭଉଣୀ ବଞ୍ଚିଯାଇଥିବା ବେଳେ ରଶ୍ମିରେଖାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀ ବିଦ୍ୟା ରଞ୍ଜନ ନାୟକ ନିଶାସକ୍ତ ଅବସ୍ଥାରେ ବିଦ୍ୟାଙ୍କୁ ମାଡ଼ ମାରୁଥିବାରୁ ଏଭଳି ଘଟିଥିବା କୁହାଯାଏ। ସିଡିଏ ସେକ୍ଟର ୭ ଭଡ଼ା ଘରେ ପରିବାର ସହ ରହୁଥିବା କେନ୍ଦୁଝରର ଅନାଦି ସାହୁଙ୍କ ପ୍ରଥମ ପତ୍ନୀ ପ୍ରଭାତୀଙ୍କ ମୃତ୍ୟୁ ପରେ ସେ ଅନୁଗୁଳ ବଅଁରପାଳର ସୁଭଦ୍ରା ନାୟକଙ୍କୁ ବିବାହ କରିଥିଲେ। ବଅଁରପାଳରେ ରହୁଥିବା ସୁଭଦ୍ରାଙ୍କୁ ସିଡିଏ ଘରକୁ ଆଣିବାକୁ ଅନାଦି ଚାହୁଁଥିବାରୁ ଅନାଦିଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଅରୁଣ ଓ ଝିଅ ଅନିତା ସମେତ ଭାଣିଜି କୁନି ବିରୋଧ କରି ଆସୁଥିଲେ। ୨୦୧୫ ଡିସେମ୍ବର ଡିସେମ୍ବର ୩ ରେ ଅନାଦି ନିଜ ୧୫ ବର୍ଷୀୟା ଝିଅ ଅନିତା, ଭାଣିଜୀ କୁନି ଓ କୁନିଙ୍କ ତିନି ପିଲାଙ୍କୁ ଖାଦ୍ୟରେ ନିଶା ଦେଇ ଅଚେତ ପରେ କିରୋସିନ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଏଥିରେ ଅନାଦିଙ୍କ ବି ମୃତ୍ୟୁ ହୋଇଥିଲା।
ମଧୁପାଟଣା ତିନିଘରିଆ ନୂଆସାହିରେ ୨୦୧୬ ମାର୍ଚ୍ଚ ୧୫ ରେ ଲକ୍ଷ୍ମଣ ଦଳାଇଙ୍କ ପତ୍ନୀ ମଧୁସ୍ମିତା ସାହୁ ଓ ତାଙ୍କ ଅଢ଼େଇ ବର୍ଷର ପୁଅ ରାହୁଲ ଏକାଠି କିରୋସିନ୍ ଢାଳି ଆତ୍ମହତ୍ୟା କରିଥିଲେ। ଲକ୍ଷ୍ମଣଙ୍କ ସହିତ ଲାଗି ରହିଥିବା ବିବାଦକୁ କେନ୍ଦ୍ର କରି ମଧୁସ୍ମିତା ଏଭଳି ନିଷ୍ପତ୍ତି ନେଇଥିଲେ। ୨୦୨୦ ଡିସେମ୍ବର ୧୮ ରେ ବିଡାନାସୀ ସେଲଟର ଛକ ଏସବିଆଇ କଲୋନିରେ ରହୁଥିବା ବ୍ୟାଙ୍କ କର୍ମଚାରୀ ବନସ୍ମିତା ଓଝା ତାଙ୍କ ୭ ବର୍ଷର ଶିଶୁ କନ୍ୟା ବୈଷ୍ଣବୀଙ୍କୁ ଖଟ ଉପରେ ଶୁଆଇ ଦୁଇ ହାତର ଶିରା କାଟିବା ସହିତ ଗୋଡ଼ର ଗୋଚ୍ଛି ଓ ତଣ୍ଟିକୁ ଛୁରୀରେ କାଟି ଦେଇଥିଲେ। ନିଜେ ଫ୍ୟାନ୍‌ରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବଡ଼ ଝିଅକୁ ପଡ଼ୋଶୀଙ୍କ ଘରକୁ ପଠାଇ ଦେଇଥିଲେ। ଇଞ୍ଜିନୟର ସ୍ବାମୀ ଘରେ ନଥିବା ବେଳେ ସେ ଏଭଳି କରିଥିଲେ। ବୈଷ୍ଣବୀଙ୍କ ମୁଣ୍ଡରେ ବ୍ରେନ୍ ଟ୍ୟୁମର ହୋଇଥିଲା। ସୁସ୍ଥ ନେହବାରୁ ବନସ୍ମିତା ଏଭଳି କରିଥିବା କୁହାଯାଏ। କିନ୍ତୁ ପ୍ରକୃତ କାରଣ ଅସ୍ପଷ୍ଟ ହୋଇ ରହିଗଲା। ୨୦୨୩ ଜାନୁଆରି ୧୫ରେ ମଧୁପାଟଣା ଥାନା ଶ୍ରୀରାମ ନଗର ଅଞ୍ଚଳରେ ଇଞ୍ଜିନୟର ଶିଳ୍ପୀ ଖୁଣ୍ଟିଆ ୨ ବର୍ଷର ସାବତ ପୁଅ ଶିବାଂଶ ଖୁଣ୍ଟିଆକୁ ବ୍ଲେଡରେ ତଣ୍ଟି କାଟି ଖଟ ଉପରେ ହତ୍ୟା କରିଥିଲେ। ଏହାପରେ ନିଜ ଆତ୍ମହତ୍ୟା କରିଥିଲେ। ସନ୍ତୋଷ ଖୁଣ୍ଟିଆଙ୍କ ପ୍ରଥମ ପତ୍ନୀ ଶୁଭଶ୍ରୀ ପୁହାଣଙ୍କ ମୃତ୍ୟୁ ପରେ ଶିଳ୍ପୀ ଏହି ଶିଶୁକୁ ରଖିବାକୁ ଚାହୁଁଥିବାରୁ ବିବାଦ ହୋଇଥିଲା। କଟକ ସହରରେ ସମାନ ଧରଣର ଏଭଳି ହତ୍ୟାକାଣ୍ଡ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କ କହିବା ଅନୁଯାୟୀ, ଏଭଳି ଘଟଣା ପାଶ୍ଚାତ୍ୟ ଦେଶରେ ଅଧିକ ଘଟିଥାଏ। ମଣିଷର ଭବିଷ୍ୟତକୁ ନେଇ ଯେତେବେଳେ ଅନ୍ଧାର ଦେଖାଯାଏ, ସେତେବେଳେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ। ଏଭଳି ନିଷ୍ପତ୍ତି ନେବା ବେଳେ ସେ ଜୀବନଠୁ ଅଧିକ ଭଲ ପାଉଥିବା ପିଲାଟିକୁ ବି ସାଙ୍ଗରେ ନେବାକୁ ଚାହେଁ। କାଳେ ନିଜର ମୃତ୍ୟୁ ପରେ ଏହି ପିଲାଟି କଷ୍ଟ ପାଇବ ସେହି ଆଶଙ୍କାରେ ପିଲାଟିକୁ ହତ୍ୟା କରିବାକୁ ବି ନିଷ୍ପତ୍ତି ନେଇଥାଏ। ଉଭୟଙ୍କ ମୃତ୍ୟୁ ପରେ ପୁନର୍ଜନ୍ମ ଆଶାରେ ଏଭଳି ନିଷ୍ପତ୍ତି ନେଇଥିବା ଗବେଷଣାରୁ ଜଣାପଡ଼ିଛି। ଏହାବାଦ୍ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ମହିଳା ଜଣକ ନିର୍ଯାତିତା ହେବା ପରେ ଯେତେବେଳେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ, ସେ ସମୟରେ ସ୍ବାମୀ କିମ୍ବା ପରିବାର ସଦସ୍ୟଙ୍କ ସବୁଠାରୁ ପ୍ରିୟ ଲୋକଟିକୁ ବି ସାଙ୍ଗରେ ନେଇଯିବାକୁ ପଛାଏ ନାହିଁ। ଯୋଜନାବଦ୍ଧ ଭାବେ ଏଭଳି ଘଟଣା ଘଟୁଥିବାରୁ ପରିବାର ଓ ବନ୍ଧୁ ଏଭଳି କ୍ଷେତ୍ରରେ ଦାୟିତ୍ବବାନ ହୋଇ କାଉନସେଲିଂ କରିବା ନିହାତି ଆବଶ୍ୟକ।

ସମ୍ବନ୍ଧିତ ଖବର