ଜଳେଶ୍ୱର କବାଟଘାଟି ଗାଁ’ରେ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ବାପପୁଅଙ୍କୁ ପଶ୍ଚିମବଙ୍ଗରୁ ଧରିଲା ପୁଲିସ

ଜଳେଶ୍ୱର: ଜଳେଶ୍ୱର ବ୍ଲକ୍‌ ରାଇବଣିଆ ଥାନା କବାଟଘାଟି ଗାଁ’ରେ ବାପପୁଅଙ୍କୁ ହାଣି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସଂପର୍କୀୟ ବାପପୁଅଙ୍କୁ ପୁଲିସ ପଶ୍ଚିମବଙ୍ଗରୁ ଧରିବାରେ ସକ୍ଷମ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ଗାଁ ଶ୍ମଶାନରେ ମୃତ ବାପପୁଅଙ୍କ ଶେଷକୃତ୍ୟ କରାଯାଇଛି।

ବୁଧବାର ଦିନ ସଂଧ୍ୟାରେ ଜଳେଶ୍ବର ଥାନା ବଡ଼ଟିକାୟତପୁର ଗ୍ରାମର ହାରୁ ବିନ୍ଧାଣୀଙ୍କ ସହ ପୁଅ କ୍ରିଷ୍ଣା, ବୋହୂ ବର୍ଷା, ଭିଣୋଇ ମଙ୍ଗଳ ଓ ସମ୍ପର୍କୀୟ ଚନ୍ଦନ ରାଇବଣିଆ ଥାନା କବାଟଘାଟି ଗ୍ରାମରେ ରହୁଥିବା କ୍ରିଷ୍ଣାଙ୍କ ସମ୍ପର୍କୀୟ କକା ଜଗନ୍ନାଥ ବିନ୍ଧାଣୀଙ୍କ ଘରକୁ ଯାଇଥିଲେ। ସେଠାରେ ଜମିବାଡ଼ି କଥାକୁ ନେଇ ଜଗନ୍ନାଥ ଓ ତାଙ୍କ ପୁଅ ପ୍ରଫୁଲ୍ଲଙ୍କ ସହ ଝଗଡ଼ା ହୋଇଥିଲା। ଏହି ସମୟରେ ଜଗନ୍ନାଥ ଓ ପ୍ରଫୁଲ୍ଲ ଏକ କାତି ସାହାଯ୍ୟରେ କ୍ରିଷ୍ଣାଙ୍କ ସହ ତାଙ୍କ ବାପା ହାରୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଗ୍ରାମବାସୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରାଇବଣିଆ ପୁଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଜଗନ୍ନାଥ ଓ ପ୍ରଫୁଲ୍ଲ ଫେରାର୍‌ ହୋଇଯାଇଥିଲେ।

ଏପରି ସମୟରେ ରାଇବଣିଆ ଆଇଆଇସି ଆର୍ତ୍ତତ୍ରାଣ ସେଠୀଙ୍କ ତତ୍ତ୍ବାବଧାନରେ ଏକ ୭ ଜଣିଆ ଟିମ୍‌ ଗତକାଲି ରାତି ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ଅଧୀନ ବାଉଁଶକାଠି ବନାଞ୍ଚଳରେ ଚଢ଼ାଉ କରି ସେମାନଙ୍କୁ ଧରିଥିଲେ। ଉଭୟଙ୍କୁ ଥାନା ଆଣି ପଚରାଉଚରା ଚାଲିଛି। ସେହିପରି ଆଜି ବାଲେଶ୍ୱରରୁ ସାଇଣ୍ଟିଫିକ୍‌ ଟିମ୍‌ କବାଟଘାଟି ଗାଁ’କୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ହାରୁ ଓ କ୍ରିଷ୍ଣାଙ୍କ ଶବ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ବଡ଼ ଟିକାୟତପୁର ଗାଁ’ରେ ପହଞ୍ଚିଥିବା ବେଳେ ଆଜି ସକାଳେ ବାପାପୁଅଙ୍କ ଶେଷକୃତ୍ୟ ହୋଇଛି। ମୃତ କ୍ରିଷ୍ଣାଙ୍କ ଦାଦା ପୁଅ ଭାଇ ଗଣେଶ ମୁଖାଗ୍ନି ଦେଇଛନ୍ତି।

ସମ୍ବନ୍ଧିତ ଖବର