ଚାଷୀ ପ୍ରଦୀପ ପ୍ରଧାନଙ୍କ ଅଭିନବ କୌଶଳ: ୟୁଟ୍ୟୁବ ଦେଖି ଫସଲକୁ ସୁରକ୍ଷା ଦେବା ନେଇ ଝଟକା ପାଚେରୀ କଲେ

ମାଲକାନଗିରି: ଆପଣ ଅନେକ ପାଚେରୀ କଥା ଶୁଣିଥିବେ ଏବଂ ଦେଖିଥିବେ।କିନ୍ତୁ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଦୁର୍ଗମ ପାରକାନମାଲା ପଞ୍ଚାୟତର ଟେକଗୁଡା ଗ୍ରାମରେ ଫସଲକୁ ସୁରକ୍ଷା ଦେବା ପାଇଁ କରାଯାଇଛି ଝଟକା ପାଚେରୀ। ଯାହାକୁ କରିଛନ୍ତି ଜଣେ ଶିକ୍ଷିତ ଯୁବକ ପ୍ରଦୀପ ପ୍ରଧାନ। ଦଶ ଏକର ଜାଗାରେ ବିଭିନ୍ନ ଫସଲ ଚାଷ କରିଥିବା ବେଳେ ଏହାକୁ ସୁରକ୍ଷା ଦେବାକୁ ବହୁ ହଇରାଣ ହେବା ସହ ଜଗୁଆଳିଙ୍କ ଖର୍ଚ୍ଚ ମଧ୍ୟ ବଢୁଥିଲା।କିନ୍ତୁ ଏତେ ସବୁ ଖର୍ଚ୍ଚ କରିବା ପରେ ମଧ୍ୟ ଫସଲ ନଷ୍ଟ ହେଉଥିଲା। ତେବେ ସେ ଏହି ଝଟକା ପାଚେରୀ ନିର୍ମାଣ କରି ଗାଈଗୋରୁଙ୍କ ଠାରୁ ଫସଲ ନଷ୍ଟ ହେବାରୁ ବଞ୍ଚାଇବା ସହ ଜଗୁଆଳି ଖର୍ଚ୍ଚ ମଧ୍ୟ କମାଇ ପାରିଛନ୍ତି।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଟେକଗୁଡା ଗ୍ରାମର ଶିକ୍ଷିତ ଯୁବକ ପ୍ରଦୀପ ପ୍ରଧାନ ନିଜର ଦଶ ଏକର ଜମିରେ ବିଭିନ୍ନ ଚାଷ କରିବା ପାଇଁ ମନ ବଳାଇଲେ। ଜମିରେ ଭେଣ୍ଡି,ଟମାଟୋ,ବାଇଗଣ,ଶାଗ ପରି ଅନେକ ପରିବା ସହ ମୁଗ,ବିରି ମଧ୍ୟ ଚାଷ କଲେ।କିନ୍ତୁ ଗାଈଗୋରୁ ,ଛେଳିମେଣ୍ଢା ଜମିରେ ପସି ବାରମ୍ବାର ଫସଲ ନଷ୍ଟ କଲେ। ତେଣୁ ପ୍ରଦୀପ ଫସଲ ଜଗିବା ପାଇଁ ଚାରି ଜଣ ଜଗୁଆଳିଙ୍କୁ ଜଗାଇଲେ।ଦିନରେ ଜଗୁଆଳି ଜଗୁଥବାରୁ ଫସଲ ନଷ୍ଟ ହୋଇନଥିଲା।କିନ୍ତୁ ରାତିରେ ଜଂଗଲି ଜନ୍ତୁ ଫସଲ ନଷ୍ଟ କଲେ। ଯାହାକୁ ନେଇ ଚିନ୍ତାରେ ପଡିଗଲେ ପ୍ରଦୀପ।ୟୁଟ୍ୟୁବ ଦେଖି ବାହାର କଲେ ଉପାୟ। ଗୋଟିଏ ସୋଲାର ପ୍ୟାନେଲ ବ୍ୟାଟେରି ଓ ମେସିନକୁ ବ୍ୟବହାର କରି ଜମି ଚାରିପଟେ ବୁଲାଇଲେ ତାର ବାଡ।ସେଥିରେ କଲେ ବିଦ୍ୟୁତ ସଂଯୋଗ।

ଯାହାକି କୌଣସି ଜଂଗଲି ଜନ୍ତୁ, ଗାଈଗୋରୁ, ଛେଳିମେଣ୍ଢା କିମ୍ବା ମଣିଷ ଏହି ତାରବାଡ ସଂସ୍ଫର୍ଶରେ ଆସିଲେ ଝଟକା ମାରି ତଳେ ପକାଇଦେବ। ଏଥିରେ ମୃତ୍ୟୁବରଣ ହୁଏନାହିଁ। କିନ୍ତୁ ଝଟକାରେ ଗାଈଗୋରୁ ଓ ଛେଳିମେଣ୍ଢା ଆଉ ଏଠାକୁ ଆସନ୍ତି ନାହିଁ। ଏହି ପାଚେରୀ ପରେ ପ୍ରଦୀପଙ୍କୁ ଜଗୁଆଳି ବାବଦରେ ଟଂକା ଖର୍ଚ୍ଚ କରିବାକୁ ପଡୁନାହିଁ କି ଫସଲ ନଷ୍ଟ ହେବାର ଚିନ୍ତା ନାହିଁ ।ଏବେ ସେ ଶା୍ନ୍ତିରେ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ପ୍ରଦୀପ। ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ୨୫ ହଜାର ଟଂକା। ଏହାକୁ ଦେଖିବାକୁ ଅନେକ ଚାଷୀଙ୍କର ସୁଅ ଛୁଟୁଛି। କିନ୍ତୁ ଛୋଟ ଛୋଟ ଜମିରେ ଏତେ ଟଂକା କିପରି ଖର୍ଚ୍ଚ କରିବେ ସେନେଇ ଚିନ୍ତାରେ କ୍ଷୁଦ୍ର ଚାଷୀ। ଅନ୍ୟପଟେ କୃଷି ବିଭାଗ ଏହି କୌଶଳକୁ ଦେଖିବା ପରେ ସରକାରଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ଏହା କିପରି ଅନ୍ୟ ଚାଷୀଙ୍କୁ ତାଲିମ ଦେଇ ଫସଲକୁ ସୁରକ୍ଷା କରାଯିବ ସେ ସଂପର୍କରେ ଆଲୋଚନା କରିବୁ ବୋଲି କୃଷି ବିଭାଗ କହିଛି। ଯଦି ଏହା ଫସଲ ଜଗିବା ପାଇଁ ସଫଳ ପାଚେରୀ ତେବେ ସରକାର ଏଦିଗରେ ଚିନ୍ତା କରି କିପରି କ୍ଷୁଦ୍ରଚାଷୀ ଏହାର ଲାଭ ଉଠାଇପାରିବେ ସେନେଇ ଚିନ୍ତା କରିବା ଦରକାର ବୋଲି କୃଷି ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର