ପୌରପାଳିକାକୁ ବ୍ୟବହାର ଶୁଳ୍କ ଦେଉ ନାହାନ୍ତି ବଡ଼ ବ୍ୟବସାୟୀ ଓ ଦୋକାନୀ

ଧାର୍ଯ୍ୟ ୧କୋଟି ୮୦ଲକ୍ଷ ଆଦାୟ ହୋଇଛି ୨୩ଲକ୍ଷ ୯୫ହଜାର

ଜୟପୁର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂଆ ଉପବିଧି ଅନୁଯାୟୀ ଘର, ଆପାର୍ଟମେଣ୍ଟ, ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ, ଲଜ୍, ମଲ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିରୁ ବାହାରୁଥିବା ‌ବର୍ଜ୍ୟବସ୍ତୁକୁ ସୁପରିଚାଳନା ପାଇଁ କିଛି ବ୍ୟବହାର ଶୁଳ୍କ ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ପୁରୁଣା ନିୟମକୁ ପରିବର୍ତ୍ତନ କରି ପୌରପାଳିକା ପକ୍ଷରୁ ନୂଆରେ ଆଦର୍ଶ ଉପବିଧି ପ୍ରସ୍ତୁତ କରାଯାଇଛି। ଶୁଳ୍କ ନ ଦେବା ସ୍ଥାନରେ ଆବଶ୍ୟକସ୍ଥଳରେ ପୌରପାଳିକା ପକ୍ଷରୁ ଜରିମାନା ବି ଆଦାୟ କରିବାକୁ ବିଧି ରହିଛି। ୨୮ଟି ୱାର୍ଡରେ ୧କୋଟି ୮୦ଲକ୍ଷ ଟଙ୍କା ଆଦାୟ କରିବାକୁ ଏହି ବର୍ଷ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୩ଲକ୍ଷ ୯୫ହଜାର ଟଙ୍କା ହିଁ ଆଦାୟ ହୋଇଛି। ସୂଚନା ଅନୁଯାୟୀ, ଘର,ଆପାର୍ଟମେଣ୍ଟ, ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ, ଲଜ୍, ମଲ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଦିର ପରିଧିକୁ ନେଇ ଶୁଳ୍କ ରହିଛି। ଘର, ଆପାର୍ଟମେଣ୍ଟ, ପାଇଁ ୫୦୦ବର୍ଗ ଫୁଟରୁ ୩୦୦୦ବର୍ଗଫୁଟ ପରିଧି ପର୍ଯ୍ୟନ୍ତ ମାସିକ ୨୦ଟଙ୍କାରୁ ୯୦ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ରହିଛି। ବ୍ୟବସାୟୀକ ପ୍ରତିଷ୍ଠାନ, ହୋଟେଲ, ଖାଦ୍ୟ ବିକ୍ରୀ ଡାବା, ମିଠା ଦୋକାନ, କଫି ହାଉସ ଆଦିର ପରିଧି ୧୦୦ବର୍ଗଫୁଟରୁ ୧୦୦୦ବର୍ଗଫୁଟ ପର୍ଯ୍ୟନ୍ତ ୩୦ଟଙ୍କାରୁ ୪୦୦ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅତିଥି ଗୃହ ପାଇଁ ୨୫୦ଟଙ୍କାରୁ ୪୦୦ଟଙ୍କା, ହୋଷ୍ଟେଲ ୨୦ଟି ଶଯ୍ୟା ପାଇଁ ୨୫୦ଟଙ୍କାରୁ ୩୦୦ଟଙ୍କା, ହୋଟେଲ, ରେଷ୍ଟୁରାଣ୍ଟ , ବାର୍ ଆଦି ପାଇଁ ୨୫୦ଟଙ୍କାରୁ ୭୦୦ଟଙ୍କା, ତ୍ରିଷ୍ଟାର ପର୍ଯ୍ୟନ୍ତ ହୋଟେଲରୁ ୨୫୦ଟଙ୍କାରୁ ୭୦୦ଟଙ୍କା ରହିଛି। ବାଣିଜ୍ୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ପାଇଁ ୧୦୦ଟଙ୍କାରୁ ୧୨୫ଟଙ୍କା ରହିଛି।

Sambad

ଛାତ୍ରାବାସ, ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଅନୁଷ୍ଠାନ, ବିଭିନ୍ନ ଛ‌ୋଟ ବଡ ଉଦ୍ୟୋଗ, କଲ୍ୟାଣ ମଣ୍ଡପ, ପେଟ୍ରୋଲ ପମ୍ପ, ସେଲୁନ, ବିଉଟିପାରଲର, ଉଠାଦୋକାନୀ, ଗ୍ୟାରେଜ୍ , ଫ୍ୟାବ୍ରିକେସନ୍ ୟୁନିଟ୍, ପରିବହନସଂସ୍ଥା, ମାଛ, ମାଂସ ଓ କୁକୁଡା ମାଂସ ଦୋକାନ, ସିନେମା ହଲ, ମଲଟିପ୍ଲେକ୍ସ ହଲ୍ ଆଦି ପାଇଁ ବି ପୃଥକ ପୃଥକ ଶୁଳ୍କ ଓ ନ ଦେବା ସ୍ଥାନରେ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି। ସହରର ବର୍ଜ୍ୟବସ୍ତୁକୁ ପ୍ରତ୍ୟେକ ଦିନ ନେବା ପାଇଁ  ‌ସଫେଇ କର୍ମଚାରୀ, ୩୧ଜଣ ସ୍ବଚ୍ଛସାଥୀ, ୯ଜଣ ସ୍ବଚ୍ଛ ନିରୀକ୍ଷକ ବି ସହରରେ କାମ କରୁଛନ୍ତି। ଦିନକୁ ଦିନ ଘର ଓ ଘରୋଇ ଅନୁଷ୍ଠାନ ଗୁଡିକ ଶୁଳ୍କ ଦେବାକୁ କୁଣ୍ଠାବୋଧ କରୁ ନଥିବା ବେଳେ ବଡ ବଡ ବ୍ୟବସାୟୀ, ବ୍ୟବସାୟୀକ ଅନୁଷ୍ଠାନ ଗୁଡିକ ଦେଉ ନଥିବା କହିଛନ୍ତିପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଶୁଳ୍କ ଆଦାୟ କରିବାକୁ ଯାଉଥିବା ସ୍ବଚ୍ଛସାଥୀଙ୍କୁ ଦୁର୍ବ୍ୟବହାର, ଆଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗ ବି ହୋଇଥିବା କହିଛନ୍ତି  ନିର୍ବାହୀ ଅଧିକାରୀ। ଶୁଳ୍କ ଆଦାୟ ଫଳରେ ସହରର ସାମଗ୍ରୀକ ବିକାଶରେ ଏହା ସହଯୋଗ ହୋଇ ପାରିବ ଏହି ଚିନ୍ତା ଜନସାଧାରଣକରିବା ଆବଶ୍ୟକ। ମାନ୍ଧାତାକାଳରୁ ଚାଲି ଆସିଥିବା ନିୟମରେ ବ୍ୟାପକ ପରିବର୍ତ୍ତନ ହେଲେ ମଧ୍ୟ ଜନସାଧାରଣଙ୍କ ମନରେ ପୌରପାଳିକା ସବୁବେଳେ ବର୍ଜ୍ୟବସ୍ତୁ ପରିଚାଳନା କାମ କରି ଆସିବ ଭାବିବା ଭୁଲ। ଯେଉଁ ମାନେ ଦୀର୍ଘଦିନ ଧରି ଶୁଳ୍କ ଦେଉନାହାନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତ କରି ଜରିମାନା ଆଦାୟ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର