ଧୋକା ଦେଲା ମୌସୁମୀ, ଚିନ୍ତାରେ ଚାଷୀ

ଜୟପାଟଣା/ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ମୌସୁମୀ ବର୍ଷା ହେଉନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବ୍ଲକର ୨୮ଟି ପଞ୍ଚାୟତର ଚାଷୀ ଖରିଫରେ ଖାଲୁଆ ଜମିରେ ଧାନ ଓ ଢିପ ଜମିରେ କପା ଚାଷ କରି ଜୀବିକା ନିର୍ବାହ କରନ୍ତି। କିଛି ଦିନ ତଳେ ମୌସୁମୀ ବର୍ଷା ହେବାରୁ ଚାଷୀ ଧାନ ବୁଣି ତଳି ପକାଇଥିଲେ। ସେହିପରି ଢିପ ଜମିରେ କପା ହୁଡ଼ା କରି କପା ମଞ୍ଜି ପୋତି ଥିବାର ଦେଖିବାକୁ ମିଳିଛି। ହେଲେ ଜୁନ୍ ୨୭ ତାରିଖରୁ ଆଉ ମୌସୁମୀ ବର୍ଷାର ଦେଖା ନଥିବାରୁ ଗଜା ଧାନ ଓ ତଳି ଧାନ ମରିବାକୁ ବସିଲାଣି। ସେହିପରି କପା ଚାଷର ଅବସ୍ଥା ବି ଠିକ୍‌ ଏକାପରି। ଚାଷୀ ଚାଷ କରିବାକୁ ଟଙ୍କା ଧାର କରଜ କରି ଆଣିଥିବା ବେଳେ ଏବେ ଚିନ୍ତାରେ ପଡ଼ିଛି। ବ୍ଲକର ୨୦ ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା ଥିବାବେଳେ ୮୦ ପ୍ରତିଶତ ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଚଳିତ ବର୍ଷର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଗଜା ମରୁଡ଼ି ଘୋଷଣା କରି ସରକାରୀ ସହାୟତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

ସେହିପରି ଜୟପାଟଣା ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ଅଞ୍ଚଳର ୨୯,୦୦୦ ହେକ୍ଟର ଜମି ଚାଷ ଉପଯୋଗୀ ଥିବା ବେଳେ ୨୪,୪୩୫ ହେକ୍ଟର ଜମି ଇନ୍ଦ୍ରାବତୀ ଜଳ ସେଚନ ଉପରେ ନିର୍ଭର କରିଥାଏ। ଇନ୍ଦ୍ରାବତୀର ଖରିଫ ଜଳସେଚନ ଅସନ୍ତା ୭ ତାରିଖରୁ ଆରମ୍ଭ ହେଉଥିବା ବେଳେ ମଧ୍ୟବର୍ତ୍ତୀ ସମୟ ଚାଷୀଙ୍କ ପାଇଁ ସଙ୍ଗୀନ ହୋଇପଡ଼ିଥାଏ। ଜୁନ ମାସର ବର୍ଷାକୁ ଦେଖି ୭୦ ପ୍ରତିଶତ ଚାଷୀ ତଳି ପକାଇ ସାରିଥିବା ସୂଚନା ମିଳିଛି। ବର୍ତ୍ତମାନ ବର୍ଷାର ଦେଖା ନଥିବାରୁ ତଳିଘର ଜଳିବାକୁ ବସିଲାଣି। ପ୍ରକାଶ ଯେ, ଜୟପାଟଣା ବ୍ଲକ ଅଞ୍ଚଳରେ ୨୦୧୮ରେ ୫୪ ମିମି, ୨୦୧୯ରେ ୧୩୪, ୨୦୨୦ରେ ୨୯୭, ୨୦୨୧ରେ ୨୫୬, ୨୦୨୨ରେ ୯୯ ଓ ୨୦୨୩ରେ ୨୨୯ ମିମି ବର୍ଷା ରେକର୍ଡ କରାଯାଇଛି। ହେଲେ ଚଳିତ ଜୁନ୍‌ରେ ବର୍ଷାର ପରିମାଣ ଠିକ୍ ଥିଲେ ବି ଠିକ୍ ସମୟରେ ହୋଇନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର