ବ୍ରାଉନସୁଗାର ବେପାରବେଳେ ୨ ବେପାରୀଙ୍କୁ କାବୁ କଲା ପୁଲିସ

ଭୁବନେଶ୍ୱର: ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଧିନ ବାଳକାଟି ବଜାରରେ ବୁଧବାର ବ୍ରାଉନସୁଗାର ବେପାର କାରବାର ନେଇ ବାଲିଅନ୍ତା ଥାନା ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୁଲିସ ସଦଳବଳେ ପହଂଚି ଘଟଣାସ୍ଥଳରେ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି । ଜଣେ ବେପାରୀ ନିମାପଡ଼ା ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ବାଳକାଟି ନୂଆପାଟଣା ଗାଁର ବୋଲି ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ ଦୁଇ ବେପାରୀ ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳରୁ ବ୍ରାଉନସୁଗାର ଆଣି ବାଲିଅନ୍ତା ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ପୁଲିସ ଆଖିରେ ଧୂଳି ଦେଇ ବେପାର ଚଳାଇଥିଲେ ।

ପୁଲିସ ଏମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା ବୁଧବାର ବ୍ରାଉନସୁଗାର ବେପାରୀ ନିମାପଡ଼ା ଥାନା ଅନ୍ତର୍ଗତ ଖେଲାର ଗ୍ରାମର ତପନ କୁମାର ପ୍ରଧାନ ଓରଫ ଟୁଲୁ (୪୩) ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧିନ ବାଳକାଟି ନୂଆପାଟଣା ଗାଁର ବସନ୍ତ ସାହୁ ଓରଫ କୁନା (୪୬) କୁ ୧୭ ଗ୍ରାମ ଓଜନର ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବିକ୍ରି ଉଦ୍ଦେଶ୍ୟରେ ଦେଣନେଣ କାରବାର କରୁଥିବାବେଳେ ବାଲିଅନ୍ତା ଥାନା ପୁଲିସର ଏକ ଟିମ୍ ଚଢାଉ କରିଥିଲା | ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୧୫୦୦ ଟଙ୍କା ଜବତ କରିଥିଲା | ଏନେଇ ବାଲିଅନ୍ତା ଥାନା ପୁଲିସ ଅବକାରୀ ଆଇନରେ ମାମଲା ନମ୍ବର ୩୪୯ ରୁଜୁ କରି ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର