ବ୍ୟାଣ୍ଡେଜ ଭିଡି ମେଡିକାଲର ଅବ୍ୟବସ୍ଥା ଜଣାଇଲେ କୋସଲ କ୍ରାନ୍ତି ସେନା

ସମ୍ବଲପୁର: ବୁର୍ଲା ଭିମସାରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ଡାକ୍ତରଖାନାରେ ଅନେକ ସମସ୍ୟା ଥିଲେ ବି ତାହାର ସମାଧାନ କରାଯାଉନି। ଯାହାକୁ ନେଇ କୋସଲ କ୍ରାନ୍ତି ସେନା ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଅବ୍ୟବସ୍ଥାକୁ ଜିଲ୍ଲାପ୍ରଶାସନକୁ ଜଣାଇବାକୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଥିଲା | ଦୁଇ ଜଣ କର୍ମୀ ବ୍ୟାଣ୍ଡେଜ ଓ ଗଜ କପଡା ଗୁଡ଼ାଇ ହୋଇ ପ୍ରତିବାଦ କରିଥିଲେ | ଜଣେ ଗୁରୁତର ରୋଗୀ କେଉଁ ସବୁ ଅସୁବିଧାର ସମ୍ମୁଖୀନ କରୁଛି ତାହା ଜଣାଇଥିଲେ | ତେବେ ଦାବିପତ୍ରରେ କୁହାଯାଇଛି ଯେ, ଡାକ୍ତରଖାନାରେ ବହୁତ କମ ସଂଖ୍ୟକ ଆଇସିୟୁ ଶଯ୍ୟା ରହିଛି। ଯାହା ରୋଗୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।

ଗୁରୁତର ରୋଗୀ ଏଥିପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଛନ୍ତି। ଏମଆରଆଇ ଏବଂ ସିଟି ସ୍କାନ କାମ କରୁ ନାହିଁ। ଯାହା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟମାନେ ଉପଯୁକ୍ତ ସୁବିଧାସୁଯୋଗ ପାଇପାରୁ ନାହାନ୍ତି। ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ଦିଆଯାଉଥିବା ବେଳେ ବହୁ ପ୍ରକାର ଔଷଧ ଉପଲବ୍ଧ ରହୁନି। ହ୍ୱିଲ ଚେୟାର, ଷ୍ଟ୍ରେଚର ସମସ୍ୟା ମଧ୍ୟ ରହୁଛି। ଏଣୁ ଏସବୁ ଦିଗରେ ଉପଯୁକ୍ତ ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଉ ଏବଂ ଡାକ୍ତରଖାନାର ଉନ୍ନତି କରାଯାଉ ବୋଲି କୋସଲ କ୍ରାନ୍ତି ସେନାର ସଭାପତି କୃତାର୍ଥ ପ୍ରଧାନ, ସୁଶାନ୍ତ ମିଶ୍ର, ସମିର ମେହେର, ଅର୍ପଣ ନାୟକ, ପ୍ରିତମ ଦାସ, ବିଷ୍ଣୁ ଦାସ, ରିତିକ ବାଗ, ଆକାଶ ବାଗ ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର