ମଦ୍ୟପ ଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ

ମାଲକାନଗିରି: ପାଠପଢା ବଦଳରେ ନିଶାସକ୍ତ ଅବସ୍ଥାରେ ରହୁଥିଲେ ଶିକ୍ଷକ। ଗ୍ରାମବାସୀ ଓ ଅଭିଭାବକଙ୍କ ତାଗିଦ୍‌ ସତ୍ୱେ ଆଚରଣରେ ପରିବର୍ତନ ହେଉ ନଥିଲା। ଶେଷରେ ଆଜି ଗ୍ରାମବାସୀ ସଂଗଠିତ ହୋଇ ମଦ୍ୟପ ଶିକ୍ଷକଙ୍କ କାରାନାମାର ଲମ୍ବା ଇତିହାସ ସଂପର୍କରେ ପ୍ରଶାସନକୁ ଜଣାଇଛନ୍ତି। ତଥାପି ଶିକ୍ଷକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ ପେଡାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୮୭ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଗତ ୧୨ବର୍ଷ ହେଲା ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଛନ୍ତି ନରସିଂହ ମାଣ୍ଡିକା। ସେ ସ୍କୁଲକୁ ପ୍ରତିଦିନ ମଦ ପିଇ ଆସି ପାଠ ପଢାଇବା ବଦଳରେ ପିଲାଙ୍କୁ ଗାଳି ଗୁଲଜ କରୁଥିଲେ। ଏପରିକି ସ୍କୁଲ ଭିତର ହିଁ ନିଜ ସାର୍ଟ, ପ୍ୟାଣ୍ଟ ଖୋଲି ଦେଇ ବୁଲୁଥିଲେ। ଯାହାର ପ୍ରଭାବ ପିଲାଙ୍କ ପାଠପଢା ଉପରେ ପଡୁଥିଲା। ଦିନକୁ ଦିନ ଶିକ୍ଷକଙ୍କ ଅସଭ୍ୟ ଆଚରଣ ବଢିବାରୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ। ଏନେଇ ଗ୍ରାମବାସୀ ବହୁ ଥର ବିଇଓ ଏବଂ ଡିଇଓଙ୍କୁ ଜଣାଇଥିଲେ। କେହି ମଧ୍ୟ ଏହାର ସମାଧାନ ପାଇଁ କୌଣସି ପ୍ରକାର ଚେଷ୍ଟା କରିନଥିଲେ। ଦୀର୍ଘ ବର୍ଷ ହେଲା ଜଣେ ପ୍ରଧାନ ଶିକ୍ଷକ ସ୍କୁଲରେ ମଦ୍ୟପାନ କରି ପରିବେଶକୁ ନଷ୍ଟ କରୁଥିବା ସବୁ ସବୁ ଜାଣିଥିଲେ ମଧ୍ୟ କେହି କିଛି ପଦକ୍ଷେପ ନନେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆଜି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ କାରାନାମା ଅସହ୍ୟ ହୋଇପଡିଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ମାଣ୍ଡିକା ପ୍ୟାଣ୍ଟ, ସାର୍ଟ ଖୋଲି ସ୍କୁଲରେ ବୁଲୁଥିବା ବେଳେ ଗ୍ରାମବାସୀ ଏହା ଦେଖି ତାଙ୍କୁ ସେହି ଅବସ୍ଥାରେ ହିଁ ମାଲାକନଗିରି ବ୍ଲକ ଅଧ୍ୟକ୍ଷଙ୍କ ନିକଟକୁ ଆଣିଥିଲେ।

ବ୍ଲକ ଅଧ୍ୟକ୍ଷ ଆଲୋଚନା କରିବା ପରେ ବିଇଓଙ୍କୁ ପାଖକୁ ପଠାଇଥିଲେ। ବିଇଓ ବିନୋଦ ସିଂହ ଏହା ଦେଖିବା ପରେ ହରଡଘଣାରେ ପଡିଯାଇଥିଲେ। ସ୍ପଷ୍ଟ ଉତ୍ତର ନେବାରୁ ଗ୍ରାମବାସୀ ବିଇଓଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ। ଉତ୍ତେଜିତ ଗ୍ରାମବାସୀଙ୍କୁ ଦେଖି ବିଇଓ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ପରେ ମଧ୍ୟ ଗ୍ରାମବାସୀ ମାନିନଥିଲେ। ପ୍ରଧାନ ଶିକ୍ଷକଙ୍କୁ ସେହି ଅବସ୍ଥାରେ ହିଁ ଜିଲ୍ଲାପାଳଙ୍କ ନିକଟରେ ଯାଇ ପହଞ୍ଚିଥିଲେ। ପ୍ରଶାସନକୁ ନିକଟରେ ଅଭିଯୋଗ କରାଯାଉଥିବା ବେଳେ ଅନ୍ୟପଟେ ଶିକ୍ଷକଙ୍କ ଉପରେ କୌଣସି ପ୍ରଭାବ ପଡି ନଥିଲା। ନିଶାସକ୍ତ ଅବସ୍ଥାରେ ହସୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଅବଗତ ହୋଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏସଏମସି ସଭାପତି ସୁଜନ ବେପାରୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା ଗ୍ରାମବାସୀ ସ୍କୁଲର ଦୁଇ ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର