ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଆଁରେ ସ୍କୁଲରୁ ଚାଉଳ ବାଟମାରଣା ଅଭିଯୋଗ: ପାଚେରି ଡେଇଁ ବିଭାଗୀୟ ଅଧିକାରୀଙ୍କୁ ଭେଟିଲେ ଛାତ୍ର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଥିବା ସେବାଶ୍ରମଗୁଡ଼ିକରେ କିପରି ଅବହେଳା ଚାଲିଛି ଗତ କିଛି ଦିନ ତଳେ ପଡ଼ିଆ ବ୍ଲକର କୋଲଗୋଣ୍ଡା ସେବାଶ୍ରମରେ ହୋଇଥିବା ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଏବଂ ପାଣ଼୍ଡ୍ରିପାଣି ସେବାଶ୍ରମରେ ଜଣେ ଛାତ୍ରଙ୍କର ମୃତ୍ୟୁ ସବୁ ସୂଚାଇ ଦେଉଛି। ବିଭାଗୀୟ ଅଧିକାରୀମାନେ ସବୁ ଜାଣି ଅଜଣା ଭଳି ରହୁଛନ୍ତି। ଏବେ ପୁଣି କୋରକୋଣ୍ଡା ବ୍ଲକର ମାରିଵାଡା ସେବାଶ୍ରମରେ ହଷ୍ଟେଲ ଦାୟିତ୍ବରେ ଥିବା ସୁପରିଣ୍ଟେଣ୍ଡେଣ୍ଟ ଚାଉଳ ବିକ୍ରି କରିଦେବା ସହ ପିଲାଙ୍କୁ ନିୟମିତ ପେଟ ପୁରା ଭାତ ଦେଉନଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତିଦିନ ଭାତ ନଥିବାରୁ ପିଲା ଭୋକରେ ରହୁଛନ୍ତି। ପୁଣି ପାଣିଆ ଡାଲିରେ ଖାଇବାକୁ ବାଧ୍ୟ କରାଯାଉଛି।

ଗତ ୨୩ ତାରିଖରେ ସ୍କୁଲ ହଷ୍ଟେଲର ୨୦ ବସ୍ତା ଚାଉଳ ବିକ୍ରି କରାଯାଉଥିବା ବେଳେ ପିଲାମାନେ ଏହାକୁ ବିରୋଧ କରିଥିଲେ ଏବଂ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ। ତେବେ ସୁପରିଣ୍ଟେଣ୍ଡେଣ୍ଟ ଏନେଇ ପିଲାଙ୍କୁ ଧମକାଇବା ସହ ଏଭଳି କଲେ ଭୋକରେ ରଖିବା ନେଇ ଚେତାବନୀ ମଧ୍ୟ ଦେଇଥିଲେ। ତେବେ ଗତ ତିନି ମାସ ତଳେ ପୁଣି ୪୦ ବସ୍ତା ଚାଉଳ ବିକ୍ରି କରିଥିବା ପିଲାମାନେ ଅଭିଯୋଗ କରିଛନ୍ତି।

ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଯାତିତ ହେବା ପରେ ଗତକାଲି ରାତି ଭୋର ୪ଟାରୁ ପିଲାମାନେ ପାଚେରି ଡେଇଁ ଚାଲି ଚାଲି କିଛି ଦୁର ଆସିବା ପରେ ଏକ ଅଟୋରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ। ତେବେ ପିଲାଙ୍କୁ ଦେଖି ଡିଡବ୍ଲୁଓ ତୁରନ୍ତ ସେମାନଙ୍କ ଡାକି ସମସ୍ୟା ସଂପର୍କରେ ବୁଝିଥିଲେ। ପିଲାମାନେ ଗୋଟି ଗୋଟି ସମସ୍ତ ସମସ୍ୟା ବିଭାଗୀୟ ଅଧିକାରୀଙ୍କ ନିକଟରେ ରଖିଥିଲେ। ତେବେ ସୁପରିଣ୍ଟେଣ୍ଡେଣ୍ଟ କିନ୍ତୁ ଉଧାରରେ ଆଣିଥିବା ୨୦ ବସ୍ତା ଚାଉଳକୁ ଫେରାଯାଇଥିବା ଦୃଢକ୍ତି ପ୍ରକାଶ କରିଛନ୍ତି। କେବଳ ଏହି ଗୋଟିଏ ହଷ୍ଟେଲ ନୁହେଁ ବରଂ ସମସ୍ତ ହଷ୍ଟେଲରେ ପିଲାଙ୍କୁ ଖାଇବାକୁ ଅତି ନିମ୍ନମାନର ପ୍ରଦାନ କରାଯାଉଥିବା ବେଳେ ପିଲାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କର କୌଣସି ଧ୍ୟାନ ଦିଆଯାଉ ନାହିଁ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ଯୋଗୁଁ ଏଠାରେ ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢାଇବା ପାଇଁ ସରକାର ବହୁ ହଷ୍ଟେଲ ଖୋଲିଛନ୍ତି। ତେବେ ଏହି ହଷ୍ଟେଲ ଦାୟିତ୍ବରେ ଥିବା ଅଧୀକ୍ଷକମାନେ ପିଲାଙ୍କ ଖାଦ୍ୟକୁ ଚୋରାଇ ନିଜେ ଲାଭବାନ ହେଉଛନ୍ତି। ତେବେ ଏଥିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ହାତ ମଧ୍ୟ ରହିଛି। ବିଭାଗୀୟ ଅଧିକାରୀ ସବୁ ଜାଣି ଅଜଣା ଭଳି ଅଭିନୟ କରୁଥିବା ଅଭିଯୋଗ ହୋଇଛି। ନିୟମିତ ହଷ୍ଟେଲ ତଦାରଖ କରିବାକୁ କେହି ଯାଉନଥିବାରୁ ଏଭଳି ଅବସ୍ଥା ହେଉଥିବା କୁହାଯାଇଛି। ପୁଣି ମାସିକ ବଟି ଆଦାୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ଉଚିତ ତଦନ୍ତ ହେଲେ ସବୁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି। ଡିଡବ୍ଲୁଓ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର