ଜିଏମ୍‌ୟୁକୁ ୧୦ ଲକ୍ଷ ଟଙ୍କା ଦେଲା ମେହେର ଆସୋସିଏସନ୍‌

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମୟୁ)କୁ ସମ୍ବଲପୁରର ମେହେର ଆସୋସିଏସନ୍‌ ମଙ୍ଗଳବାର ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ମେହେର ଆସୋସିଏସନ୍‌ କ୍ରୀଡ଼ା କ୍ଷେତ୍ରରେ ଉନ୍ନତୀ ପାଇଁ ବହୁ ପୂର୍ବରୁ କାମ କରି ଆସିଛି। ଜିଏମ୍‌ୟୁରେ କ୍ରୀଡ଼ାର ଭୂତ୍ତିଭୂମି କ୍ଷେତ୍ରରେ ଉନ୍ନତୀକରଣ ପାଇଁ ଏହି ଟଙ୍କା ପ୍ରଦାନ କରାଯାଇଥିବା ଆସୋସିଏସନ୍‌ ପକ୍ଷରୁ କହାଯାଇଛି। ‘ମୋ କଲେଜ୍‌’‌ ଅଭିଯାନ ଅଧୀନରେ ଏହି ଟଙ୍କା ପ୍ରଦାନ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ ଦ୍ବିଗୁଣା ଅର୍ଥ ଜିଏମ୍‌ୟୁକୁ ମିଳିବ। ମିନି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କହାଯାଇଛି। ମଙ୍ଗଳବାର ଜିଏମ୍‌ୟୁ କୁଳପତିଙ୍କ ବୋର୍ଡ ରୁମ୍‌ରେ ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କୁଳପତି ପ୍ରଫେସର୍‌ ଏନ୍‌ ନାଗରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେହେର ଆସୋସିଏସନ୍‌ର ଏଭଳି ପ୍ରୟାସକୁ ସ୍ବାଗତ କରାଯାଇଥିଲା। କୁଳସଚିବ ଯୁଗଳେଶ୍ବରୀ ଦାଶ, ବିତ୍ତ ନିୟନ୍ତ୍ରକ କନକଲତା ଏକ୍କା ଓ ଡ. ମଧୁମିତା ପଣ୍ଡାଙ୍କ ଉପସ୍ଥିତିରେ ଉପ କୁଳସଚିବ ଡ. ଉମାଚରଣ ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମେହେର ଆସୋସିଏସନ୍‌ ପକ୍ଷରୁ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା କୁଳପତିଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ବୃହତ୍ତର ଉନ୍ନତି ପାଇଁ ଜିଏମ୍‌ୟୁ ଉକ୍ତ ଅର୍ଥକୁ ବ୍ୟବାହର କରିବାକୁ ଯାଉଥିବାରୁ ଶ୍ରୀ ହୋତା ଖୁସି ବ୍ୟକ୍ତ କରିଥିଲେ। ମେହେର ଆସୋସିଏସନ୍‌ର ବିରାଜଶଙ୍କର ହୋତା, ଯୋଗେନ୍ଦ୍ର ନାରାୟଣ ମିଶ୍ର, କାଳୀଚରଣ ବିଶି, ପଞ୍ଚାନନ ପସାୟତ ଓ ହୃଷିକେଶ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର