ବାର୍‌ହା ଶିକାର ସହ କିଣାବିକା ଅଭିଯୋଗରେ ଚାରି ଗିରଫ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଜଙ୍ଗଲ ଜନ୍ତୁ ବାର୍‌ହା ଶିକାର ସହ କିଣାବିକା ଅଭିଯୋଗରେ ଚାରି ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସୂଚନା ପ୍ରକାରେ ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଜବାଧଡ଼ି ଗ୍ରାମର ମନୁରାମ ଭତ୍ରଙ୍କ କାଜୁ ବାଡ଼ ଭିତରକୁ ନିକଟସ୍ଥ ଜଙ୍ଗଲରୁ ଏକ ବାର୍‌ହା ଗତ ଗୁରୁବାର ଦିନ ଚାଲିଆସିଥିଲା। ଏହା ଦେଖିବା ପରେ ମଣୀରାମ ବାରହାକୁ ଆକ୍ରମଣ କରିଥିଲେ। ବାର୍‌ହା ଖସି ପଳାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଲା। ଶେଷରେ କାଜୁ ବାଡ଼ରେ ଥିବା କାଦୁଅରେ ଫସି ଯାଇଥିଲା। ବାରହା କାଦୁଅରେ ଫସିଯିବାର ସୁଯୋଗ ପାଇ ମଣୀରାମ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶିକାର କରି ରଖିଥିଲା।

ଏହି ଖବର ପାଇ ଗତକାଲି ପୂର୍ଲା ଧାମନାଗୁଡା ଗ୍ରାମର ହରି ଭତ୍ରା ଜବାଧଡ଼ି ଗ୍ରାମର ମନୁରାମ ନିକଟକୁ ଯାଇ ୩୦ ହଜାର ଟଙ୍କା ଦେଇ ଶିକାର ହୋଇଥିବା ବାର୍‌ହାକୁ କିଣିଥିଲା। ଗତକାଲି ପୂର୍ଲା ଗ୍ରାମରେ ଶିକାର ହୋଇଥିବା ବାର୍‌ହାକୁ କାଟି ଭାଗ ଭାଗ କରି ବିକ୍ରି କରୁଥିବା ନେଇ ଝରିଗାଁ ବନ ବିଭାଗ ଖବର ପାଇ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ତନୁଜ କୁମାର ପରିଛା, ଫରେଷ୍ଟ ଗାର୍ଡ ସସ୍ମିତା ଭତ୍ରା ପ୍ରମୁଖ ସହ ଅନ୍ୟ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ୭୦ କିଲୋ ବାରହା ମାଂସ ସହ ବ୍ୟବହୃତ ହୋଇଥିବା କିଛି ଜିନିଷ ଜବତ କରିବା ସହ ବାରହା କିଣିଥିବା ହରି ଭତ୍ରା ମାଂସ କାଟୁଥିବା ପୂର୍ଲା ଗ୍ରାମର ବୈଶାକୁ ଭତ୍ରା ଏବଂ ବାର୍‌ହା ମାଂସ କିଣି ନେଉଥିବା ପୂର୍ଲା ଡ଼ିଏନକେ ଗ୍ରାମର ସନ୍ଦୀପ ମଣ୍ଡଳକୁ ଗିରଫ କରି ଝରିଗାଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରିଥିଲେ।

ପରେ ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟ ଅଭିଯୁକ୍ତ ମନୁରାମ ଭତ୍ରାକୁ ଜବାଧଡ଼ି ଗ୍ରାମରୁ ଗିରଫ କରି ଆଣିଥିଲେ। ତେବେ ଆଜି ୪ ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ଶିକାର ସହ କିଣାବିକା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି। ସେହିପରି ଜବତ ହୋଇଥିବା ମାଂସକୁ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ସୁଚନା ମିଳିଛି।

ସମ୍ବନ୍ଧିତ ଖବର