ଓ଼ଏସଓୟୁରେ ଆଡ଼ମିସନ ଠପ, ଅଚିନ୍ତାରେ ସରକାର

ସମ୍ବଲପୁର: ୨୦୧୫ ମସିହାରେ ସମ୍ବଲପୁରରେ ସ୍ଥାପିତ ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ସ୍ୱାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ରୋକ୍ ଲାଗିଛି। ଶିକ୍ଷକ ଓ ଅଣ-ଶିକ୍ଷକ ଅଭାବ ଏବଂ ନିଜସ୍ୱ କୋଠା ନଥିବାରୁ ବିଶ୍ବବିଦ୍ୟାଳୟକକୁ ନାକ୍ ସ୍ୱୀକୃତି ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଆଉ ନାକ୍ ଅନୁମତି ନଥିବାରୁ ୟୁଜିସି ଚଳିତ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନୁମତି ଦେଇନାହାନ୍ତି। ଯାହାକୁ ନେଇ ଏହି ଅନୁଷ୍ଠାନକୁ ବନ୍ଦ କରିବାକୁ ଷଡ଼୍‌ଯନ୍ତ୍ର ଚାଲିଛି ବୋଲି ଓଏସ୍‌ଓୟୁ ବଞ୍ଚାଅ ଅଭିଯାନ ଅଭିଯୋଗ କରିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକ୍ରମେ ୨୦୧୫ ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ) କ୍ୟାମ୍ପସରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା। ପ୍ରଥମେ ୬ଟି ଡିପ୍ଲୋମା ପାଠ୍ୟକ୍ରମ ଥିଲା। ୨୦୧୭ ମସିହାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ୫ ବର୍ଷ (୨୦୨୨ ମସିହା) ଯାଏଁ ଅନୁମତି ମିଳିଥିଲା।

ଏ ପର୍ଯ୍ୟନ୍ତ ପାଖାପାଖି ୭୫ ହଜାର ଛାତ୍ରଛାତ୍ରୀ ଓଏସ୍‌ଓୟୁରେ ନାମ ଲେଖାଇ ସାରିଲେଣି। ସେଥିମଧ୍ୟରୁ ୨୫ ହଜାର ଛାତ୍ରଛାତ୍ରୀ ପାସ୍‌ ମଧ୍ୟ କରି ସାରିଛନ୍ତି। ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରଥମ ବର୍ଷ ୩୧ଟି ଷ୍ଟଡି ସେଣ୍ଟର ଥିବା ବେଳେ ବର୍ତ୍ତମାନ ତାହାର ସଂଖ୍ୟା ୮୯ରେ ପହଞ୍ଚିଲାଣି। କିନ୍ତୁ ଚଳିତ ଶିକ୍ଷାବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଅନୁମତି ମିଳି ନଥିବାରୁ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଏସ୍‌ଓୟୁ ବଞ୍ଚାଅ ଅଭିଯାନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର‌ ବୋଷ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଆଇନଜୀବୀ ପରବେଜ୍ ଅଲ୍ଲୀ ଖାନ, ନାଗରିକ କଲ୍ୟାଣ ସମିତି ସଭାପତି ମହେନ୍ଦ୍ର ମିଶ୍ର, ଜାଗରଣର ସଭାପତି ସୁଧୀର ବହିଦାର, ଭିମ୍‌ସାର୍‌ ଜେଡିଏର ପୂର୍ବତନ ସଭାପତି ଡା. ସଞ୍ଜୀବ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ବାରବାର ଅବହେଳା କରାଯାଉଛି। ଶିକ୍ଷା ବିଭାଗ ତଥା ସରକାରୀ ଉଦାସୀନତା ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି। ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଅନ୍ତୁ।

ଆବଶ୍ୟକ ପଦବି ସୃଷ୍ଟି କରି ନିଯୁକ୍ତି ଦିଅନ୍ତୁ ଏବଂ ୟୁଜିସି ମାନ୍ୟତା କେମିତି ମିଳିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ। ଭିତ୍ତିଭୂମି ତଥା ଓଏସ୍‌ଓୟୁର ସ୍ଥାୟୀ କୋଠା କାମ ଶୀଘ୍ର ଶେଷ କରି ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରନ୍ତୁ। ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହସ୍ତକ୍ଷେପ କରି ୟୁଜିସିକୁ ତିନି ବର୍ଷ ଛାଡ଼ ସହିତ ନାକ୍‌ ମାନ୍ୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି। ଏହାସହ ସହରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ କରି ଆର୍‌ଡିସିଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଓଏସ୍‌ଓୟୁ ବଂଚାଅ ଅଭିଯାନ ଦାବିପତ୍ର ପ୍ରଦାନ କରିବ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ କୁଳପତିଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର