ଗାଁକୁ ନାହିଁ ପକ୍କା ରାସ୍ତା: କାଦୁଅ ପଚପଚ ରାସ୍ତା ଭରସା

ଜୟପୁର: ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ହେଲେ ପ୍ରକୃତ ପକ୍ଷେ ସେହି ଅର୍ଥ କେତେଦୂର କାମରେ ଲାଗୁଛି! ସମୟ ବଦଳୁଛି, ବଦଳୁଛି ସରକାର । ହେଲେ ବଦଳୁ ନାହିଁ ଗାଁର ସମସ୍ୟା । ଏମିତି ଏକ ଗାଁ କୋରାପୁଟ ଜିଲ୍ଳା ଜୟପୁର ବ୍ଲକ ଅନ୍ତର୍ଗତ ପାମ୍ପୁଣୀ ପଂଚାୟତର କୁମୁଲିପୁଟ। ପକ୍କା ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  କାଦୁଅ ପଚପଚ ରାସ୍ତା ମଧ୍ୟ ଦେଇ ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବାକୁ ପିଲା ଯାଉଛନ୍ତି। ସେଭଳି  ନାହିଁ ନଥିବା ଅସୁବିଧା ମଧ୍ୟରେ କୋମଳମତି ଛୋଟ ଛୋଟ ପିଲା ଓ ଗର୍ଭବତୀ ମା ମାନେ ଅଙ୍ଗନୱାଡୀ କେନ୍ଦ୍ରକୁ ଯାଉଛନ୍ତି। ସଂପ୍ରତି ଗ୍ରାମବାସୀଙ୍କୁ ଏହି କାଦୁଅ ପଚପଚ ରାସ୍ତା ହିଁ ଭରସା। ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଅନ୍ତର୍ଗତ ପାମ୍ପୁଣୀ ପଂଚାୟତର କୁମୁଲିପୁଟ ଗାଁରେ ୬୦ଟି ଘର ୩ଶହରୁ ଉର୍ଦ୍ଧ୍ବ ଲୋକେ ଏଠାରେ ବସ ବାସ କରୁଛନ୍ତି। ଗାଁର ରହିଛି ବହୁ ସମସ୍ୟା ହେଲେ ବର୍ତମାନ ମୁଖ୍ୟ ସମସ୍ୟା ହେଲା ଯାତାୟତ ପାଇଁ ଗାଁକୁ ସବୁଦିନିଆ ପକ୍କା ରାସ୍ତା ନାହିଁ । ବର୍ଷା ଦିନରେ ବିଲରେ ହୀଡ ରାସ୍ତା ଏବଂ ନଦୀ ବନ୍ଧର କାଦୁଅ ରାସ୍ତା ଦେଇ ଲୋକେ ଯେଭଳି ବିପଦରେ ଯିବା ଆସିବା କରୁଛନ୍ତି ତାହା ସରକାରଙ୍କ ଗ୍ରାମାଚଂଳର ବିକାଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂଧ୍ୟା ନଇଁବା ମାତ୍ରକେ ଗାଁରେ ବିଦ୍ୟୁତ ସେବା ନଥିବାରୁ ଅନ୍ଧାରର ରାଜୁତି ।

ସେତେବେଳେ ଲୋକେ ଆଉ ଘରୁ ପଦାକୁ ବାହାରିବା ଦୁର୍ବିସହ ହୋଇପଡୁଛି ବୋଲି କହିଛନ୍ତି ଗ୍ରାମବାସୀ।  ଗାଁରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୬୧ଜଣ ପିଲା ପଢ଼ୁଛନ୍ତି। ଏମାନଙ୍କ ପାଇଁ ରହିଛନ୍ତି ଜଣେ ମାତ୍ର ଶିକ୍ଷକ। ସାମାନ୍ୟ ବର୍ଷା  ହେବା ମାତ୍ରକେ କାଦୁଅ ପଚପଚ ଆରମ୍ଭ ହେବା ସହ ଗ୍ରାମବାସୀ ମାନେ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି। ଜରୁରୀକାଳୀନ ସମୟରେ ଗାଁକୁ ଆମ୍ବୁଲାନସ୍ ବି ଯିବା ସମ୍ଭବ ପର ନୁହେଁ। ଏହି ସମୟରେ ଗ୍ରାମବାସୀ ମାନେ ଗର୍ଭବତୀ ମହିଳା ହେଉନ୍ତୁ କିମ୍ବା ରୋଗୀଙ୍କୁ ଦୋଳା କରି ଆମ୍ବୁଲାନସ୍ ପର୍ଯ୍ୟନ୍ତ ଆଣିବା ପରେ ନିଆଯାଉଥିବା କହିଛନ୍ତି ଗ୍ରାମବାସୀ। ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ଆମକୁ ଆମ ମୌଳିକ ଅଧିକାର ଦେବା ପାଇଁ କାହିଁକି ପଛଘୁଛାଂ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗାଁର  ରାସ୍ତା ନବୀକରଣ କରିବାକୁ ଜୟପୁର ବିଡିଓଙ୍କୁ ଅବଗତ କରିଥିବା କହିଛନ୍ତି ପାମ୍ପୁଣି ସମିତିସଭ୍ୟ ବିଶ୍ବନାଥ ଗୌଡ଼। ବିଦ୍ୟୁତ ସଂଯୋଗ ଦେବା ସହ ପ୍ରାଥମିକ ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ବି ସେ  ବିଡିଓ, ବିଇଓ ଓ ଟାଟାପାୱାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିବା କହିଛନ୍ତି ସମିତି ସଭ୍ୟ।

ସମ୍ବନ୍ଧିତ ଖବର