ନୂଆପଡ଼ା ଜିଲ୍ଲାରେ ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା: ୨ ଦିନ ହେବ ଧାନକିଣା ବନ୍ଦ, ଟୋକନ ପାଇଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି। ହେଲେ ଜିଲ୍ଲାରେ ମଣ୍ଡି ଆରମ୍ଭରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଧାନ କିଣା ପାଇଁ ମିଲର୍ସମାନଙ୍କ ସହ ଚୁକ୍ତି ହୋଇନଥିବାରୁ ଜିଲ୍ଲାରେ ୨ ଦିନ ହେବ ଧାନ କିଣା ବନ୍ଦ ହୋଇଥିବା ବେଳେ ଜିଲ୍ଲାରେ ଟୋକନ ମିଳିଥିବା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଧାନ କିଣା ପାଇଁ ୩୦ଟି ମିଲର୍ସକୁ ଦାୟତ୍ବ ଦିଆଯାଇଥିବା ବେଳେ ମଣ୍ଡି ଆରମ୍ଭ ପୁର୍ବରୁ ଜିଲ୍ଲା ପ୍ରଶାସନ ଠାରେ କୌଣସି ମିଲର୍ସ ଧାନ କିଣା ପାଇଁ ଚୁକ୍ତି କରିଥିଲେ। ହେଲେ ଲୋକ ଦେଖାଣିଆ ଭାବେ ଜିଲ୍ଲା ପ୍ରଶାସନ ୨୪ ତାରିଖ ଦିନ ତୋବୋଡ଼ ଠାରେ ଚଳିତ ବର୍ଷ ୨୦୨୩-୨୪ ପାଇଁ ମଣ୍ଡି ଆରମ୍ଭ କରି ଦେଇଛି। ଯାହଫଳରେ ଜିଲ୍ଲା ପ୍ରଶାସନ ମିଲର୍ସମାନଙ୍କ ସହ ଚୁକ୍ତି କରିନଥିବାରୁ ୨ ଦିନ ହେବ ଜିଲ୍ଲାରେ ଧାନ କ୍ରୟ ବନ୍ଦ ରହିଥିବା ଦେଖିବାକୁ ମିଲିଛି। ଜିଲ୍ଲା ପ୍ରଶାସନ ଧାନ କ୍ରୟ ଆରମ୍ଭରୁ ଚାଷୀମାନଙ୍କ ସହ ଏପରି ଖେଳଖେଳିବା ଆରମ୍ଭ କରି ଦେଇଛି।  ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ମିଲର୍ସଙ୍କ ସହ ମିଶି ଚଳିତ ବର୍ଷ ମଧ୍ୟ ଚାଷୀ ମାନଙ୍କ ସହ ଖେଳଖେଳିବା ଆରମ୍ଭ କରିଦେଇଛି।

ଜିଲ୍ଲାରେ ମିଲର୍ସ ଧାନ କିଣିବା ପାଇଁ ପ୍ରସ୍ତୁତ ହୋଇନଥିବା ବେଲେ ପାଇଁ ଜିଲ୍ଲା ପ୍ରଶାସନ ତରବରିଆ ହୋଇ ମଣ୍ଡି ଆରମ୍ଭ କରିଦେଇଛନ୍ତି। ଯାହାଫଳର ଜିଲ୍ଲାରେ ଟୋକନ ପାଇଥିବା ଚାଷୀମାନେ ଧାନା ଅମଳ କରି ମଣ୍ଡିକୁ ଆଣିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରି ରହିଛନ୍ତି। ହେଲେ ୨ ଦିନ ହେବ ଜିଲ୍ଲାରେ ମଣ୍ଡି ବନ୍ଦ ଥିବାରୁ ଚାଷୀମାନେ ମଣ୍ଡିକୁ ଧାନ ଆଣିବାକୁ ଭୟ କରିଛନ୍ତି। ଜିଲ୍ଲାରେ ଚାଷୀମାନଙ୍କ ଧାନ ରଖିବା ପାଇଁ ଭିତ୍ତିଭୂମି ନଥିବାରୁ ଚାଷୀ ଙ୍କ ଧାନ ନଷ୍ଟ ହେବା ଚିନ୍ତାରେ ରହିଛି।

ଅନ୍ୟପକ୍ଷେ ଯୋଗାଣ ବିଭାଗ କହିବା ଅନୁଯାଇ ଜିଲ୍ଲାରେ ମିଲର୍ସମାନେ ଧାନ କିଣିବା ପାଇଁ ଚୁକ୍ତି କରିନଥିବାରୁ ମଣ୍ଡି ୨ ଦିନ ହେବ ବନ୍ଦ ରହିଛି। ଜିଲ୍ଲାରେ କେବେ ମିଲର୍ସମାନେ ଯୋଗାଣ ବିଭାଗ ପାଖରେ ଧାନ କିଣା ପାଇଁ ଚୁକ୍ତି କରିବେ, ସଂପୂର୍ଣ୍ଣ ଭାବେ ଧାନକିଣା ଆରମ୍ଭ ହେବ, ତାହା ଦେଖିବାର ବାକି ରହିଛି। ନହେଲେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ ଟୋକନ ପାଇଁ ବହୁ ଚାଷୀ ଧାନ ବିକ୍ରି କରିବାକୁ ବଞ୍ଚିତ ରହିବ। ଏଥିଲାଗି ଜିଲ୍ଲାପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ରହିବ ବୋଲି ଚାଷୀ ନେତା ମାନେ ଅଭିଯୋଗ କରିଛନ୍ତି।

ଏନେଇ ନୂଆପଡ଼ା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ କହିଛନ୍ତି ଯେ ଜିଲ୍ଲାରେ ୩୦ ମିଲର୍ସଙ୍କୁ ଚଳିତ ବର୍ଷ ଧାନକିଣା ପାଇଁ ସୁଯୋଗ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ୨୪ ଜଣ ମିଲର୍ସ ଚୁକ୍ତି କରିଛନ୍ତି। ଜିଲ୍ଲାରେ ଆସନ୍ତାକାଲିଠାରୁ ଜିଲ୍ଲାରେ ଧାନକିଣା ଭଲଭାବରେ ଆରମ୍ଭ ହେବ।

ପ୍ରକାଶ ଯେ ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ୨୬ଟି ପ୍ୟକ୍ସ ଓ ୧୩ଟି ମହିଳା ଏସଏଚଜି ଜରିଆରେ ୬୩ଟି ମଣ୍ଡିରେ ଧାନ ସଂଗ୍ରହ ହେବାକୁ ରହିଛି। ଜିଲ୍ଲାରେ ୪୪ ହଜାର ୪୪୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ସେଥିରୁ ୪୪ ହଜାର ୩୩୪ ଜଣ ଚାଷୀଙ୍କ ଯାଞ୍ଚ ସରିଥିବାରୁ ଧାନ ବିକ୍ରି ପାଇଁ ଯୋଗ୍ୟ ହୋଇଛନ୍ତି। ସେଥିମଧ୍ୟରୁ ମଣ୍ଡି ଆରମ୍ଭ ଦିନ ୬ ଜଣ ଚାଷୀଙ୍କ ଠାରୁ ୧୯୮.୩୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ସେହିପରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୭ ଲକ୍ଷ ୯୧ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର