ସରଣ୍ଡା ମୁହାଁ ନକ୍ସଲ: ଟଣ୍ଟୋ ପାହାଡ଼ରେ ସିଆର୍‌ପିଏଫର ୩ ଟିମ୍‌, ଓଡ଼ିଶା ସୀମା ସିଲ୍‌

ରାଉରକେଲା: ଶୁକ୍ରବାର ନକ୍ସଲ ଗୁଳିକାଣ୍ଡ ଘଟଣା ପରେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କମ୍ବିଂ ଅପରେପସନ୍‌କୁ ଜୋରଦାର କରାଯାଇଛି। ସିଆର୍‌ପିଏଫ୍‌ର ୩ରୁ ଅଧିକ ଟିମ୍‌ ଗୁଳିବିନିମୟ ହୋଇଥିବା ଟଣ୍ଟୋ ପାହାଡ଼କୁ ନାକାବନ୍ଦୀ କରି ରଖିଛନ୍ତି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍‌ରି ବେସ୍ରା ଓ ତାଙ୍କ ଗ୍ୟାଙ୍ଗକୁ ଧରିବାକୁ ସିଆର୍‌ପିଏଫ୍‌ ଟିମ୍‌ ଅପରେସନ୍‌କୁ ଜୋରଦାର କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ରେ ନକ୍ସଲ ସଙ୍ଗଠନ ବଡଧରଣ ହିଂସାକାଣ୍ଡ ଭିଆଇବାକୁ ଯୋଜନା କରୁଥିବା ଗୁପ୍ତସୂଚନା ମିଳିବା ପରେ ଉଭୟ ଝାଡ଼ଖଣ୍ଡ ଏବଂ ଓଡ଼ିଶା ପୁଲିସ ବେଶ୍‌ ସଜାଗ ହୋଇଛନ୍ତି। ମିସ୍‌ରି ବେସ୍ରାଙ୍କ ନେତୃତ୍ବରେ ଗଠିତ ନକ୍ସଲମାନେ ସରଣ୍ଡା ଜଙ୍ଗଲ ମୁହାଁ ହେଉଥିବାରୁ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ଚିନ୍ତା ବଢ଼ିଛି। ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଓଡ଼ିଶା ସୀମାକୁ ସିଲ୍‌ କରାଯାଇଛି।

ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଯାନବାହନଗୁଡ଼ିକୁ କଡ଼ାକଡି ଯାଞ୍ଚ କରାଯାଉଛି। ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜରେଇକେଲା, ଭାଲୁଲତା, ତୁଳସୀକାନି, ଝାରବେଡା, ମନ୍‌କୋ, ରାମଲୋଇ, ଅଜୟକେଳା, ସରୋଡ଼ା, ଚିତାପେଡ଼ି, ଉର୍ମେଇ, ଲାଠିକଟା ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ଓ ଏହାର ଆଖପାଖ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଉପରେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ୍‌ କଡ଼ା ନଜର ରଖିଛି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଟଣ୍ଟୋ, ଜେଟେୟା, ଗୁଆ, ମନୋହରପୁର, ଗୋଏଲକେରା, ସୋନୁଆ ଆଦି ଅଞ୍ଚଳରେ ନକ୍ସଲମାନେ ହିଂସାକାଣ୍ଡମାନ ଘଟାଇ ପୂର୍ବପରି ନିଜର ଉପସ୍ଥିତି ଜାହିର କରୁଛନ୍ତି। ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଲୁହାପଥର କାରବାର, କେନ୍ଦୁପତ୍ର, ବେଆଇନ ବାଲି ଚାଲାଣ, ସରକାରୀ କୋଠା, ରାସ୍ତାଘାଟ ନିର୍ମାଣକରୁଥିବା ଠିକା ସଂସ୍ଥା ଓ ଶିଳ୍ପପତିଙ୍କଠାରୁ ସେମାନେ ମୋଟା ଅଙ୍କର ଲେଭି (ଚାନ୍ଦା) ନେଉଛନ୍ତି। ଏସବୁ କାରଣରୁ ନକ୍ସଲ ସଙ୍ଗଠନ ସରଣ୍ଡା ଜଙ୍ଗଲକୁ ନିଜର ସୁରକ୍ଷିତ ଆଡ୍ଡାସ୍ଥଳ ଭାବେ ବାଛିନେଇଛନ୍ତି। ଜଙ୍ଗଲର ବିଶାଳତା ତଥା ଘନତା ଯୋଗୁ ପୂରା ଇଲାକାରେ କୌଣସି ପ୍ରକାର ଅପରେସନ କରିବା ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସ ପାଇଁ ସବୁ ସମୟରେ କଷ୍ଟକର। ସରଣ୍ଡା ଜଙ୍ଗଲରେ ଶିବିର ସ୍ଥାପନ କରି ନକ୍ସଲ ସଦସ୍ୟମାନେ ହିଂସାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସଙ୍ଗଠନ ଚଳାଇବାକୁ ଆବଶ୍ୟକ ଅର୍ଥ ଓ ମାରଣାସ୍ତ୍ର ସଂଗ୍ରହ ପାଇଁ ମଧ୍ୟ ସେଠାରେ ଯୋଜନା ହେଉଛି। ଉଲ୍ଲେଖଯୋଗ୍ୟ, ଗତକାଲି ନକ୍ସଲଙ୍କ ଗୁଳିରେ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ। ଅନ୍ୟ ଜଣେ ସିଆର୍‌ପିଏଫ୍‌ କନେଷ୍ଟବଳ ମୁନ୍ନାଲାଲ ଯାଦବ ଗୁରୁତର ହୋଇଥିଲେ। କେବଳ ଏତିକି ନୁହେଁ ସରଣ୍ଡା ଓ ଏହାକୁ ଲାଗିଥିବା କୋହ୍ଲାନ ଜଙ୍ଗଲରୁ ୧୫୧ଟି ଡିଟୋନେଟର, ୧୭ରୁ ଅଧିକ ଆଇଇଡି ବୋମା,ମୋର୍ଟାର ବୋମା ସହ ବିପୁଳ ପରିମାଣରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର କରିଥିଲା। ଏଥିସହ ୧୧ରୁ ଅଧିକ ବଙ୍କର ସହ କିଛି ଶିବିର ଧ୍ବସ୍ତ କରିଥିଲେ।

ସମ୍ବନ୍ଧିତ ଖବର