କଲେଜ ଯାଇ ପୁଅ ଆଉ ଘରକୁ ଫେରିଲାନି

ରାଉରକେଲା: କେଉଁ ବେଳାରେ ପାଦ କାଢ଼ି ପଦାକୁ ବାହାରିଥିଲେ ଯେ ଆଉ ଫେରିଲେନି ଘରକୁ। ଘର ଲୋକେ ଚାହିଁ ବସିଥିଲେ ପୁଅ ଘରକୁ ଫେରି ଆସିବ। କିନ୍ତୁ ଆଉ ସେମାନେ ଫେରିଲେନି। ମୃତ୍ୟୁ ଖବର ପାଇବା ପରେ ଘର ଲୋକେ ଦୌଡ଼ି ଆସିଥିଲେ ଡାକ୍ତରଖାନାକୁ। କିଏ ଡାକ୍ତରଖାନାର କାନ୍ଥରେ ମୁଣ୍ଡ ପିଟି କାନ୍ଦୁଥିଲା ତ କାହାର ଆଖିରୁ ନିରବରେ ଝରିପଡ଼ୁଥିଲା ଧାର ଧାର ଲୁହ। ଆଖିରୁ ଲୁହ ଧାର ଶୁଖୁ ନଥିଲା। ଆତ୍ମୀୟ ସ୍ବଜନଙ୍କ କ୍ରନ୍ଦନରେ ଆଜି ରାଉରକେଲା ସରକାରୀ ଡାକ୍ତରଖାନା ପରିସର​ରେ ହୋଇ ଉଠିଥିଲା ଶୋକାକୁଳ ପରିବେଶ। ବଜ୍ରାଘାତ ମୃତ୍ୟୁ ତିନି ପରିବାର ସ୍ବପ୍ନକୁ ଭାଙ୍ଗି ଚୂରମାର କରିଦେଇଥିଲା।

ତିନିହେଁ ଥିଲେ ଘରର ବଡ଼ ପୁଅ। ଗୋପଡିହି ଗ୍ରାମର ଶାନ୍ତିପ୍ରକାଶ ଲାକଡ଼ା(୨୬) ରାଉରକେଲାର ଏକ ହୋଟେଲରେ କାମ କରୁଥିଲେ। ବିଶ୍ବକର୍ମା ପୂଜାରେ ଛୁଟି ଥିବାରୁ ସେ ଘର ଅଭିମୁଖେ ବାହାରିଥିଲେ। ଯିବା ରାସ୍ତାରେ ହେଉଥିବା ଫୁଟ୍‌ବଲ୍‌ ଖେଳ ତାଙ୍କୁ ଟାଣିନେଇଥିଲା ବିରୁଆଲ୍‌ ପଡ଼ିଆକୁ। ସେହିପରି କର୍ଲାଖମନ ଗ୍ରାମର ବିଶାଲ ବିଲୁଙ୍ଗ(୧୮) ଗାନ୍ଧୀ କଲେଜରେ ଯୁକ୍ତ ଦୁଇ କର୍ମସ୍‌ରେ ପ୍ରଥମ ବର୍ଷର ଛାତ୍ର ଥିଲେ। କଲେଜରେ ପୂଜା ହେଉଛି କହି ଘର ଲୋକଙ୍କୁ କହି ଆସିଥିଲେ। ତାଙ୍କ ସାଙ୍ଗ ସୁନୀତ ଓରାମ ରାଉରକେଲା ଆଇଟିଆଇରେ ପଢ଼ୁଥିଲେ। ସେଦିନ ବିଶ୍ବକର୍ମା ପୂଜା ପାଇଁ ସେ ମଧ୍ୟ କଲେଜ ଯାଉଛି କହି ଘରୁ ବାହାରିଥିଲେ। ଉଭୟେ ବାଇକ୍‌ ଯୋଗେ ଘରକୁ ଫେରିବାବେଳେ ଖେଳ ଦେଖିବାକୁ ବିରୁଆଲ ଅଭିମୁଖେ ଯାଇଥିଲେ।  ବ୍ରାହ୍ମଣୀତରଙ୍ଗ ପୁଲିସ ତିନି ଶବର ବ୍ୟବଚ୍ଛେଦ କରାଇ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଆତ୍ମୀୟ ପରିଜନଙ୍କ ଭିଡ଼ରେ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇ ଉଠିଥିଲା।

ସମ୍ବନ୍ଧିତ ଖବର