କ୍ବାର୍ଟର ଫାଇନାଲ ପ୍ରବେଶ ପାଇଁ ଚୂଡ଼ାନ୍ତ ଲଢ଼େଇ

ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ବେଲଜିୟମ ଓ ଜର୍ମାନୀ ଉପରେ ସମସ୍ତଙ୍କ ନଜର

ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ମହାଲଢ଼େଇ ଦେଖିବାକୁ ମିଳିବ। ଗ୍ରୁପ୍‌ର ଶୀର୍ଷ ସ୍ଥାନ ପାଇଁ ଚାରି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ। ବାସ୍ତବରେ ରାଉରକେଲା‌ ଷ୍ଟାଡିୟମରେ ହିଁ ଫଇସଲା ହେବ ପୁଲ୍‌ ଏ’ ଓ ପୁଲ ବି’ର ଟପ୍ପର କିଏ ହେବ। ବର୍ତ୍ତମାନ ପୁଲ୍‌ ଏ’ରେ ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଦଳ ୪ ପଏଣ୍ଟ୍‌ରେ ଅଛନ୍ତି। ତେବେ ଗୋଲ୍‌ ବ୍ୟବଧାନ ଯୋଗୁଁ ଅଷ୍ଟ୍ରେଲିଆ ପୁଲ୍‌ର ଶୀର୍ଷ ସ୍ଥାନରେ ରହିଛି। ସେହିଭଳି ପୁଲ୍‌ ବି’ରେ ବେଲଜିୟମ ଓ ଜର୍ମାନୀ ୪ ପଏଣ୍ଟ୍‌ ଲେଖାଏ ଅର୍ଜନକରିଛନ୍ତି; ତେବେ ଅତ୍ୟଧିକ ଗୋଲ୍‌ ସ୍କୋର୍‌ କରିବାରୁ ବେଲ୍‌ଜିୟମ ପ୍ରଥମ ଓ ଜର୍ମାନୀ ଦ୍ବିତୀୟ ସ୍ଥାନରେ ରହିଛି। ଏଣୁ ଆସନ୍ତାକାଲିର ମ୍ୟାଚ୍‌କୁ ଜିତି ଏହି ୪ ଦଳ ଗ୍ରୁପ୍‌ ଟପ୍ପର ହେବାକୁ ଜୋର୍‌ଦାର ଲଢ଼େଇ କରିବେ।

ଶୁକ୍ରବାର ପ୍ରଥମ ମ୍ୟାଚ୍‌ ପୁଲ ଏ’ର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ଶେଷ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ ତା’ର ଫ୍ରାନ୍‌ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଚିତ୍ତାକର୍ଷକ ପ୍ରଦର୍ଶନକରି ୮-୦ ଗୋଲ୍‌ରେ ଜିତି ନେଇଥିଲା। ଏହାପରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌କୁ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ଉଭୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମୋଟ୍‌୧୧ଟି ଗୋଲ୍‌ କରି ଏବେ ପଏଣ୍ଟ୍‌ ତାଲିକାର ଶୀର୍ଷରେ। ଅପରପକ୍ଷରେ ଆର୍ଜେଣ୍ଟିନା ଦଳ ନିଜର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ୩-୩ ଗୋଲ୍‌ରେ ଡ୍ର ରଖିଥିଲା। ଅତଏବ, ଆର୍ଜେଣ୍ଟିନା ମୋଟ୍‌ ୪ଟି ଗୋଲ୍‌ ସହ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଟେବୁଲ ଟପ୍ପର ହେବାକୁ ହେଲେ ଆଷ୍ଟ୍ରେଲିଆକୁ ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାକୁ ହେବ। ସାଧାରଣ ବିଜୟ ବି ଅଷ୍ଟ୍ରେଲିଆ ସପକ୍ଷରେ ଯିବ ଏବଂ ସିଧାସଳଫ କ୍ବାର୍ଟର ଫ‌ାଇନାଲ ଯିବାରେ ସହାୟକ ହେବ।

ଅଷ୍ଟ୍ରେଲିଆ ଓ ବେଲେଜିୟମ ସମ୍ଭାବନା ଅଧିକ

ତେବେ ଆର୍ଜେଣ୍ଟିନା ପାଇଁ ପୁଲ୍‌ର ଶୀର୍ଷ ସ୍ଥାନ ଦଖଲ କରିବା ଏତେ ସହଜ ହେବ ନାହିଁ। ଆର୍ଜେଣ୍ଟିନା ଦଳ ଫ୍ରାନ୍ସ ବିପକ୍ଷରେ ଜିତିଲେ ପଏଣ୍ଟ୍‌ ଆଧାରରେ ଅଷ୍ଟ୍ରେଲିଆ ସହ ସମାନ, ଅର୍ଥାତ୍‌ ୬ ପଏଣ୍ଟ୍‌ରେ ରହିବ। କିନ୍ତୁ ଗୋଲ୍‌ ବ୍ୟବଧାନ ଯୋଗୁଁ ଅଷ୍ଟ୍ରେଲିଆ ହିଁ ପୁଲ୍‌ର ଶୀର୍ଷ ସ୍ଥାନ ଅଧିକାର କରି କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ତା’ର ପୂର୍ବ ଦୁଇ ମ୍ୟାଚ୍‌ରେ ମୋଟ୍‌ ୧୧ଟି ଗୋଲ୍‌ କରିଥିବାବେଳେ ଆର୍ଜେଣ୍ଟିନା ମାତ୍ର ୪ଟି ଗୋଲ୍‌ କରିବାରେ ସକ୍ଷମ ହୋଇଛି। ଯଦି କୌଣସି କରିସ୍ମା ହୁଏ ଓ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୁଏ; ତା’ହେଲେ ଆର୍ଜେଣ୍ଟିନା ତା’ର ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲରେ ପହଞ୍ଚିବ। ଅନ୍ୟଥା କ୍ରସ୍‌ଓଭର ମାଧ୍ୟମରେ ହିଁ ଆର୍ଜେଣ୍ଟିନାକୁ କ୍ବାର୍ଟର ଫାଇନାଲ ପ୍ରବେଶ କରିବାକୁ ପଡ଼ିବ।

ପୁଲ୍‌ ଏ’ ଭଳି ପୁଲ୍‌ ବି’ର ମଧ୍ୟ ଟେବୁଲ ଟପ୍ପର ରାଉରକେଲାରେ ସ୍ପଷ୍ଟ ହେବ। ଏହି ଗ୍ରୁପ୍‌ ଉଭୟ ବେଲ୍‌ଜିୟମ ଓ ଜର୍ମାନୀ ଦୁଇ ୪ ପଏଣ୍ଟ୍‌ ଲେଖାଏ ହାସଲ କରିଛନ୍ତି। ତେବେ ଗୋଳ୍‌ ବ୍ୟବଧାନ ଯୋଗୁଁ ବେଲଜିୟମ ପ୍ରଥମ ଓ ଜର୍ମାନୀ ଦ୍ବିତୀୟ ସ୍ଥାନରେ ରହିଛି। ବେଲଜିୟମ ତା’ର ପ୍ରଥମ ମ୍ୟାଚ୍‌ରେ କୋରିଆକୁ ସିଧାସଳଖ ୫-୦ ଗୋଲ୍‌ରେ ପରାସ୍ତ କରିଥିବାବେଳେ ଜର୍ମାନୀ ବିପକ୍ଷ ଦ୍ବିତୀୟ ମ୍ୟାଚରେ ୨-୨ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ସେହିଭଳି ଜର୍ମାନୀ ତା’ର ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୩-୦ ଗୋଲ୍‌ରେ ପରାସ୍ତ କରିଥିବାବେଳେ ବେଲଜିୟମ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଡ୍ର ରଖିଥିଲା। ଆସନ୍ତାକାଲି ଟେବୁଲ ଶୀର୍ଷ ସ୍ଥାନରେ ଥିବା ବେଲଜିୟମ ଜାପନକୁ ଏବଂ ଜର୍ମାନୀ କୋରିଆକୁ ଭେଟିବ। ଏହି ମ୍ୟାଚ୍‌ରେ ଉଭୟ ବେଲଜିୟମ ଓ ଜର୍ମାନୀ ବିଜୟ ହେବାର ସମ୍ଭାବନା ସର୍ବାଧିକ। ଯଦି ଏହା ହୁଏ, ତା’ହେଲେ ଉଭୟ ଦଳର ପଏଣ୍ଟ୍‌ ସମାନ ରହିବା ସହ ଗୋଲ୍‌ ବ୍ୟବଧାନ ଯୋଗୁଁ ବେଲଜିୟମ ହିଁ ଗ୍ରୁପ୍‌ ଟପ୍ପର ହେବ ଏବଂ ସିଧାସଳଖ କ୍ବାର୍ଟର ଫାଇନାଲ ପ୍ରବେଶ କରିବ। ଯଦି ବେଲିଜିୟ ପରାସ୍ତ ହୁଏ ଏବଂ ଜର୍ମାନୀ ଜିତିବ; ତା’ହେଲେ ହିଁ ଜର୍ମାନୀ କ୍ବାର୍ଟର ଫାଇନାଲ ପହଞ୍ଚିବା ସ୍ବପ୍ନ ପୂରଣ ହେବ। ଅନ୍ୟଥା କ୍ରସ୍‌ଓଭର ମ୍ୟାଚ୍‌ ଖେଳି ହିଁ କ୍ବାର୍ଟର ଫାଇନାଲ ପ୍ରବେଶ ଚିନ୍ତା କରିବ।

ସମ୍ବନ୍ଧିତ ଖବର